ବିଲ୍ଡର ନିରଞ୍ଜନ ରଣା ପୁଣି ଗିରଫ

ଜମି, ଫ୍ଲାଟ୍ ଦେବା ନାଁରେ କୋଟିଏରୁ ଅଧିକ ଟଙ୍କାର ଠକେଇ, ପୂର୍ବରୁ ଦୁଇ ଥର ଗିରଫ ହୋଇଥିଲେ

ଭୁବନେଶ୍ବର : ଜମି ଓ ଫ୍ଲାଟ୍ ଦେବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ କରିଥିବା ମା ତାରିଣୀ ଇଷ୍ଟକନ୍ ବିଲ୍ଡର୍ସ ଏମ୍‌ଡି ତଥା ଓଡ଼ିଆ ସିନେମା ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ପୁଣି ଗିରଫ କରିଛି ସହିଦନଗର ଥାନା ପୁଲିସ। ତାଙ୍କଠାରୁ ଚୁକ୍ତିପତ୍ର, କିଛି ବ୍ୟାଙ୍କ ଚେକ୍ ଆଦି ଜବତ କରାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ।

ପୁଲିସ ସୂଚନା ଅନୁସାରେ, ନିରଞ୍ଜନ ୬ଟି ମାମଲାରେ ଵାଣ୍ଟେଡ୍ ଥିଲେ। ଗତ ମାସେ ହେଲା ତାଙ୍କୁ ପୁଲିସ ଖୋଜୁଥିଲା। ଗତକାଲି ତାଙ୍କର ବାଲିଅନ୍ତା ଥାନା ପାଟଣାସ୍ଥିତ ଘର, ପାହାଳ, ବାଲିଅନ୍ତା, ଗୋପାଳପୁର ଅଞ୍ଚଳରେ ଥିବା ଘରେ ପୁଲିସର ଏକ ଟିମ୍ ଚଢ଼ଉ କରି ରାତିରେ ଧରିଥିଲା। ଏକାଧିକ ଲୋକଙ୍କୁ ନିରଞ୍ଜନ ଜମି, ଫ୍ଲାଟ୍ ଦେବାକୁ କହି ଠକେଇ କରିଥିବା ଜଣାପଡ଼ିଛି। ଗତ କିଛିମାସ ହେଲା ତାଙ୍କ ବିରୋଧରେ ୬ଟି ଠକେଇ ଅଭିଯୋଗ ଆସିଥିଲା। ଏ ନେଇ ମାମଲା ରୁଜୁ ହୋଇଥିଲା। ଗିରଫ ହେବା ପରେ ଠକେଇ ସଂଖ୍ୟା ଆହୁରି ବଢ଼ିବ ବୋଲି ପୁଲିସ ଅନୁମାନ କରୁଛି।

ସୂଚନାଯୋଗ୍ୟ, ଫ୍ଲାଟ୍ ଓ ଜମି ଦେବା ନାଁରେ ପ୍ରାୟ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ୨୦୧୬ ଜୁନ୍ ୨ ତାରିଖରେ ସହିଦନଗର ଥାନା ପୁଲିସ ନିରଞ୍ଜନଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଥାନାରେ ଏକାଧିକ ଅଭିଯୋଗ ପହଞ୍ଚିଥିଲା। ଓଡ଼ିଶା ପ୍ରୋଟକ୍ସନ୍ ଅଫ୍ ଇଣ୍ଟରେଷ୍ଟ ଅଫ୍ ଡିପୋଜିଟର(ଓପିଆଇଡି) ଆକ୍ଟ ଅନୁସାରେ ପୁଲିସ ମାମଲା ରୁଜୁ କରି ୧ କୋଟି ୧୫ ଲକ୍ଷ ୧୩ ହଜାର ୩୧୮ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଜବତ କରିଥିଲା। ଦୁଇ ବର୍ଷ ପରେ ଠକେଇ ଅଭିଯୋଗରେ ପୁଣି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ନିରଞ୍ଜନଙ୍କୁ ଗିରଫ କରିଥିଲା। ଏବେ ତୃତୀୟ ଥର ପାଇଁ ଠକେଇ ଅଭିଯୋଗରେ ଗିରଫ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଠକେଇ ଟଙ୍କାରେ ତିଆରି କରିଥିଲେ ୬ ଓଡ଼ିଆ ସିନେମା
ଠକେଇ ଟଙ୍କାରେ ବିଲ୍ଡର ଓ ଚିଟ୍‌ଫଣ୍ଡ ଠକ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି। ନିରଞ୍ଜନ ମଧ୍ୟ ୬ଟି ଓଡ଼ିଆ ଫିଲ୍ମ ତିଆରି କରିଥିଲେ। ସେଗୁଡ଼ିକ ହେଲା ଟାର୍ଗେଟ୍, ପହିଲି ରଜ, ରକତେ ଲେଖିଛି ନାଁ, ଯେ ପାଞ୍ଚେ ପରର ମନ୍ଦ, ହରି ଭାଇ ହାରେନା ଓ ଗୋଟେ ଶୁଆ ଗୋଟେ ଶାରୀ। ଏହାକୁ ମଧ୍ୟ ପୁଲିସ ସେତେବେଳେ ତଦନ୍ତ ପରିସରକୁ ନେଇଥିଲା।

ସମ୍ବନ୍ଧିତ ଖବର