ଜମି, ଘର ବିକ୍ରି ଉପରେ ଅଙ୍କୁଶ

ରେରା ନିୟମ ମାନୁନାହାନ୍ତି ବିଲଡର୍‌

ଭୁବନେଶ୍ୱର: ଜମି ପ୍ଲଟିଂ କରି ବିକ୍ରି କରିବାକୁ ହେଉ କି ଆପାର୍ଟମେଣ୍ଟ ବିକ୍ରି କରିବାକୁ ଏଥିପାଇଁ ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ରେ ପ୍ରକଳ୍ପକୁ ପଞ୍ଜୀକୃତ କରିବାକୁ ନିୟମ ଅଛି। ହେଲେ ଅଧିକାଂଶ ବିଲଡର୍‌ ବିନା ପଞ୍ଜୀକରଣରେ ଜମି ପ୍ଲଟିଂ କରି ବା ଆପାର୍ଟମେଣ୍ଟ ବିକ୍ରି କରୁଛନ୍ତି। ଏହା ରେରା ନିୟମାବଳୀକୁ ଉଲ୍ଲଂଘନ କରୁଥିବାରୁ ଏବଂ ଗ୍ରାହକଙ୍କୁ ଠକିବାର ସମ୍ଭାବନା ଥିବାରୁ ରାଜସ୍ୱ ବିଭାଗ ଏବେ ପ୍ଲଟିଂ ଜମି ଏବଂ ଆପାର୍ଟମେଣ୍ଟ ବିକ୍ରି ଉପରେ ଲଗାମ୍‌ କଷିଛନ୍ତି। ଯେଉଁ ବିଲଡର୍‌ କି ବ୍ୟକ୍ତି ୫୦୦ ବର୍ଗମିଟର (୫୩୮୨ ବର୍ଗଫୁଟ)ରୁ ଅଧିକ ଜମିକୁ ପ୍ଲଟିଂ କରି ବିକ୍ରି କରୁଥିବେ ବା ୮ରୁ ଅଧିକ ଫ୍ଲାଟ୍‌ ଥିବା ଆପାର୍ଟମେଣ୍ଟ ବିକ୍ରି କରୁଥିବେ ତାଙ୍କୁ ସବ୍‌ରେଜଷ୍ଟ୍ରି କାର୍ଯ୍ୟାଳୟରେ ଓରେରା ପଞ୍ଜୀକୃତ ନମ୍ବର ଏବଂ ସାର୍ଟିଫିକେଟ ନକଲ ଦେବାକୁ ପଡ଼ିବ। ଯଦି ଏହାକୁ ନଦେଇପାରିବେ ତେବେ ଜମି କି ଫ୍ଲାଟ୍‌ ବିକ୍ରି କରିପାରିବେନି। ଓରେରା ଦ୍ୱାରା ପଞ୍ଜୀକୃତ ପ୍ରକଳ୍ପକୁ ହିଁ ରେଜିଷ୍ଟ୍ରି କରିବାକୁ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଚନ୍ଦ୍ରଶେଖର କୁମାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ୧୭ତାରିଖରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଜମି ଓ ଘର ବିକ୍ରି ଏକରକମ ଧିମେଇ ଯାଇଛି। ବହୁ ବିଲଡର୍‌ ସେମାନଙ୍କ ପ୍ରକଳ୍ପକୁ ପଞ୍ଜୀକୃତ ନ କରି ବିକ୍ରି କରୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ରାଜସ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କେବଳ ଏତିକି ନୁହେଁ ଯେଉଁ ପ୍ରକଳ୍ପ ଓରେରାରେ ପଞ୍ଜୀକୃତ ହୋଇନଥିବ ସେଠାରେ ଥିବା ଜମି କି ଫ୍ଲାଟ୍‌ ବିକ୍ରି ପାଇଁ ବୁକିଂ ରଖିପାରିବେନି କି କୌଣସି ବିଜ୍ଞାପନ, ହୋର୍ଡିଂ ଲଗାଇପାରିବେନି। ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରୁଥିବେ ତେବେ ସେମାନଙ୍କ ବିରୋଧରେ ରେରା ଆକ୍ଟ ୨୦୧୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉକ୍ତ ପ୍ରକଳ୍ପକୁ ପ୍ଲାନ୍‌ ଦିଆଯିବନି , ଯଦି ପ୍ଲାନ୍‌ ଦିଆଯାଇଥିବ ଏହାକୁ ବାତିଲ୍‌ କରି ଦିଆଯିବ ବୋଲି ରାଜସ୍ୱ ବିଭାଗ ନିଷ୍ପତ୍ତି ନେଇଛି।

ରେରାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ବହୁ ବିଲଡର୍‌ ଖବରକାଗଜ, ଟିଭିରେ ଆପାର୍ଟମେଣ୍ଟ ବିକ୍ରି ପାଇଁ ବିଜ୍ଞାପନ ଦେଉଥିବାବେଳେ ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇ ପ୍ରକଳ୍ପଗୁଡ଼ିକର ପ୍ରଚାର କରୁଛନ୍ତି। ଗ୍ରାହକ କିଣିବା ପୂର୍ବରୁ ଓରେରା ପଞ୍ଜୀକୃତ ମାଗୁଥିଲେ ହେଁ ସେମାନଙ୍କୁ ଦିଆଯାଉନି। କେତେକ ବିଲଡର୍‌ କହୁଛନ୍ତି ଓରେରାରେ ଆବେଦନ ହୋଇଛି ସାର୍ଟିଫିକେଟ୍‌ ମିଳିଯିବ। ଘର/ଜମି କିଣିଲେ କିଛି ଅସୁବିଧା ହେବନି। ଏହିଭଳି ବହୁ ଅଭିଯୋଗ ଓରେରା କାର୍ଯ୍ୟାଳୟରେ ପହଞ୍ଚିବା ପରେ ପଦକ୍ଷେପ ନିଆଯାଇଛି। ଆବଶ୍ୟକସ୍ଥଳେ ଯେଉଁ ସଂସ୍ଥା ବା ପ୍ରକଳ୍ପ ଉପରେ ଅଭିଯୋଗ ଆସିଛି ସେମାନଙ୍କୁ ଆମେ ନୋଟିସ୍‌ କରିବୁ। କିନ୍ତୁ ଏବେ ବିନା ଓରେରା ସାର୍ଟିଫିକେଟ୍‌ ଓ ପଞ୍ଜୀକୃତ ନମ୍ବରରେ ଜମି/ଫ୍ଲାଟ୍‌/ଘର ବିକ୍ରି ନ କରିବାକୁ ଆମେ ରାଜସ୍ୱ ବିଭାଗକୁ ଜଣାଇଛୁ। ଏହାପରେ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନୋଟିସ୍‌ ଜାରି କରାଯାଇଛି।

କ’ଣ ରହିଛି ନିୟମ

ରେରା ଆଇନ ଅନୁଯାୟୀ, ବିନା ପଞ୍ଜୀକରଣରେ ବିଲ୍‌ଡରମାନେ ଜମି, ଘର ଓ ଫ୍ଲାଟ୍‌ ବିକ୍ରି କରି ପାରିବେ ନାହିଁ। ଡେଭଲପର୍ସ ଓ ବିଲଡର୍ସ ନିଜର ସମସ୍ତ ପ୍ରକଳ୍ପ ପାଇଁ ପ୍ରାଧୀକରଣ ନିକଟରେ ପଞ୍ଜୀକୃତ ହେବାକୁ ବାଧ୍ୟତାମୂଳକ କରାଯାଇଛି। ପଞ୍ଜୀକରଣ ସମୟରେ ସେମାନେ ନିଜର ପରିଚୟ ଓ ଠିକଣା ସହ ପ୍ରକଳ୍ପ ନିର୍ମାଣ ୫ ବର୍ଷର ବିସ୍ତୃତ ତଥ୍ୟ ଦେବାକୁ ପଡିବ। ଏହି ତଥ୍ୟ ଓରେରା ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଜଣେ ବିଲଡର୍‌ ବୁକିଂ ସମୟରେ ଗ୍ରାହକଙ୍କ ଠାରୁ ସର୍ବାଧିକ ୧୦% ଅର୍ଥ ନେଇପାରିବେ। ଆଉ ସୁପର୍‌ ବିଲ୍ଟଅପ୍‌ ଏରିଆ ନନେଇ କାର୍ପେଟ ଏରିଆ ଉପରେ ଗ୍ରାହକଙ୍କ ସହ ଚୁକ୍ତି କରିବେ। ବିଭିନ୍ନ ପର୍ଯ୍ୟାୟରେ ଗ୍ରାହକ ଅର୍ଥ ଭରିବେ। ରିଅଲ ଇଷ୍ଟେଟ୍‌ ସଂସ୍ଥା ଯେଉଁ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବେ ଓ ଘର ହସ୍ତାନ୍ତର କରିବେ ବୋଲି ଚୁକ୍ତି କରିଥିବେ ସେହି ସମୟରେ ଘର ପ୍ରଦାନ କରିବାକୁ ବାଧ୍ୟ। ନଚେତ୍‌ ଗ୍ରାହକ ଅଭିଯୋଗ କଲେ ତାଙ୍କ ଉପରେ ଦଣ୍ଡବିଧାନ ହେବ। ଏହି ନିୟମ ବଳରେ ‘ରେରା’ ନିକଟରେ ଗୃହ ନିର୍ମାଣ ସଂସ୍ଥା ସବିଶେଷ ବିବରଣୀ ଯଥା ବିକଶିତ ଜମି, ଏହାର ସ୍ଥାନ ଏବଂ ପ୍ରକଳ୍ପର ନକ୍ସା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବ। ଏଥିସହିତ ସମ୍ପୃକ୍ତ ଗୃହ ନିର୍ମାଣକାରୀ ସଂସ୍ଥାର ଆର୍ଥିକ, ବୈଷୟିକ ଏବଂ ପରିଚାଳନାଗତ କ୍ଷମତା ସମ୍ପର୍କରେ ବି କର୍ତ୍ତୃପକ୍ଷ ଯେ କୌଣସି ସମୟରେ ଅନୁଧ୍ୟାନ କରିପାରିବେ। ଏହି ଆଇନ ବଳରେ ଘର ପାଇଥିବା ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣକାରୀ ସଂସ୍ଥା ଦ୍ୱାରା ଆଦାୟ କରାଯାଉଥିବା ଅର୍ଥ, ଜରିମାନା, ସୁଧ ଓ କ୍ଷତିପୂରଣ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ମାଗି ପାରିବେ । ପ୍ରତ୍ୟେକ ଆର୍ଥିକ ବର୍ଷ ସରିବାର ୬ମାସ ମଧ୍ୟରେ ନିର୍ମାଣକାରୀ ସଂସ୍ଥାଗୁଡ଼ିକ ଚାଟାର୍ଡ ଆକାଉଟାଣ୍ଟଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପର ଅଡିଟ ରିପୋର୍ଟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏହିଭଳି କଡ଼ାକଡ଼ି ନିୟମ ଥିବାରୁ ବିଲଡର୍‌ ଓ ଡେଭଲପର୍ସମାନେ ଓରେରାରେ ପଞ୍ଜୀକୃତ ହେବାକୁ ଚାହୁଁନାହାନ୍ତି ବୋଲି ରାଜସ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର