ରାସ୍ତାରେ ମଇଁଷି, ୫କିମି ଯିବାକୁ ଲାଗୁଛି ଘଣ୍ଟାଏ

ପୁରୁଣା ଭୁବନେଶ୍ବର: ସୁନ୍ଦରପଦା-ଜଟଣୀ ରାସ୍ତାର ସୁନ୍ଦରପଦାଠାରୁ ପ୍ରଧାନ ସାହି ପର୍ଯ୍ୟନ୍ତ ୫ କିଲୋମିଟର ପାରି ହେବାକୁ ୧ ଘଣ୍ଟାରୁ ଊର୍ଧ୍ୱ ସମୟ ଲାଗୁଛି। ରାସ୍ତାର ଦୁରବସ୍ଥା ନୁହେଁ, ବରଂ ବୁଲା ଗାଈ, ଷଣ୍ଢ ରାସ୍ତାରେ ଶୋଇ ରହିବା ଫଳରେ ପ୍ରତିଦିନ ଏମିତି ସମସ୍ୟା ଦେଖାଦେଉଛି। ପୂର୍ବାହ୍ନ୧୦ଟାରୁ ମଧ୍ୟାହ୍ନ ୧୨ଟା ଓ ସଂଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଏହି ରାସ୍ତା‌ରେ ପଲପଲ ମଇଁଷି ଯା’ଆସ କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ରାଜଧାନୀରେ ବୁଲା କୁକୁର, ଗାଈ, ଷଣ୍ଢକୁ ଧରିବାକୁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଗାଡ଼ି ରହିଛି। କିନ୍ତୁ ରାଜଧାନୀ ଉପକଣ୍ଠରେ ଏପରି କୌଣସି ବ୍ୟବସ୍ଥା ନଥିବାରୁ ଏଠାକାର ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଅପରପକ୍ଷେ ମଇଁଷି ରଖଥିବା ମାଲିକଙ୍କ କ୍ଷେତ୍ରରେ କୌଣସି କଟକଣା ଲାଗୁ ହେଉନଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୁନ୍ଦରପଦାରୁ ପ୍ରଧାନସାହି ଯିବା ରାସ୍ତାରେ ଏବରଙ୍ଗ, ବୋତଣ୍ଡା, କଣ୍ଟିଲୋ, କୁହା ଆଦି ଅଞ୍ଚଳରେ ମୁଖ୍ୟ ରାସ୍ତାରେ ମଇଁଷିପଲ ଯିବା ଆସିବା କରୁଛନ୍ତି। ଫଳରେ ସ୍କୁଲ, କଲେଜ, ଅଫିସ୍‌ ଯାଉଥିବା ଲୋକମାନେ ଅସୁବିଧା ଭୋଗୁଛନ୍ତି। ଏ ସଂପର୍କରେ ସ୍ଥାନୀୟ ଅଧିବାସୀ ବନଜା ବାସିନୀ ତ୍ରିପାଠୀ କହିଛନ୍ତି, ସନ୍ଧ୍ୟାରେ ପ୍ରଧାନସାହିରୁ ସୁନ୍ଦରପଦା ୫ କିଲୋମିଟର ଯିବା ପାଇଁ ୧ଘଣ୍ଟାରୁ ଅଧିକ ସମୟ ଲାଗୁଛି। ରାସ୍ତାରେ ମଇଁଷି ଯିବା ଆସିବା ଯୋଗୁଁ ସମସ୍ୟା ଦେଖାଦେଉଛି। ଅନ୍ୟ ଜଣେ ଅଧିବାସୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି, ରାସ୍ତାରେ ବୁଲା ଗାଈ, ଷଣ୍ଢ, ବୁଲା କୁକୁରଙ୍କ ଦୈରାତ୍ମ୍ୟ ଅସମ୍ଭାଳ ହେଉଥିଲା ବେଳେ ଏବେ ଜନଗହଳିପୂର୍ଣ୍ଣ ଏହି ରାସ୍ତା ମଇଁଷିଙ୍କ ଚଲା ରାସ୍ତା ପାଲଟିଛି। କିନ୍ତୁ ଏହି ସମସ୍ୟାର ସମାଧାନ ଦିଗରେ ବିଡିଏ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ପରିତାପର ବିଷୟ। ଏ ସଂପର୍କରେ ବିଡିଏ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର