ଭୁବନେଶ୍ୱର : ଏଣିକି ବିଲ୍ଡିଂ ପ୍ଲାନ୍ ସ୍କୃଟିନି ବା ଯାଞ୍ଚ ପାଇଁ ଆଉ ବିଡିଏ କିମ୍ବା ବିଏମ୍ସି କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ଘରେ ବସି ଅନ୍ଲାଇନ୍ରେ ଆବେଦନ କରିହେବ ବିଲ୍ଡିଂ ପ୍ଲାନ୍। କାରଣ ବିଲ୍ଡିଂ ପ୍ଲାନ୍ର ସମସ୍ତ ନିୟମାବଳିକୁ ଅନ୍ଲାଇନ୍ରେ ଅପ୍ଲୋଡ୍ କରାଯାଇଛି। ଆର୍କିଟେକ୍ଟ ଠାରୁ ଘରର ପ୍ଲାନ୍ ଆଣି ଆପ୍ରେ ଅପ୍ଲୋଡ୍ କରିବା ମାତ୍ରେ ତାହା ଠିକ୍ ଅଛି କି ନାହିଁ, ତାହା ଯାଞ୍ଚ କରାଯିବ। ଯଦି କୌଣସି ତ୍ରୁଟି ଥାଏ; ତେବେ ତାହା ଡ୍ରିଇଂରୁ ଚିହ୍ନଟ କରି ଦର୍ଶାଇବ। ତ୍ରୁଟି ସୁଧାରିବା ପରେ ଜଣେ ନୂତନ ଡ୍ରଇଂ ପ୍ଲାନ୍କୁ ପୁଣି ଅପ୍ଲୋଡ୍ କରିପାରିବେ। ଯେ ପର୍ଯ୍ୟନ୍ତ ପ୍ଲାନ୍ର ତ୍ରୁଟିକୁ ଠିକ୍ କରାଯାଇନଥିବ ସେ ପର୍ଯ୍ୟନ୍ତ ସବମିଟ୍ ହେବନାହିଁ। ତ୍ରୁଟି ସୁଧାର ହେବା ପରେ ଠିକ୍ ପ୍ଲାନ୍ ରିପୋର୍ଟ ଆପେ ଆପେ ଆପ୍ରେ ସବମିଟ୍ ହୋଇଯିବ।
ଯଦିଓ ବିଡିଏ ଓ ବିଏମ୍ସିରେ ଫି’ ଦାଖଲଠୁ ନେଇ ଅନ୍ୟ ସମସ୍ତ ପ୍ରକ୍ରିୟାକୁ ଅନ୍ଲାଇନ୍ ମାଧ୍ୟମରେ ଲାଗୁ କରାଯାଇଥିଲା; ହେଲେ ବିଲ୍ଡିଂ ପ୍ଲାନ୍ ସ୍କୃଟିନିକୁ ସାମିଲ କରାଯାଇ ନଥିଲା। ବିଲ୍ଡିଂ ପ୍ଲାନିଂରେ କୌଣସି ତ୍ରୁଟି ବାହାରିଲେ ବାରମ୍ବାର ବିଡିଏ ଓ ବିଏମ୍ସି କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡ଼ୁଥିଲା। ହେଲେ ଏହି ପ୍ରକ୍ରିୟାକୁ ଲାଗୁ ହେବା ପରେ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ। ଲୋକେ ଘରେ ଥାଇ ଅନ୍ଲାଇନ୍ରେ ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରିପାରିବେ। ପୂର୍ବରୁ ଏହି ପ୍ରକ୍ରିୟାକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇ ସାରା ରାଜ୍ୟରେ ଲାଗୁ କରାଯାଇଥିବା ବେଳେ ବିଡିଏ ଓ ବିଏମ୍ସିରେ ଲାଗୁ କରାଯାଇ ନ ଥିଲା।