ଭୁବନେଶ୍ବର: ବିଲ୍‌ଡର ସସ୍ମିତ ବିଶ୍ବାଳ ଓରଫ ଚିନୁ ହତ୍ୟା ମାମଲାରେ ଏୟାର୍‌ଫିଲଡ୍ ଥାନା ଆଜି ତିନିଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍‌ ତଥା ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ସୁକାନ୍ତ ବେହେରା, ଗୁଲୁ ମହାନ୍ତି ଓ ମନୋଜ ବେହେରା। ସୁକାନ୍ତ କମିସନରେଟ୍‌ ପୁଲିସରେ ହୋମ୍‌ଗାର୍ଡ ଭାବେ କାମ କରୁଥିଲା। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ୪ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି। ଚିନୁଙ୍କ ଜୀବନପ୍ରତି ବିପଦ ଥିବା ନେଇ ପୁଲିସ ଭଲ ଭାବେ ଜାଣିଥିଲେ ମଧ୍ୟ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଥିବାରୁ ରାଜଧାନୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିନ ଦିପ‌ହରେ ଜଣଙ୍କୁ ଜନଗହଳିପୂର୍ଣ୍ଣ ରାସ୍ତାରୁ ଟେକିନେଇ କାଜୁ ଜଙ୍ଗଲରେ ନୃଶଂସ ଭାବେ ପିଟିପିଟି ହତ୍ୟା କରାଯାଇଥିଲେ ମଧ୍ୟ ପୁଲିସ କିଭଳି ସାମାନ୍ୟତମ ସୁରାକ ପାଇଲା ନାହିଁ, ସେନେଇ ପ୍ରଶ୍ନ ଉଠିଛି। ହତ୍ୟାକାରୀମାନେ ପୁଲିସ ସମ୍ମୁଖରେ ଧମକ ଦେଲେ ଏବଂ ମାତ୍ର କିଛି ମିନିଟ୍‌ରେ ପରେ ଦେଇଥିବା ଧମକକୁ କାମରେ ଦେଖେଇଦେଲେ। ଅଥଚ ପୁଲିସ କିଭଳି କିଛି ଜାଣିପାରିଲା ନାହିଁ, ତାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।    

Advertisment

ଜୀବନ ଯିବା ଯାଏ ପିଟି ଚାଲିଥିଲେ

ରାସ୍ତାରୁ କାଜୁ ଜଙ୍ଗଲକୁ ଟେକିନେଲେ
ଚିନୁ ଜଟଣୀ ଯାଉଥିବା ଜାଣି ସୁକାନ୍ତ ଓ ଟୁଲୁ ମହାନ୍ତି ଫୋନ୍‌ କରି ଗୁଲୁ( ଟୁଲୁର ସାନ ଭାଇ)କୁ କହିଥିଲା। ଗୁଲୁ ଓ ମନୋଜ ଅନ୍ୟ ୫/୬ଜଣଙ୍କୁ ଧରି ଜାମୁକୋଳି କାଜୁ ଜଙ୍ଗଲ ନିକଟରେ ଛକି ରହିଥିଲେ। ଚିନୁଙ୍କୁ ଦେଖିବା ମାତ୍ରେ ସେମାନେ ତାଙ୍କୁ ଜଙ୍ଗଲ ଭିତରକୁ ଉଠାଇନେଇ ପ୍ରବଳ ମାଡ଼ ମାରିଥିଲେ। ଅତି ନୃଶଂସ ଭାବେ ରଡ୍‌ ଓ କାଠଫାଳିଆରେ ଜୀବନ ଯିବା ଯାଏ ପିଟି ଚାଲିଥିଲେ। ନିର୍ଘାତ୍ ମାଡ଼ରେ ଟୁଲୁଙ୍କ ଦୁଇ ହାତ ଓ ଦୁଇ ଗୋଡ଼ର ହାଡ଼ ସବୁ ଚୂନା ହୋଇଯାଇଥିଲା। ଫଳରେ ବଡ଼ କଲବଲ ଅବସ୍ଥାରେ ଚିନୁଙ୍କ ମୃତ୍ୟୁ ହୋଇଯାଇଥିଲା। 
ହତ୍ୟା ଅଭିଯୁକ୍ତମା‌ନେ ପୂର୍ବରୁ ଅପରାଧୀ
ହୋମ୍‌ଗାର୍ଡ ସୁକାନ୍ତ ନାଁରେ ଏୟାର୍‌ଫିଲ୍‌ଡ ଥାନାରେ ପୂର୍ବରୁ ୨ ମାମଲା ରହିଛି। ସେହିପରି ମନୋଜ ଓ ଗୁଲୁ ବିରୋଧରେ ଏକାଧିକ ମାମଲା ଅଛି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଡିସିପି ଜଗମୋହନ ମୀନା କହିଛନ୍ତି ଯେ ଜମିବାଡ଼ି କାରବାରଜନିତ ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ପୁଲିସ ଟିମ୍‌ ଚଢ଼ଉ ଚଳାଇଛି ଏବଂ ଖୁବ୍‌ ଶୀଘ୍ର ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯିବ।

ପ୍ରଧାନସାହିରେ ବିଲ୍‌ଡର ଚିନୁଙ୍କର ଜମି ରହିଛି ଏବଂ ସେ ପ୍ଲଟିଂ ସ୍କିମ୍‌ରେ ଜମି ବିକ୍ରି କରନ୍ତି। ଏକଦା ପ୍ରଧାନସାହିର ଟୁଲୁ ମହାନ୍ତି ଓ ବିଲ୍‌ଡର ଚିନୁ ପାର୍ଟନର୍‌ ଥିଲେ। କିଛି ଦିନ ପୂର୍ବରୁ ହୋମ୍‌ଗାର୍ଡ ସୁକାନ୍ତଙ୍କଠାରୁ ୩୯ ଲକ୍ଷ ଟଙ୍କାରେ ଚିନୁ ଏକ ପ୍ଲଟ୍‌ କିଣିଥିଲେ। ଏହି କିଣାବିକା ବେଳେ ଚିନୁ ଅନ୍ୟ ଏକ ପ୍ଲଟ୍‌କୁ ତାଙ୍କ ଜମିରୁ ରାସ୍ତା ପାଇଁ ଜମି ଛାଡ଼ିବେ ବୋଲି ଚୁକ୍ତି ହୋଇଥିଲା। ଏହି ଚୁକ୍ତିପତ୍ରରେ ଟୁଲୁ ମହାନ୍ତି ସାକ୍ଷୀ ଥିଲେ। କିନ୍ତୁ ପରେ ଜମି ରେଜିଷ୍ଟ୍ରେସନ୍‌ ଓ ରାସ୍ତା ପାଇଁ ଜମି ଛାଡ଼ିବା ପ୍ରସଙ୍ଗ ବିବାଦୀୟ ହୋଇପଡ଼ିଥିଲା। ତେଣୁ ବିଲ୍‌ଡର ଚିନୁ ତାଙ୍କ ପାର୍ଟନର୍‌ ଥିବା ଟୁଲୁ ମହାନ୍ତିଙ୍କୁ ତାଙ୍କ ବ୍ୟବସାୟରୁ ବାହାର କରିଦେଇଥିଲେ। ଫଳରେ ବିବାଦ ଆହୁରି ବଢ଼ିଯାଇଥିଲା। ହଇରାଣ କରିବା ପାଇଁ ଟୁଲୁ ମହାନ୍ତି ଓ ହୋମ୍‌ଗାର୍ଡ ସୁକାନ୍ତ, ଚିନୁଙ୍କ ପ୍ଲଟ୍‌କୁ ରାସ୍ତା ବନ୍ଦ କରି ପାଚେରି କରାଇଥିଲେ। ଏଥିପାଇଁ ସେମାନେ ଚିନୁଙ୍କ ଇଟା ଚୋରି କରିଥିଲେ। ଏନେଇ ଚିନୁ ଏୟାର୍‌ଫିଲ୍‌ଡ ଥାନାରେ ଜଣାଇବା ପରେ ପୁଲିସ ସୁକାନ୍ତ ଓ ଟୁଲୁ ମହାନ୍ତିଙ୍କୁ ଡାକି ତାଗିଦ କରିଥି‌ଲା ଏବଂ ଇଟା ଫେରାଇବାକୁ କହିଥିଲା। ଗତକାଲି ସେମାନେ ପୁଲିସ ଉପସ୍ଥିତିରେ ଚିନୁଙ୍କ ଇଟା ଫେରାଇଥିଲେ। ଚିନୁ ଇଟା ଜିମା ନେଉଥିବା ବେଳେ ମଧ୍ୟ ସୁକାନ୍ତ ଓ ଟୁଲୁ ତାଙ୍କୁ ଧମକ ଦେଇଥିଲେ। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ପୁଲିସ ଚିନୁଙ୍କୁ ଘଟଣାସ୍ଥଳରୁ ଚାଲିଯିବା ପାଇଁ କହିଥିଲା। ତେଣୁ ପୁଲିସ କଥା ମାନି ଚିନୁ ସେଠାରୁ ଚାଲିଯାଇଥିଲେ ଏବଂ ତହସିଲ କାର୍ଯ୍ୟାଳୟରେ କିଛି କାମ ଥିବାରୁ ଜଟଣୀ ଅଭିମୁଖେ ବାହାରିଥିଲେ।