ଡୁପ୍ଲେକ୍ସ ଦେବାକୁ କହି କୋଟିଏରୁ ଊର୍ଦ୍ଧ୍ବ ଠକେଇ, ଆର୍‌.କେ ମାନ୍‌ସନ୍‌ ଏମ୍‌ଡି ଗିରଫ

ଭୁବନେଶ୍ୱର : ନଖରା ପାଖରେ ଡୁପ୍ଲେକ୍ସ ଦେବାକୁ କହି ପାଖାପାଖି କୋଟିଏ ଟଙ୍କା ଠକିଥିବା ଜଣେ ଠକକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୁଲିସ। ସେ ହେଉଛି, ହାଇଟେକ୍ ପ୍ଲାଜାରେ ରହୁଥିବା ଆର୍‌.କେ ମାନ୍‌ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ଜମେଶ୍ବର ନାଥ ଶର୍ମା(୩୯)। ୨୦୧୫ ମସିହାରୁ ପାଖାପାଖି ୩୬ଜଣଙ୍କଠାରୁ ସେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି। କୋର୍ଟରେ ଚନ୍ଦ୍ରଶେଖରପୁରର ରାଜେଶ ଦାସଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତକୁ ନୋଟିସ୍‌ ଜାରି ହୋଇଥିଲା। ହେଲେ କୋର୍ଟଙ୍କ ନୋଟିସ୍‌ ଖାତିର ନ କରି ସେ ହାଜର ନ ହେବାରୁ ତା’ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଥିଲା।

ସୂଚନା ମୁତାବକ, ପଟିଆ ବଜରଙ୍ଗ ବିହାରରେ ଅଭିଯୁକ୍ତ ଜମେଶ୍ବର ଆର୍‌.କେ ମାନ୍‌ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ସଂସ୍ଥା ‌ଖୋଲିଥିଲା। ଏହି ସଂସ୍ଥା ଜରିଆରେ ସେ ନଖରା ପାଖରେ ଜମି ନେଇ ଡୁପ୍ଲେକ୍ସ ଯୋଗାଇବା ପାଇଁ ଘୋଷଣା କରିଥିଲା। ଏହି ସ୍କିମ୍‌ରେ ଡୁପ୍ଲେକ୍ସ ପାଇବା‌ ପାଇଁ ରାଜେଶ ୨୦୧୫ ମସିହାରେ ୩୫ ଲକ୍ଷ ଟଙ୍କା ଜମା କରିଥିଲେ। ୨୦ ଦିନ ଭିତ‌ରେ ଜମି ପଞ୍ଜୀକୃତ ହେବା ସହ ଡୁପ୍ଲେକ୍ସ ନିର୍ମାଣ ଆରମ୍ଭ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲା। ହେଲେ ନା ଜମି ପଞ୍ଜୀକରଣ କରିଥିଲା ନା ଡୁପ୍ଲେକ୍ସ ନିର୍ମାଣ କରିଥିଲା। ଏଥିରେ ହତାଶ ହୋଇ ରାଜେଶ ପୁଲିସର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଅଭିଯୁକ୍ତକୁ ଡାକି ରୁଦ୍ଧଦ୍ବାର ବୈଠକ କରିଥିଲା। ହେଲେ ଗିରଫ କରିନଥିଲା। ବରଂ ସେ ଜମି ସହ ଘର ତିଆରି କରି ଦେବ ବୋଲି କହି ରାଜେଶଙ୍କୁ ଫେରାଇବା ସହ ଅଭିଯୁକ୍ତକୁ ଛାଡ଼ି ଦେଇଥିଲା। ଏହାପରେ ଅଭିଯୁକ୍ତ ଅଫିସ୍‌କୁ ସେଠାରୁ ହଟାଇଦେଇଥିଲା। ଜମେଶ୍ବର ଭୀମଟାଙ୍ଗିରେ ନୂଆ ଅଫିସ୍‌ ଖୋଲିଥିଲା। ଏଠାରେ ଆରକେ ସିକିଓର ଭବିଷ୍ୟ ମ୍ୟାନେଜ୍‌ମେଣ୍ଟ ନାମରେ ଆଉ ଏକ ସଂସ୍ଥା ଖୋଲିଥିଲା। ଏଥିରେ ଲୋକଙ୍କ ଠାରୁ ଟଙ୍କା ଜମା ନେଇ କମ୍‌ ଦିନରେ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲା। ନୂଆ ଅଫିସ୍‌ ଖୋଜି ଖୋଜି ରାଜେଶ ଭୀମଟାଙ୍ଗିରେ ପହଞ୍ଚିବା ପରେ ସେଠାରେ ୩୬ ଜଣ ଜମାକାରୀ ଏଭଳି ହତାଶ ହୋଇଥିବା ଦେଖିଥିଲେ। ଶେଷରେ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା। ହେଲେ ସେଠାରେ ମଧ୍ୟ ଅଭିଯୁକ୍ତକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିଲା। ଶେ‌ଷରେ ରାଜେଶ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟରୁ ୱାରେଣ୍ଟ ଜାରି ହେବା ପରେ ପୁଲିସ ଗିରଫ କରିବାକୁ ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର