ଖଣ୍ଡଗିରି: ମନ୍ଥର ନିର୍ମାଣ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ୱାର୍ଡ ନମ୍ବର ୬୩ର ଅଧିବାସୀ। ସ୍ବେରେଜ୍ କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା ରହିଛି। ଆଶା ଥିଲା, ନିର୍ବାଚନ ପରେ ୱାର୍ଡ ଚିତ୍ର ବଦଳିବ। ମାତ୍ର ଅବସ୍ଥା ପୂର୍ବ ଭଳି ରହିଥିବା କୁହାଯାଉଛି। ଜାଗମରା ଗାଁ ମେଳଣ ପଡ଼ିଆ ଗତ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ଥିଲା। ମାତ୍ର ନ୍ୟାୟାଳୟରେ ଏହା ବିଚାରାଧୀନ ରହିଛି।
ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଅନୁଯାୟୀ, ୨୦୦୫ ମସିହାରେ ଜାଗମରା ସିଦ୍ଧେଶ୍ବର ଯୁବକେନ୍ଦ୍ର ପ୍ରାଙ୍ଗଣରେ ମହାନଗର ନିଗମ ପକ୍ଷରୁ ଏକ ଚିକିତ୍ସାଳୟ ଖୋଲାଯାଇଥିଲା।
ସପ୍ତାହରେ ୩ ଦିନ ଡାକ୍ତର ଆସୁଥିଲେ। ମାତ୍ର ଏହାକୁ ସ୍ଥାୟୀ ଚିକିତ୍ସା କେନ୍ଦ୍ର କରିବା ବଦଳରେ ୨୦୦୯ ମସିହାରେ ବନ୍ଦ କରିଦିଆଗଲା। ତେଣୁ ନିକଟରେ ସ୍ବାସ୍ଥ୍ୟକେନ୍ଦ୍ର ନଥିବାରୁ କରୋନା ସମୟରେ ଟିକା ନେବା ପାଇଁ ଗ୍ରାମବାସୀମାନେ ବହୁ ହଇରାଣ ହେଲେ। ଏହି ସ୍ବାସ୍ଥ୍ୟକେନ୍ଦ୍ର ପୁନର୍ବାର ଖୋଲିବାକୁ ଦାବି ହେବାରୁ ଗତ ବିଏମ୍ସି ନିର୍ବାଚନରେ ସୁଜାତା ଛୋଟରାୟ ଏହା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ହୋଇପାରିନାହିଁ। ଦ୍ବିତୀୟତଃ କର୍ପୋରେଟର ଭିନ୍ନ ଏକ ୱାର୍ଡରେ ରହୁଥିବାରୁ ଲୋକମାନେ ଜରୁରୀ ସମୟରେ ତାଙ୍କ ପାଖକୁ ଯିବା ପାଇଁ ସମସ୍ୟା ହେଉଛି। ରାତି ଅଧିଆ ଶବ ଦାହ ସଂସ୍କାର ପାଇଁ ମୃତକଙ୍କ ପରିବାର କର୍ପୋରେଟରଙ୍କ ଏନ୍ଓସି ପାଇବାକୁ ଦହଗଞ୍ଜ ହେଉଛନ୍ତି।
ଏଥିପାଇଁ କର୍ପୋରେଟରଙ୍କ ପାଖକୁ ଯିବା ପାଇଁ ୫ କିଲୋମିଟର ଦୂର ଅତିକ୍ରମ କରିବାକୁ ପଡ଼ୁଛି। ବିଏମ୍ସିର ଆବର୍ଜନା ଗାଡ଼ି ଜାଗମରା ଗାଁ, ବରବାରି, କ୍ରିଷ୍ଣା ଗାର୍ଡେନ୍, ଜଗମୋହନନଗର ଅଞ୍ଚଳକୁ ପ୍ରତିଦିନ ଯାଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ତେବେ ସବୁଠୁ ବଳେଇ ପଡ଼ିଛି ସ୍ବେରେଜ୍ ଯନ୍ତ୍ରଣା। ବର୍ଷ ବର୍ଷ ହେଲା ହେଲା କାମ ଚାଲିଛି ଯେ ସରିପାରୁ ନାହିଁ। ୬ ମାସ ହେଲା କାମ ବନ୍ଦ ପରେ ଉପରସାହିରେ କାମ ଚାଲୁଛି। ଜଗମୋହନ ନଗର, ଆଇଟିଆର କଲେଜ ରାସ୍ତାରେ ଲୋକେ ମାସମାସ ହେଲା ହନ୍ତସନ୍ତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ ନାଳି ହୋଇପାରୁ ନାହିଁ। ବିଭିନ୍ନ ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନ୍ର ଚାମ୍ବର ମଧ୍ୟ ଧସିଗଲାଣି। ଏନେଇ ଅଭିଯୋଗ କରାଗଲେ ମଧ୍ୟ ମରାମତି ହେଉନାହିଁ। ତେଣୁ ମଇଳା ପାଣି ବାହାରି ରାସ୍ତାରେ ବହୁଛି। ଏଠାରେ ଥିବା ୨ଟି ପୋଖରୀର ସ୍ବଚ୍ଛତା ନେଇ ଦୂରଦୃଷ୍ଟିର ଅଭାବ ରହିଛି। ବର୍ଷା ଦିନରେ ପାଣି ନିଷ୍କାସନର ବ୍ୟବସ୍ଥା ନାହିଁ। ତେଣୁ ସାମାନ୍ୟ ବର୍ଷାରେ ଜଗମୋହନନଗର ପାଣି ଘର ଭିତରକୁ ଚାଲି ଆସୁଛି।
ଏହି ୱାର୍ଡରେ ପାର୍କ, କଲ୍ୟାଣ ମଣ୍ଡପ କିମ୍ବା ଉଠାଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ଦିଆଯାଇ ନାହିଁ। ସର୍ବୋପରି ଏହି ଅଞ୍ଚଳର ଅଧିକାଂଶ ଜମିରେ ଅନେକ ଘରୋଇ ଅନୁଷ୍ଠାନ ନିର୍ମାଣ ହୋଇଥିଲେ ମଧ୍ୟ ଏହାର ସୁଫଳ କିନ୍ତୁ ସ୍ଥାନୀୟ ଅଧିବାସୀ ପାଉନାହାନ୍ତି। ଏହି ଦିଗରେ ମଧ୍ୟ କର୍ପୋରେଟରଙ୍କ ପଦକ୍ଷେପର ଅଭାବ ରହିଥିବା ଅଭିଯୋଗ ହେଉଛି।
ରାସ୍ତା, ନାଳ ନିର୍ମାଣ ଚାଲିଛି, ପୋଖରୀ ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ
ସ୍ବେରେଜ୍ ନିର୍ମାଣ ମନ୍ଥର ଗତିରେ ଚାଲିଛି, ଏହା ସତ। ତେବେ ଜଗମୋହନନଗର ମୁଖ୍ୟ ରାସ୍ତା, ଜାଗମରା ଗାଁ ଏବଂ ବରବାରି ରାମମନ୍ଦିରଠାରୁ ଧର୍ମବିହାର ପର୍ଯ୍ୟନ୍ତ ସ୍ବେରେଜ୍ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବତନ କର୍ପୋରେଟରମାନଙ୍କ ଅପାରଗତା ଯୋଗୁଁ ଜାଗମରା ଗାଁରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ହୋଇପାରିଲା ନାହିଁ। କିନ୍ତୁ ଖୁବ୍ ଶୀଘ୍ର ଏଠାରେ ଏକ ୱେଲ୍ନେସ ସେଣ୍ଟର ହେବ। ପ୍ରକୃତ କଥା ହେଲା ୱାର୍ଡ ନମ୍ବର ୬୩ର ପାଖ ୱାର୍ଡ ନମ୍ବର ୬୨, ୬୫, ୨୩ ଏବଂ ୫୦ରେ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ତେଣୁ ଏହି ୱାର୍ଡରେ ଆଉ ଏକ ସ୍ବାସ୍ଥ୍ୟକେନ୍ଦ୍ର ହୋଇପାରିବ ନାହିଁ।
ପୂର୍ବ ବଜେଟ୍ରେ ୧ କୋଟି ଟଙ୍କାରେ ଧର୍ମବିହାର, ବରବାରି, ସିଦ୍ଧିବିହାରର ରାସ୍ତା ଏବଂ ନାଳା ନିର୍ମାଣ ସରିଛି। ଜାଗା ମିସନ ଅନ୍ତର୍ଗତରେ ତପୋବନ ବସ୍ତି-୨ରେ ୧୫ ଲକ୍ଷ ଟଙ୍କାରେ ରାସ୍ତା ଏବଂ ନାଳା ନିର୍ମାଣ ଅନୁମୋଦିତ ହୋଇଛି। ତେବେ କାର୍ଯ୍ୟାଦେଶ ମିଳିବାରେ ବିଳମ୍ବ ହେଉଛି। ଗତବର୍ଷ ଅଗଷ୍ଟରେ ୨ କୋଟି ଟଙ୍କାରେ ସୋଆ ବିଶ୍ବବିଦ୍ୟାଳୟରୁ ବରବାରିସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ଜାଗମରା ରାସ୍ତା ପାଇଁ ଟେଣ୍ଡର ସରିଛି। କିନ୍ତୁ ବିଏମ୍ସି ପକ୍ଷରୁ କାର୍ଯ୍ୟାଦେଶ ମିଳିନି। ଜାଗମରା ପୋଖରୀ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଶୀଘ୍ର ହେବ। ପଡ଼ିଆରେ ଜଗିଂ ଟ୍ରାକ୍ ଏବଂ ଜିମ୍ ପାଇଁ ପ୍ରସ୍ତାବ ଅଛି। ତପୋବନ ବସ୍ତି, ଜଗମୋହନ ନଗର ସମେତ ୩ଟି ସ୍ଥାନରେ ପାର୍କ ନିର୍ମାଣ କରାଯାଉଛି। ମୋ ଘର ୱାର୍ଡ ନମ୍ବର ୬୩ର ପାଖରେ ରହିଛି। ମୁଁ ଦିନତମାମ ୱାର୍ଡ ୬୩ରେ ରହେ।
-ସୁଜାତା ଛୋଟରାୟ, କର୍ପୋରେଟର