ଡ୍ରେନ୍‌ ନିର୍ମାଣ କରି ରାସ୍ତା ଖୋଳିଦେ‌ଲେ, ଯନ୍ତ୍ରଣା ଭୋଗୁଛନ୍ତି ଶିଶୁବିହାରବାସୀ

ଚନ୍ଦ୍ରଶେଖରପୁର: ଡ୍ରେନ୍‌ ନ ଥିବାରୁ ଲୋକେ ହନ୍ତସନ୍ତ ହେଉଥି‌ଲେ। ହଇରାଣ ହୋଇ ଘରୁ ବାହାରୁଥିଲେ। ବର୍ଷା ଦିନେ କାଦୁଅ ଭିତରେ ପଶି ଯାଉଥିଲେ। ଏନେଇ ବାରମ୍ବାର ଦାବି ପରେ ପ୍ରଶାସନର ନିଦ ଭାଙ୍ଗିଲା। ବର୍ଷକ ମଧ୍ୟରେ ଡ୍ରେନ୍‌ ନିର୍ମାଣ ସହ ଅବର୍ଜନା ପାଣି ଯେପରି ସୁବିଧାରେ ଯାଇପାରିବ ସେନେଇ ଡ୍ରେନ୍‌କୁ ସୁବ୍ୟବସ୍ଥିତ କରାଗଲା। ଡ୍ରେନ୍‌ ଯନ୍ତ୍ରଣାରୁ ସିନା ଲୋକେ ଆଶ୍ବସ୍ତି ଅନୁଭବ କଲେ। ହେଲେ ରାସ୍ତା ସମସ୍ୟା ଏବେ ପଟିଆ ଶିଶୁବିହାର ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି। ଘରୁ ଚାରି ଚକିଆ ଯାନ ବାହାର କରିବା ସମୟରେ ନାକେଦମ ଭୋଗୁଛନ୍ତି। ଭୁବନେଶ୍ବର ମହାନଗର ନିଗମରେ ରହୁଥିଲେ ମଧ୍ୟ ରାସ୍ତା ଏମିତି ହୋଇଛି ଯେ ଗୋଟିଏ ବାଇକ୍‌ ବି ଠିକ୍‌‌ ଭାବେ ଯାଇପାରିବ ନାହିଁ। ସମସ୍ୟା ନେଇ ଲୋକେ ଉଚ୍ଚପ୍ରଦସ୍ତ ଅଧିକାରୀଙ୍କ ନିକଟରେ ଏକାଧିକ ଥର ଦାବି ଉପସ୍ଥାପନ କରିଥିଲେ ମଧ୍ୟ ‌କେହି ଶୁଣୁନାହାନ୍ତି। ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ଡ୍ରେନ୍‌ ସମସ୍ୟା ଥିବାରୁ ବାରମ୍ବାର ଅଭିଯୋଗ କରାଯିବା ପରେ ୨୦୧୯ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କାମ କରୁଥିବା ସଂସ୍ଥା ଏହି ଡ୍ରେନ୍‌ ନିର୍ମାଣ ଲାଗି ଶିଶୁବିହାରରୁ କୋଏଲ କ୍ୟାମ୍ପସ୍‌କୁ ସଂଯୋଗ କରୁଥିବା ପିଚୁ ରାସ୍ତାକୁ ତାଡ଼ି ଡ୍ରେନ୍ ତିଆରି କରିଥିଲା। ଡ୍ରେନ୍‌ କାମ ଶେଷ ହେବା ପରେ କାମ କରୁଥିବା ସଂସ୍ଥା କିମ୍ବା ପୂର୍ତ୍ତ ବିଭାଗର ଅଧିକାରୀ କେହି ବି ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ। ରାସ୍ତା ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଲକ୍‌ଡାଉନ୍‌ରେ ଲୋକେ ଘରୁ ବାହାରୁ ନ ଥିବାରୁ ସେମିତି କିଛି ଅସୁବିଧା ହୋଇ ନ ଥିଲା। ତେବେ ଗତ ୩ ମାସ ହେଲା ଲୋକେ ଚଳପ୍ରଚଳ କରିବା ପରେ ଏବେ ସମସ୍ୟା ସୃଷ୍ଟି ହୋଇଛି। ଅଞ୍ଚଳର ପ୍ରାୟ ୧୫୦ରୁ ଅଧିକ ପରିବାର ଏଥିପାଇଁ ସମସ୍ୟାରେ ପଡ଼ୁଛନ୍ତି। କିଟ୍ କ୍ୟାମ୍ପସ୍ ଦିଗରେ ଯାତାୟାତ କରୁଥିବା ଲୋକଙ୍କୁ କଲେଜ ଛୁଟି ପରେ କ୍ୟାମ୍ପସ୍ ଫାଟକ ତାଲା ପଡ଼ିଯାଇ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ଲୋକ ୪ ଚକିଆ ଗାଡ଼ି ୫୦୦ ମିଟର ଦୂରରେ ପାର୍କିଂ କରି ଚାଲି ଚାଲି ଯାଉଛନ୍ତି। ଉନ୍ନୟନ ପରିଷଦର ରତିକାନ୍ତ ତ୍ରିପାଠୀ ଓ ଆୟୁଷ୍ମାନ ମହାପାତ୍ର କହିଛନ୍ତି ଯେ ବିଭିନ୍ନ କାରଣ ଲାଗି ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିଲା। ଏବେ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣ ହେଉ ନାହିଁ। ଭଲ ରାସ୍ତାକୁ ଖୋଳି ଖାଲଖମା କରି ଦିଆଯାଇଛି। ବର୍ଷେ ହେଲା ମରାମତି କରାଯାଇ ନ ଥିବାରୁ ଲୋକେ ହଇରାଣ ହେଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଚୁପ୍‌ ବସିବା ଠିକ୍‌ ନୁହେଁ।

ସମ୍ବନ୍ଧିତ ଖବର