୫୦ କୋଟିର କୋଠା ଏବେ ଭୂତକୋଠି : ୫ କୋଠା କାର୍ଯ୍ୟକ୍ଷମ ହେଉନି, ୫ ଅଧା, କୁଳପତି ବଦଳିଲେ କାମ ଆଗେଇପାରୁନି
ଏବେ ମିଳିବ ଶହେ କୋଟି
ଭୁବନେଶ୍ବର : ଗୋଟିଏ କି ଦୁଇଟି ନୁହେଁ। ୧୦ରୁ ଅଧିକ କୋଠା ଏବେ ଭୂତକୋଠି। କେଉଁ କୋଠାର ନିର୍ମାଣ ଦୁଇ ବର୍ଷ ତଳେ ଶେଷ ହୋଇଛି ତ ଆଉ କେଉଁ କୋଠା ୭ ବର୍ଷ ତଳେ ତିଆରି ହୋଇଥିଲା। କୋଠାଗୁଡ଼ିକ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ୬ଟି କୋଠା କାମ ପୂର୍ଣ୍ଣାଙ୍ଗ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ୫ରୁ ଅଧିକ କୋଠା କାମ ଅଧାରେ ପଡ଼ିଛି। ଠିକ୍ ସମୟରେ ଟଙ୍କା ନ ମିଳିବାରୁ ଠିକାଦାର କାମ ଅଧାରୁ ଛୁ ମାରିଛନ୍ତି। ଏହିପରି ଭାବେ ରାଜ୍ୟର ଏକ ନମ୍ବର ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେଉଥିବା ଉତ୍କଳ ବିଶ୍ବବିଦ୍ୟାଳୟରେ ୫୦ କୋଟିରୁ ଅଧିକ ଟଙ୍କାର କୋଠା ଏବେ ଭୂତକୋଠି ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବବିଦ୍ୟାଳୟରେ ଇଂରାଜୀ, ଓଡ଼ିଆ ଓ ସଂସ୍କୃତ ପିଜି ବିଭାଗକୁ ଗୋଟିଏ ଗୋଟିଏ ବିଲ୍ଡିଂକୁ ଆଣିବା ଲକ୍ଷ୍ୟରେ ୨୦୧୫ରେ ୩.୫ କୋଟି ଟଙ୍କା ବ୍ୟୟରେ ଲାଙ୍ଗୁଏଜ୍ ବ୍ଲକ ନିର୍ମାଣ ହୋଇଥିଲା। ୨୦୧୭-୧୮ ଶିକ୍ଷାବର୍ଷରୁ ଉପରୋକ୍ତ ୩ଟି ବିଭାଗ ଏହି ବିଲ୍ଡିଂରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଦୁଇଟି ଶିକ୍ଷାବର୍ଷ ବିତିଗଲାଣି। ତଥାପି କାର୍ଯ୍ୟକ୍ଷମ ହୋଇପାରୁନି ଏହି କୋଠା। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି କି ବିଭାଗର ପ୍ରଫେସରମାନେ ବି ମନ ବଳାଉ ନାହାନ୍ତି।
ସାମାଜିକ ବିଜ୍ଞାନ ସହ ଜଡ଼ିତ ଥିବା ୪ଟି ପିଜି ବିଭାଗକୁ ଗୋଟିଏ ବିଲ୍ଡିଂରେ କାର୍ଯ୍ୟକ୍ଷମ କରିବା ଲାଗି ୬.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସୋସିଆଲ୍ ସାଇନ୍ସ ବିଲ୍ଡିଂ। ୨୦୧୫ରୁ କୋଠା ନିର୍ମାଣ କାମ ଆରମ୍ଭ ହୋଇ ୨୦୧୭ରେ ଶେଷ ହୋଇଥିଲା। ଏକ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ବିଲ୍ଡିଂ ଏଯାଏ କାର୍ଯ୍ୟକ୍ଷମ ହୋଇନି। ବାତ୍ୟା ‘ଫନି’ ମାଡ଼ରେ ଏହା ପ୍ରଭାବିତ ହୋଇଛି। କୋଠା କାର୍ଯ୍ୟକ୍ଷମ ନ ହେଉଣୁ ଅବସ୍ଥା ବେହାଲ ହେଲାଣି। ଆଗକୁ କ’ଣ ହେବ ଏଥିରୁ ସ୍ପଷ୍ଟ ଅନୁମେୟ।
ବିଶ୍ବବିଦ୍ୟାଳୟରେ ଡିଜିଟାଲ ଲାଇବ୍ରେରିର ପରିକଳ୍ପନା ଏବେ ସାତସପନ ପାଲଟିବାକୁ ବସିଲାଣି। ‘ପରିଜା ପାଠାଗାର’ରେ ଥିବା ପୁରାତନ ପାଠ୍ୟପୁସ୍ତକଗୁଡ଼ିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ଡିଜିଟାଲ ପାଠାଗାର କୋଠା ନିର୍ମାଣ ହୋଇଥିଲା। ଦୁଇ ବର୍ଷ ହେଲା ଏହି ଡିଜିଟାଲ ଲାଇବ୍ରେରି କୋଠା କାମ ଶେଷ ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ ପ୍ରାୟ ୫ କୋଟି ଟଙ୍କା ପାଣିରେ ପଡ଼ିଛି। ସେହିପରି ପ୍ରାୟ ସାଢ଼େ ୪ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ଭଚ୍ୟୁଆଲ ଟ୍ୟୁଟୋରିଆଲ କୋଠା ନିର୍ମାଣ ସରିଛି। ୨୦୧୬ରେ କିଛି କାମ ହୋଇଥିଲା। ଏବେ ସବୁ କିଛି ମନ୍ଥର ଗତିରେ ଚାଲିଛି।
୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତମାନର ଛାତ୍ରନିବାସ(ଛାତ୍ରାବାସ-୭) ନିର୍ମାଣ କରାଯାଇଥିଲା। ତା’ ଅବସ୍ଥା ନ କହିବା ଭଲ। କାର୍ଯ୍ୟକ୍ଷମ ନହେବାରୁ ଅଣଛାତ୍ରମାନେ ସେଠାରେ ଆଡ଼ା ଜମାଇଥିଲେ। ତିନି ମାସ ତଳେ ପୁଲିସ ଅଣଛାତ୍ରଙ୍କୁ କାଢ଼ିଥିଲା। ସେବେଠାରୁ ଛାତ୍ରାବାସ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ସେମିତି ପଡ଼ିରହିଛି। ଦୁଇ ଜଣ ସୁରକ୍ଷାକର୍ମୀ କୋଠାକୁ ଜଗି ରହିଛନ୍ତି। ଅଣଛାତ୍ର ରହିବା ସମୟରେ କୋଠା ଯାହା ନଷ୍ଟ ହୋଇଥିଲା। ଏବେ ବାତ୍ୟା ମାଡ଼ରେ ଝରକା କାଚଗୁଡ଼ିକ ଭାଙ୍ଗିଯାଇଛି। କୋଠାରେ ମରାମତି ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ।
କେବଳ ଯେ ନିର୍ମାଣ ହୋଇଥିବା କୋଠା କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଛି ତାହା ନୁହେଁ। ଅଧିକାଂଶ କୋଠା ବର୍ଷ ବର୍ଷ ହେଲା ଅଧା ଗଢ଼ା ହୋଇରହିଛି। କେବେ ସରିବ ତାହାର ଉତ୍ତର କାହା ପାଖରେ ନାହିଁ। ୫ କୋଟି ଟଙ୍କାର ସେଣ୍ଟ୍ରାଲ ଇନ୍ଷ୍ଟ୍ରୁମେଣ୍ଟେସନ ସେଣ୍ଟର କୋଠା, ୭ କୋଟି ଟଙ୍କାର ଏଚ୍ଆର୍ଡି ସେଣ୍ଟର, ପ୍ରାୟ ୫ କୋଟି ଟଙ୍କାରେ ସୋସିଆଲ ଆଉଟ୍ରିଚ୍ ସେଣ୍ଟର କୋଠା ନିର୍ମାଣ ଆଗେଇ ପାରିନି। ମ୍ୟାନେଜ୍ମେଣ୍ଟ ଓ ଇକୋନୋମିକ୍ସ ବ୍ଲକ ପାଇଁ ୫ କୋଟି ଟଙ୍କା ଆସିଥିଲେ ମଧ୍ୟ ଅର୍ଥ ପଡ଼ିରହିଛି।
ବିଶ୍ବବିଦ୍ୟାଳୟ ଅତିଥି ଭବନର ଏକ କୋଠା ଦୀର୍ଘବର୍ଷ ହେଲା ଅଧାରେ ଅଟକିଛି। ପ୍ରାୟ ୯ ବର୍ଷ ତଳେ ୪ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଉଥିବା ତିନି ମହଲା ବିଶିଷ୍ଟ କୋଠା ଅଧା ଗଢ଼ା ହୋଇ ପଡ଼ିରହିଛି। କାମକୁ ଆଗକୁ ନେବା ଦିଗରେ କେହି ବି ଗୁରୁତ୍ବ ଦେଉନାହାନ୍ତି। ତିନି ବର୍ଷ ଅନ୍ତରରେ ବିଶ୍ବବିଦ୍ୟାଳୟର ଜଣଙ୍କ ପରେ ଜଣେ କୁଳପତି ବଦଳୁଛନ୍ତି ହେଲେ ଏଥିପ୍ରତି କାହାର ଆନ୍ତରିକତା ନାହିଁ। କୁଳପତିମାନେ ନିଜ କ୍ବାର୍ଟର୍ସକୁ ମରାମତି କରୁଥିବା ବେଳେ ଅତିଥି ଭବନକୁ ଅଣଦେଖା ଜାରି ରହିଛି।
ରୋଚକ କଥା ହେଉଛି ଯେ, ଯଦି ଜଣେ କୁଳପତିଙ୍କ ସମୟରେ କ୍ୟାମ୍ପସରେ କିଛି ବି ଉନ୍ନତିମୂଳକ କାର୍ଯ୍ୟ ହୋଇଛି ପରବର୍ତୀ କୁଳପତି ଆସିଲେ ତାହାକୁ ଆଗକୁ ନେବା ଦିଗରେ ଆନ୍ତରିକତା ଦେଖାଉ ନାହାନ୍ତି। ଫଳସ୍ବରୂପ ୫୦ କୋଟି ଟଙ୍କାର କୋଠା ଏବେ ଭୂତକୋଠି ପାଲଟିଛି।
ଏବେ ମିଳିବ ଶହେ କୋଟି
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ୨୦୧୬ରେ ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍ ‘ଏ+’ ଗ୍ରେଡ୍ ହାସଲ କରିଥିବାରୁ ଦେଶର ୧୦ଟି ରାଜ୍ୟ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ତେଣୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା) ଗ୍ରାଣ୍ଟ୍ରୁ ଉତ୍କଳ ବିଶ୍ବବିଦ୍ୟାଳୟ ଶହେ କୋଟି ଟଙ୍କାର ଅନୁଦାନ ପାଇବାକୁ ମନୋନୀତ ହୋଇଛି। ଗୋଟିଏ ପଟେ ୫୦ କୋଟି ଟଙ୍କାର କୋଠା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନଥିବା ବେଳେ ଆହୁରି ୧୦୦ କୋଟି ଟଙ୍କା କ୍ୟାମ୍ପସରେ କିଭଳି ଖର୍ଚ୍ଚ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ କର୍ତୃପକ୍ଷ ଦୃଢ଼ ଆଶାବାଦୀ ଯେ କ୍ୟାମ୍ପସରେ ଗୁଣାତ୍ମକ ଶିକ୍ଷାର ବିକାଶ ସହ ଗବେଷଣା କ୍ଷେତ୍ରରେ ଉକ୍ତ ଅର୍ଥକୁ ଖର୍ଚ୍ଚ କରିବେ।
ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିୟମ ଅନୁଯାୟୀ ସ୍ପେସାଲ ପରପସ୍ ଭେଇକିଲ୍(ଏସ୍ପିଭି) ଗଠନ ହୋଇଛି। ମେ’ ୩୧ ସୁଦ୍ଧା ମନ୍ତ୍ରଣାଳୟ ନିକଟରେ ଏସ୍ପିଭି ଦାଖଲ କରାଯିବ। ଗଠନ ହୋଇଥିବା ଏସ୍ପିଭି ସୋସାଇଟ୍ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଛି। ସୋସାଇଟ୍ ଆକ୍ଟରେ ପଞ୍ଜୀକୃତ ହେଇଥିବା ଏହି ଏସ୍ପିଭିର ନାମ ‘ଉତ୍କଳ ଏଣ୍ଟରପ୍ରିନ୍ୟୁୟରସିପ୍ ଆଣ୍ଡ କ୍ୟାରିଅର ହବ୍’ ରଖାଯାଇଛି। ଏସ୍ପିଭି ମାଧ୍ୟମରେ ସମସ୍ତ ଅର୍ଥ ଖର୍ଚ୍ଚ ହେବ। ଯେଉଁ ଟଙ୍କା ଆସିବ କିଛି ଦିନ ବ୍ୟବଧାନରେ ତାହାର ସମୀକ୍ଷା ହେବ। କେତେ ଟଙ୍କା କେଉଁଠି ଖର୍ଚ୍ଚ ହେଲା ତାହାର ଖବର ରଖିବେ। ଏସ୍ପିଭିରେ କୁଳପତି ଓ କୁଳସଚିବଙ୍କ ସମେତ ଆଉ ୭ ଜଣ ସଦସ୍ୟ ରହିବେ। କୁଳପତି ଏହାର ନିର୍ଦେଶକ, କୁଳସଚିବ ସଦସ୍ୟ ସଚିବ ରହିବେ।