ହନିଟ୍ରାପ୍ରେ ବିଲଡର୍: ଦାମୀ ଗାଡ଼ି, ମୋବାଇଲ ଲୁଟିନେଲେ
୨ ଗିରଫ, ୩ ଫେରାର୍, ମାଷ୍ଟରମାଇଣ୍ଡ ‘କଲର ପିଣ୍ଟୁ’
ଭୁବନେଶ୍ବର: ଜଣେ ବିଲଡର୍ଙ୍କୁ ହନିଟ୍ରାପ୍ରେ ଫସାଇ ତାଙ୍କ କାର୍ ଓ ମୋବାଇଲ୍ ଲୁଟିନେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ୍ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ୟୁନିଟ୍-୮ ଅଞ୍ଚଳରେ ରହୁଥିବା ଗଞ୍ଜାମ ଆସିକାର ଅମର ସେନାପତି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ମନୋଜ ଗୌଡ଼। ତେବେ ଏହି ଅପରାଧରେ ସାମିଲ ଥିବା ଜଣେ ଯୁବତୀଙ୍କ ସମେତ ୩ଜଣ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି। ଠକେଇର ଶିକାର ହୋଇଥିବା ବିଲ୍ଡର୍ଜଣଙ୍କ ହେଲେ, ଅନୁଗୁଳ ତାଳଚେରର ବିଲ୍ଡର ରଥୀ ଅଳଙ୍କାର ସିଂହ। ପୁଲିସ୍ ସୂଚନା ମୁତାବକ, ଧନୀ ଲୋକଙ୍କୁ ଫସାଇ ଟଙ୍କା ଲୁଟ୍ କରିବା ପାଇଁ ଏହି ଅଭିଯୁକ୍ତମାନେ ଏକ ଗ୍ୟାଙ୍ଗ୍ ଚଳାଇଥିଲେ। ରସିକିଆ ଓ ପଇସାବାଲା ଲୋକ ଦେଖି ଜାଲ ବିଛାଉଥିଲେ। ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ବଶ କରିବା ପରେ ମନୋଜ ରହୁଥିବା ଚନ୍ଦ୍ରଶେଖରପୁର ଭଡ଼ା ଘରକୁ ନେଇ ଲୁଟ୍ କରୁଥିଲେ। ଅନେକେ ଲୋକଲଜ୍ଜାକୁ ଡରି ଅଭିଯୋଗ କରୁନଥିବାରୁ ଏମାନଙ୍କ କାରନାମା ପଦାକୁ ଆସି ପାରୁନଥିଲା। ତେବେ ରଥୀଙ୍କ ଭଳି ଆଉ କେତେଜଣ ଏହି ଗ୍ୟାଙ୍ଗ୍ର ଶିକାର ହୋଇଛନ୍ତି, ସେ ନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, ଗତ ୧୩ ତାରିଖରେ ରଥୀ ଜଣେ ରୋଗୀଙ୍କୁ ଦେଖା କରିବାକୁ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ। ସେ ହସ୍ପିଟାଲରେ ଥିବା ବେଳେ ଅମର ତାଙ୍କୁ ଫୋନ୍ କରିଥିଲା। ଅନୁଗୁଳର ଜଣେ ବନ୍ଧୁ ବୋଲି ପରିଚୟ ଦେଇ ସାକ୍ଷାତ କରିବା ପାଇଁ ଭରତପୁର ଅଞ୍ଚଳକୁ ଡାକିଥିଲା। ରଥୀ ସେଠାରେ ପହଞ୍ଚିବା ପରେ ଅମର ତାଙ୍କୁ କଥାଛଳରେ ଚନ୍ଦ୍ରଶେଖରପୁରସ୍ଥିତ ନିଜ ଭଡ଼ା ଘରକୁ ନେଇ ଯାଇଥିଲା। ସେଠାରେ ଜଣେ ସୁନ୍ଦରୀ ଯୁବତୀଙ୍କୁ ଦେଖାଇ ସମ୍ମୋହନ କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ମୂଲଚାଲରେ ଅଡ଼ୁଆ ହେବାରୁ ରଥୀ ସେଠାରୁ ପଳାଇ ଆସିବାକୁ ଚାହିଥିଲେ। ଏତିକିବେଳେ ଗ୍ୟାଙ୍ଗ୍ର ଅନ୍ୟ ୫ ସଦସ୍ୟ ସେଠାରେ ପହଞ୍ଚି ରଥୀଙ୍କୁ ନିର୍ଧୁମ୍ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। ରଥୀ ନେହୁରା ହେବାରୁ ସେମାନେ ତାଙ୍କ ମନିପର୍ସ, ମୋବାଇଲ୍ ଓ କାର୍ ଛଡ଼ାଇ ନେଇଥିଲେ। ୧୪ ତାରିଖ ଦିନ ରଥୀ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୁଲିସ୍ ଚୋରି ମୋବାଇଲ ଟ୍ରାକ୍ କରି ଗତରାତିରେ ଅମର ଓ ମନୋଜକୁ ଗିରଫ କରିଛି। ଖୁବ୍ଶୀଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି ପୁଲିସ୍ କହିଛି।
ଅପରପେକ୍ଷ ରଥୀଙ୍କ ବୟାନକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ରଥୀ ପୁଲିସ୍କୁ କହିଛନ୍ତି ଯେ ସେ ଅଭିଯୁକ୍ତମାନଙ୍କୁ ଚିହ୍ନନ୍ତି ନାହିଁ। ତାଙ୍କର ଜଣେ ପୁରୁଣା ବନ୍ଧୁ ବୋଲି ପରିଚୟ ଦେଇ ଅମର ତାଙ୍କ ସହ କଥା ହୋଇଥିଲା। ଅମରଙ୍କୁ ଦେଖିବା ପରେ ରଥୀ ସ୍ବାଭାବିକ ଭାବେ ତାଙ୍କୁ ଚିହ୍ନିପାରିବା କଥା। କିନ୍ତୁ ଯଦି ଅମର ତାଙ୍କ ପାଇଁ ଅଜଣା ଥିଲା, ତେବେ ସେ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ କାହିଁକି ଯାଉଥିଲେ ବୋଲି ପ୍ରଶ୍ନ ଉଠିଛି। ଏହା ଉପରେ ପୁଲିସ୍ ଅଧିକ ତଦନ୍ତ କରୁଥିବା କହିଛି।
ମାଷ୍ଟରମାଇଣ୍ଡ ‘କଲର ପିଣ୍ଟୁ’
ଲୋକଙ୍କୁ ଏଭଳି ହନିଟ୍ରାପ୍ରେ ଫସାଇ ଲୁଟ୍ କରିବାର ମାଷ୍ଟରମାଇଣ୍ଡ ହେଉଛି କଲର ପିଣ୍ଟୁ। ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ତା’ ନାଁ ପଦାକୁ ଆସିଛି। ନିକଟ ଅତୀତରେ ପିଣ୍ଟୁ ଏକ ଲୁଟ୍ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା। ଜାମିନରେ ଆସିବା ପରେ ସେ ପୁଣି ଅପରାଧରେ ସାମିଲ ହୋଇଛି। କ୍ୟାପିଟାଲ, ଖଣ୍ଡଗିରି, ନୂଆପଲ୍ଲୀ ଥାନାରେ ତା’ ନାମରେ ୧୭ରୁ ଊର୍ଧ୍ୱ ମାମଲା ରହିଛି। ଲୁଟ୍ ସହ ହତ୍ୟା ଉଦ୍ୟମ, ଛିନ୍ତାଇ, ଡକାୟତି ଭଳି ବଡ଼ ବଡ଼ ଅଭିଯୋଗରେ ସେ ପୂର୍ବରୁ ୩ ଥର ଗିରଫ ହୋଇସାରିଛି। ଗିରଫ ହୋଇଥିବା ଅମର ସେନାପତିର ସେ ଭାଇ ବୋଲି ପୁଲିସ କହିଛି।