ଭୁବନେଶ୍ବର: ବହୁ ଲୁଚକାଳି ପରେ ଶେଷରେ ଶାରଳା ରିଏଲକନ୍ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ଗୟାଧର ଜେନା ଗିରଫ ହୋଇଛି। ଜମି ବିକ୍ରି ନାମରେ ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗୟାଧର ନାମରେ ବିଭିନ୍ନ ଥାନାରେ ୨୨ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅଭିଯୋଗକାରୀ ଗୌରାଙ୍ଗ ସେନାପତି ତାଙ୍କ ନିକଟରୁ ଏକ ଜମି କିଣିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ସେ ଶାରଳା ରିଏଲକନ୍ର ମାଲିକ ଗୟାଧର ଜେନାଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ୧୨ଲକ୍ଷ ଟଙ୍କାରେ ଏକ ଜମି ଶ୍ରୀ ଜେନା ଅଭିଯୋଗକାରୀ ଶ୍ରୀ ସେନାପତିଙ୍କୁ ବିକିବାକୁ ସ୍ଥିର ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ, ଗତ ୨୦୨୧ ମସିହା ଜୁଲାଇ ୨ ତାରିଖ ଦିନ ଶ୍ରୀ ସେନାପତି ଅଗ୍ରୀମ ବାବଦକୁ ୩୦,୦୦୦ ଟଙ୍କା ନଗଦ ଆକାରରେ ଦେଇଥିବା ବେଳେ, ବାକି ୧୧,୭୦,୦୦୦ ଟଙ୍କା ଭିନ୍ନଭିନ୍ନ ତାରିଖରେ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଶ୍ରୀ ଜେନାଙ୍କୁ ପ୍ରଦାନ କରିଥିଲେ।
ସମସ୍ତ ଟଙ୍କା ପାଇ ସାରିବା ପରେ ଶ୍ରୀ ଜେନା ଓ ଶ୍ରୀ ସେନାପତିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। କିନ୍ତୁ ଟଙ୍କା ନେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଶ୍ରୀ ଜେନା ଅଭିଯୋଗକାରୀ ଶ୍ରୀ ସେନାପତିଙ୍କ ନାମରେ କୌଣସି ଜମି ପଞ୍ଜୀକରଣ କରିନଥିଲେ। ବରଂ ନେଇଥିବା ଟଙ୍କା ଫେରାଇବା ଲାଗି କହିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନାନା ପ୍ରକାର ଧମକ ଦେଇଥିଲେ। ଏନେଇ ଅଭିଯୋଗକାରୀ କୋର୍ଟର ଦ୍ବାରାସ୍ଥ ହୋଇଥିଲେ। କୋର୍ଟ ମାମଲାର ତଦନ୍ତ ପାଇଁ ସହିଦନଗର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଏହି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଗୟାଧର ଜେନାଙ୍କ ନାମରେ ବିଭିନ୍ନ ଥାନାରେ ୨୨ଟି ରୁ ଅଧିକ ଅପରାଧିକ ମାମଲା ରହିଛି।