ଜାଗା ଦେବାକୁ କହି କୋଟିଏ ଠକେଇ, ବନ୍ଧା ହେଲେ ବିଲ୍ଡର

ଭୁବନେଶ୍ୱର : ସଁପୁର ମୌଜାରେ ଘରବାରି ଜାଗା ଯୋଗାଇ ଦେବାକୁ କହି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ସଂଯୋଗ ଇଷ୍ଟକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରୋପ୍ରାଇଟର୍‌ ନିର୍ବିକାର ନନ୍ଦକୁ ସହିଦ ନଗର ଥାନା ପୁଲିସ ଗିରଫ କରିଛି। ଦୀର୍ଘ ୬ ମାସ ଧରି ଫେରାର୍‌ ରହିବା ପରେ ଗତ ରାତିରେ ଭୁବନେଶ୍ବର ଆସୁଥିବା ବେଳେ ତାକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ୪୫ଜଣଙ୍କୁ ସେ ଏଭଳି ଠକିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି। ତଦନ୍ତ ଚାଲିଛି, ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କିମ୍ବା ଆଉ କାହାଠାରୁ ଏଭଳି ଠକିଛି ତାହା ଖୋଜା ଚାଲିଥିବା ମାମଲା ତଦନ୍ତକାରୀ ଅଧିକାରୀ ପଦ୍ମଚରଣ ଭଟ୍ଟ କହିଛନ୍ତି।

ସୂଚନା ମୁତାବକ, ଭୁବନେଶ୍ବର ବାୟାବାବା ମଠ ଲେନ୍‌ରେ ସଂଯୋଗ ଇଷ୍ଟକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ରହିଛି। ଏହାର ପ୍ରୋପ୍ରାଇଟର କଟକ ନୟାବଜାରର ନିର୍ବିକାର ଖଣ୍ଡଗିରି ଅଞ୍ଚଳରେ ଥିବା ସଁପୁର ମୌଜାରେ ଘରବାରି ଜାଗା ଯୋଗାଇଦେବା ପାଇଁ ବିଭିନ୍ନ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲେ। ଏଥିରେ ସେ ୪୫ଜଣଙ୍କଠାରୁ ପାଖାପାଖି ଏକ କୋଟି ଜମା ନେଇଥିଲେ। ଜମା ନେବା ପରେ ଜମାକାରୀଙ୍କୁ ଜମି ଦେଇନଥିଲେ। ଆଜିକାଲି କହି ସମୟ ଗଡ଼ାଇ ଚାଲିଥିଲେ। କିଛି ଦିନ ପରେ କର୍ମଚାରୀମାନେ ନିର୍ବିକାରଙ୍କୁ ଭେଟିବା ପାଇଁ ଆଉ ସୁଯୋଗ ଦେଇନଥିଲେ। ଏଣୁ ଜମାକାରୀମାନଙ୍କର ସନ୍ଦେହ ହୋଇଥିଲା। ସେମାନେ ବୁଝାବୁଝି କରିବା ପରେ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡ଼ିଥିଲା। ଜମି ନେବାପାଇଁ ୧୦ ଲକ୍ଷ ଟଙ୍କା ଜମା କରିଥିବା ଚନ୍ଦ୍ରଶେଖରପୁରର ଜ୍ୟୋତ୍ସ୍ନାରାଣୀ ସାହୁ ସହିଦ ନଗର ଥାନାର ଦ୍ବାରସ୍ଥ ହୋଇଥି‌ଲେ।

ସମ୍ବନ୍ଧିତ ଖବର