ଅନ୍ୟ ସଂସ୍ଥା ନାମରେ କୋଟିଏ ନେଇଗଲେ : ୩ ବର୍ଷ ପରେ ବିଲ୍ଡର ସ୍ବାମୀ ଗିରଫ, ପତ୍ନୀ ଫେରାର

ଭୁବନେଶ୍ବର : ଏକ ସଂସ୍ଥାର କାଗଜପତ୍ର ଓ ଦସ୍ତଖତ ଜାଲିଆତି କରି କୋଟିଏ ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ବିଲ୍ଡର ସ୍ବାମୀକୁ ଗିରଫ କରିଛି। ପତ୍ନୀ ଫେରାର ଅଛି। ୨୦୧୭ ମସିହାରେ ହୋଇଥିବା ଅଭିଯୋଗର ୩ ବର୍ଷ ପରେ ଗିରଫ ହୋଇଥିବା ବିଲ୍ଡର ହେଉଛି ଆଇଆରସି ଭିଆଇପି ଏରିଆରେ ରହୁଥିବା ଚନ୍ଦ୍ରଶେଖରପୁରର ଉଦୟଶଙ୍କର ସାହୁ। ଆଜି ଅପରାହ୍ନ ୨ଟା ବେଳେ ତାକୁ ନୂଆପଲ୍ଲୀ ଭିଆଇପି ଏରିଆରୁ ଗିରଫ କରାଯାଇଛି। ଏହି ଅଭିଯୋଗରେ ଉଦୟର ପତ୍ନୀ ଫେରାର ରହିଛି। ୨୦୧୭ ମସିହାରେ ଉଦୟ ସଂସ୍ଥାର ଦୁଇଜଣ କର୍ମଚାରୀ ଗିରଫ ହୋଇ ଜେଲ୍‌ ଯାଇଥିଲେ।

ସୂଚନା ମୁତାବକ, ଯାଜପୁର ସୁକିନ୍ଦା ଜେମାଦେଈପୁରର ପ୍ରମୋଦିନୀ ସାହୁ ଖଣ୍ଡଗିରି ସୋମନାଥ ଭିଲ୍ଲାରେ ଥିବା ନନ୍ଦନ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ଅଛନ୍ତି। ଏହି ସଂସ୍ଥାରେ ଉଦୟର ପତ୍ନୀ ଅନୀତା ସ୍ବାଇଁ ନିର୍ଦ୍ଦେଶିକା ରହିଥିଲେ। ନିର୍ଦ୍ଦେଶିକା ଥିବା ବେଳେ ସେ ଏହି ସଂସ୍ଥାର କାଗଜପତ୍ର ବ୍ୟବହାର କରିବା ସହ ପ୍ରମୋଦିନୀଙ୍କ ଦସ୍ତଖତ ଜାଲ କରିଥିଲେ। ଏହି ଜାଲ୍‌ କାଗଜପତ୍ର ବଳରେ ସେ ସଂସ୍ଥାର ଏକ କୋଟି ୧୧ ଲକ୍ଷ ଟଙ୍କା ହଡପ କରିଥିଲେ। ଏ ସବୁ ଅର୍ଥ ଉଦୟଙ୍କ ସଂସ୍ଥା ପୁରୁଷୋତ୍ତମ ଇନ୍‌ଫ୍ରାଷ୍ଟ୍ରକଚରରେ ଲାଗିଥିଲା। ୨୦୧୭ ମସିହାରେ ପ୍ରମୋଦିନୀ ଏହି ଠକେଇ ବାବଦରେ ଜାଣିବା ପରେ ସେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ କରିବା ସହ ଦୁଇଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା‌। ଉଦୟ ଓ ପତ୍ନୀ ଏହି ଏତଲାକୁ ବିରୋଧ କରିବା ସହ ତାଙ୍କର କିଛି ଦୋଷ ନ ଥିବା ଦର୍ଶାଇ କୋର୍ଟ ଯାଇଥିଲେ। କିନ୍ତୁ ଗତ ଡିସେମ୍ବରରେ ପତି-ପତ୍ନୀଙ୍କୁ ଗିରଫ କରିବା ପାଇଁ କୋର୍ଟ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର