ପ୍ଲଟ୍‌ ବିକିବା ବାହାନାରେ ଠକାମି, ବିଲ୍‌ଡର ଗିରଫ

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଶସ୍ତାରେ ଜମି ଯୋଗାଇବାକୁ କହି ଲୋକଙ୍କୁ ଠକୁଥିବା ଜଣେ ବିଲ୍‌ଡର୍‌କୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ମଞ୍ଚେଶ୍ବର ଥାନା ନହରକଣ୍ଟା ଅଞ୍ଚଳର ନବକିଶୋର ନାୟକ(୫୫)। ୬ ଜଣଙ୍କଠାରୁ ସେ ପ୍ରାୟ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଆଗକୁ ତା’ ବିରୋଧରେ ଆହୁରି କିଛି ଅଭିଯୋଗ ଆସିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।

ପୁଲିସ ସୂଚନାନୁସାରେ ୫ ବର୍ଷ ପୂର୍ବେ ନବ କିଶୋର ବଡ଼ଗଡ଼ ଅଞ୍ଚଳରେ ଏକ ବିଲ୍‌ଡର ସଂସ୍ଥା ଆରମ୍ଭ କରିଥିଲା। ରାଜଧାନୀ ଉପକଣ୍ଠରେ ଶସ୍ତାରେ ପ୍ଲଟ୍‌ ଦେବାକୁ ଲୋଭ ଦେଖାଇ ଗ୍ରାହକ ଯୋଗାଡ଼ କରିଥିଲା। ଗ୍ରାହକଙ୍କୁ ଚନ୍ଦକା, ଧଉଳି, ପାହାଳ, ଖଣ୍ଡଗିରି ଆଦି ଅଞ୍ଚଳକୁ ନେଇ ଖାଲି ପଡ଼ିଥିବା ପ୍ଲଟ୍‌ ଦେଖାଇ ପ୍ରଲୋଭିତ କରୁଥିଲା।‌ ଗତ ୨୦୧୧ ମସିହାରେ ବଡ଼ଗଡ଼ ପାଣ୍ଡବନଗର ଅଞ୍ଚଳର ଗୋଲାପ ସାମଲଙ୍କୁ ଚନ୍ଦକା ସୁନ୍ଦରପୁର ଅଞ୍ଚଳରେ ଜମି ଦେଖାଇଥିଲା। ଅଗ୍ରୀମ ଆକାରରେ ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇଥିଲା। ଏମିତି ପାଖାପାଖି ୬/୭ଜଣଙ୍କ ଲୋକଙ୍କ ଠାରୁ ୧୫ ଲକ୍ଷରୁ ଊର୍ଧ୍ବ ଟଙ୍କା ଉଠାଇଥିଲା। ଟଙ୍କା ଗଣିବା ପରେ ଗ୍ରାହକମାନେ ତା’ ପାଖକୁ ଧାଉଁଥିଲେ ବି ନାନା ବାହାନା ଦେଖାଇ ସେ ଦିନ ଗଡ଼ାଇ ଚାଲିଥିଲା। ଏହା ଭିତରେ ୧୦ ବର୍ଷ ବିତି ଯାଇଥିଲେ ବି ସେ ଜମି ଦେଲା ନାହିଁ କି ଟଙ୍କା ଫେରାଇ ନେବାକୁ ଇଛା କରୁଥିବା ଲୋକଙ୍କୁ ଟଙ୍କା ଦେଲାନାହିଁ। ଗୋଲାପ ଟଙ୍କା ଫେରସ୍ତ ମାଗି ଜିଦ୍‌ କରିବାରୁ ସେ ପାଲଟା ଧମକଚମକ ଦେଲା। ଏନେଇ ଗୋଲାପ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ଆଜି ପୁଲିସ ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର