ଭୁବନେଶ୍ବର: ଗତମାସ ୧୧ତାରିଖ ଦିନ ରାଜଧାନୀ ଉପକଣ୍ଠ ଜାମୁକୋଳି ଗାଁସ୍ଥିତ କାଜୁ ଜଙ୍ଗଲରେ ୟୁନିଟ୍-୬ ଗଙ୍ଗନଗର ଅଞ୍ଚଳର ବିଲ୍ଡର ସସ୍ମିତ୍ ବିଶ୍ବାଳ ଓରଫ ଚିନୁଙ୍କୁ ଦୁର୍ବୃତ୍ତମାନେ ପିଟିପିଟି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏହି ମାମଲାରେ ଏୟାର୍ଫିଲ୍ଡ ଥାନା ପୁଲିସ ସ୍ଥାନୀୟ ପଧାନସାହିର ଗୁଲୁ ମହାନ୍ତି, ହୋମ୍ଗାର୍ଡ ସୁକାନ୍ତ ବେହେରା ଓ ମନୋଜ ବେହେରାଙ୍କୁ ବାନ୍ଧି ଜେଲ୍ ପଠାଇଛି। କିନ୍ତୁ ଏହି ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ସୁକାନ୍ତ ପରିଡ଼ା ଓରଫ ସୁକା ଓ ଟୁଲୁ ମହାନ୍ତି ଘଟଣା ପରଠୁ ଫେରାର ହୋଇଯାଇଥିଲେ। ମାସେ କାଳ ଲୁଚକାଳି ଖେଳିବା ପରେ ଗତକାଲି ସୁକାକୁ ତା’ ଘରୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ରାତି ପାହିବା ପୂର୍ବରୁ ଖସିପଳାଇବାକୁ ଯୋଜନା କରିଥିବା ସୁକା ଶେଷରେ ପୁଲିସ ପଞ୍ଝାରେ ପଡ଼ିଛି। ଏବେ ଅନ୍ୟତମ ଖଳନାୟକ ଟୁଲୁ ମହାନ୍ତି ଓ ଆଉ କିଛି ସହଯୋଗୀ ଫେରାର ଅଛନ୍ତି। ସେମାନଙ୍କୁ ପୁଲିସ ପଳାତକ ଘୋଷଣା କରିବ ବୋଲି ଯୋଜନା କରିଛି।
ପୁଲିସ ସୂଚନାନୁସାରେ ଅଭିଯୁକ୍ତ ସୁକା ହିଁ ଏହି ହତ୍ୟାକାଣ୍ଡର ଅସଲ ଖଳନାୟକ। ବିଲ୍ଡର୍ ଚିନୁ କିଣିଥିବା ଜମିରେ ନିଜେ ପାଚେରି ନିର୍ମାଣ କରାଇଥିଲେ। ଫଳରେ ସୁକା ଓ ଟୁଲୁ ମହାନ୍ତିଙ୍କ ପ୍ଲଟ୍କୁ ଯାତାୟାତ କରିବାରେ ସମସ୍ୟା ହୋଇଥିଲା। ତେଣୁ ସୁକା ଓ ଟୁଲୁ ମହାନ୍ତି ରାତିଅଧିଆ ଉକ୍ତ ପାଚେରି ଭାଙ୍ଗି ଇଟା, ପଥର ଚୋରି କରି ନେଇଥିଲେ। ଏନେଇ ଚିନୁ ଏୟାର୍ଫିଲ୍ଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉପସ୍ଥିତିରେ ସେମାନେ ଇଟା, ପଥର ଫେରାଇଥିଲେ। କିନ୍ତୁ ଏଥିରେ ସୁକା ଓ ଟୁଲୁ ପ୍ରତିଶୋଧପରାୟଣ ହୋଇଉଠିଥିଲେ। ସ୍ଥାନୀୟ ଲୋକ ହୋଇଥିବା ସତ୍ତ୍ବେ ଚିନୁଙ୍କ ସାମ୍ନାରେ ହାରିଯିବାରୁ ସେମାନେ ପ୍ରତିକ୍ରିୟାଶୀଳ ହୋଇଉଠିଥିଲେ। ଜମି ଉପରୁ ବାହାରି ଚିନୁ ଜଟଣୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଯାଇଥିଲେ। ସେ ଜାମୁକୋଳି ଗାଁ ନିକଟରେ ପହଞ୍ଚିଥିବା ବେଳେ ସୁକା ଓ ଟୁଲୁ ଇସାରାରେ ଛକି ରହିଥିବା ଗୁଲୁ, ହୋମ୍ଗାର୍ଡ ସୁକାନ୍ତ, ମନୋଜ ଓ ଅନ୍ୟମାନେ ତାଙ୍କୁ ରାସ୍ତାରୁ ଟେକିନେଇ କାଜୁ ଜଙ୍ଗଲରେ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ। ଚିନୁଙ୍କ ପ୍ରାଣବାୟୁ ଉଡ଼ିଯିବା ପରେ ସେମାନେ ଜଙ୍ଗଲ ଭିତରେ ମୃତଦେହକୁ ଫୋପାଡ଼ି ପଳାଇଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ମୃ୍ତ ଚିନୁ ଓ ଫେରାର ଟୁଲୁ ଏକାଠି ଜମିବାଡ଼ି ବ୍ୟବସାୟ କରୁଥିଲେ। ଟୁଲୁ ଟଙ୍କା ଝଡ଼ାଇବା ଲକ୍ଷ୍ୟରେ ଚିନୁଙ୍କୁ ବିଭିନ୍ନ ବାଟରେ ହଇରାଣ କରୁଥିଲା। ତେଣୁ ଚିନୁ ଏକାକୀ ବ୍ୟବସାୟ କରିବା ସହ ଟୁଲୁକୁ ଅଲଗା କରିଦେଇଥିଲେ।