ଫ୍ଲାଟ୍‌ ବିକ୍ରି ବାହାନାରେ ୨ କୋଟି ଚଳୁ, ବିଲଡର୍‌ ଗିରଫ

ଖଣ୍ଡଗିରି : ରାଜଧାନୀରେ ଫ୍ଲାଟ ବିକିବା ବାହାନାରେ ୬ ଜଣଙ୍କୁ ଚୂନ ଲଗାଇ ୨ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ବିଲ୍ଡରଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ, ଶୈଳଶ୍ରୀବିହାରରେ ରହୁଥିବା ଖୋର୍ଧା ବେଗୁନିଆର ଶୁଭେନ୍ଦୁ ଦାସ(୪୬)।

ପୁଲିସ ସୂଚନାନୁସାରେ, ୨୦୧୩ ମସିହାରେ ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ଅଭିଯୁକ୍ତ ଶୁଭେନ୍ଦୁ ଶୁଭାଦିତ୍ୟ ବିଲ୍ଡ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କନ୍‌ଷ୍ଟ୍ରକସନ୍‌ କାର୍ଯ୍ୟାଳୟ ଖୋଲିଥିଲେ। ପଳାସୁଣିରେ ଏକ ହାଉସିଂ ପ୍ରକଳ୍ପ କରୁଥିବା ନେଇ ବିଜ୍ଞାପନ ଦେଇଥିଲେ। ୨ ବିଏଚ୍‌କେ ଓ ୩ ବିଏଚ୍‌କେ ବିଶିଷ୍ଟ ୬ଟି ଫ୍ଲାଟ ବିକିବା ପାଇଁ ସେ ୬ ଜଣ ଗ୍ରାହକ ପାଇଥିଲେ। ଏହି ୬ ଜଣଙ୍କ ମଧ୍ୟରେ ଖାରବେଳ ନଗର ମଧୁସୂଦନ ନଗରର ଇନ୍ଦିରା ଶତପଥୀ ଥିଲେ। ଇନ୍ଦିରାଙ୍କ ଅଭିଯୋଗ ଅନୁସା‌ରେ, ୨୦୧୩ ମସିହାରେ ସେମାନେ ଅଭିଯୁକ୍ତ ଶୁଭେନ୍ଦୁ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲେ ଓ ୨୦୧୫ ଶେଷ ସୁଦ୍ଧା ଘର ହସ୍ତାନ୍ତର କରିବାକୁ ଚୁକ୍ତି ହୋଇଥିଲା। ପର୍ଯ୍ୟାୟକ୍ରମେ ସେମାନେ ୨୦୧୫ ପୂର୍ବରୁ ୨ କୋଟି ୭ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ୪ ବର୍ଷ ବିତିବା ପରେ ବି ଶୁଭେନ୍ଦୁ ସେମାନଙ୍କୁ ଘର ଦେଇନଥିଲେ। ଆଜିକାଲି କହି ବିଭିନ୍ନ ବାହାନାରେ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ସେ ଆଉ ଧରାଛୁଆଁ ଦେଲେ ନାହିଁ। ବରମୁଣ୍ଡା କାର୍ଯ୍ୟାଳୟ ବହୁ ସମୟରେ ବନ୍ଦ ରହୁଥିଲା। ତେଣୁ ଠକାମିର ଶିକାର ହୋଇଥିବା ଅନୁଭବ କରିବା ପରେ ଇନ୍ଦିରାଙ୍କ ସହ ଅନ୍ୟ ୫ ଜଣ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର