ରାଜଧାନୀରେ ଷଣ୍ଢଙ୍କ ଉତ୍ପାତ : ଦୋକାନ ଭିତରେ ଷଣ୍ଢ ଲଢ଼େଇ, ୨ ଲକ୍ଷର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର : ରାଜଧାନୀରେ ଷଣ୍ଢଙ୍କ ଉତ୍ପାତ କିଛି ନୂଆ କଥା ନୁହେଁ। କିଛି ଦିନ ପୂର୍ବେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ୧୫ଜଣ ଲହୁଲୁହାଣ ହୋଇଥିଲେ। ତେବେ ଆଜି ବମିଖାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଷଣ୍ଢ ଲଢ଼େଇ କରି ଏକ ଦୋକାନ ଭିତରେ ପଶି ଯିବାରୁ ପାଖାପାଖି ୨ଲକ୍ଷ ଟଙ୍କାର ଗ୍ରୋସରି ସାମଗ୍ରୀ ନଷ୍ଟ ହୋଇଛି। ଏଭଳି କ୍ଷତିର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ପ୍ରଦୀପ ବେହେରା। ଷଣ୍ଢଦ୍ବୟ ନିଜ ଭିତରେ ଏପରି ଲଢ଼େଇ କରିଲେ ଯେ ଦୋକାନର ଜିନିଷ ନଷ୍ଟ ହେବା ସହ ଆସବାବପତ୍ର ମଧ୍ୟ ଭାଙ୍ଗି ଯାଇଥିଲା।

ବମିଖାଲ ଛକରେ ପ୍ରଦୀପଙ୍କର ‘ମା’ ବାରଭୁଜା ଷ୍ଟୋର’ ନାମରେ ଏକ ଗ୍ରୋସରି ଦୋକାନ ରହିଛି। ମଧ୍ୟାହ୍ନ ସାଢ଼େ ୧୨ଟା ବେଳେ ଦୁଇଟି ଷଣ୍ଢ ଲଢ଼େଇ କରି କରି ଦୋକାନ ଭିତରେ ପଶି ଯାଇଥିଲେ। ଦୀର୍ଘ ଅଧଘଣ୍ଟା ଧରି ଦୋକାନ ଭିତରେ ଦୁଇ ଷଣ୍ଢ ଏଭଳି ତାଣ୍ଡବ ରଚିଥିଲେ ମଧ୍ୟ ପୁଲିସଠାରୁ ଆରମ୍ଭ କରି ବିଏମ୍‌ସି ପର୍ଯ୍ୟନ୍ତ କେହି ଶୁଣି ନଥିଲେ। ‘ଷଣ୍ଢକୁ ଆମେ କ’ଣ କରିବୁ’ ବୋଲି ଡାଏଲ-୧୦୦ ପ୍ରଥମେ ଉତ୍ତର ଦେଇଥିବା ବେଳେ ବିଏମ୍‌ସିରୁ କୌଣସି ଉତ୍ତର ମିଳି ନ ଥିଲା। ଦୀର୍ଘ ଅଧଘଣ୍ଟା କାଳ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ରସୁଲଗଡ଼ରୁ ଲକ୍ଷ୍ମୀସାଗର ଯାଉଥିବା ଶତାଧିକ ଗାଡ଼ି ଚାଳକ ପ୍ରଭାବିତ ହୋଇଥିଲେ। ପାଖରେ ଥିବା ଦୋକାନ ମଧ୍ୟ ପ୍ରଭାବିତ ହୋଇଥିଲା। ଷଣ୍ଢ ହଠାତ୍‌ ମାଡ଼ି ଆସିବାରୁ ସେଠାରେ ଥିବା ଦୁଇଜଣ ଗ୍ରାହକ ଦଉଡ଼ି ପଳାଇବାକୁ ବସିଥିବା ବେଳେ ପଡ଼ି ଯାଇ ଆହତ ହୋଇଥିଲେ। ଗୋଟିଏ ବାଇକ୍‌ ତଳେ ପଡ଼ି ଭାଙ୍ଗିଥିଲା। ଷଣ୍ଢ ଦୁଇଟି ସେହି ଅଞ୍ଚଳରେ ଥିବାରୁ ପୁଣି ଅଘଟଣ ଘଟିପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ବଡ଼ଗଡ଼ ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ପୁରୁଣା ଭୁବନେଶ୍ବରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ବିମ୍‌ସିର ନିଦ ଭାଙ୍ଗିଥିଲା। ଷଣ୍ଢଗୁଡ଼ିକୁ ଏଠାରୁ ସ୍ଥାନାନ୍ତର କରିବା ପାଇଁ ବିଏମ୍‌ସି ଯୋଜନା କରିଥିଲା। ତେବେ ମାମଲା ଥମିବା ପରେ ବିଏମ୍‌ସି ଚୁପ୍‌ ବସି ଯାଇଛି‌। କିନ୍ତୁ ଏଣେ ଷଣ୍ଢଙ୍କ ଉତ୍ପାତ କମିବାର ନାଁ ଧରୁନି। ଏ ନେଇ ପ୍ରଦୀପ କହିଛନ୍ତି, ସହରରେ ଷଣ୍ଢ ରହିବା ପାଇଁ ବିଏମ୍‌ସି ଦାୟୀ। ଏ ନେଇ ମୁଁ ବିଏମ୍‌ସିକୁ ଲିଖିତ ଭାବେ ଅଭିଯୋଗ କରିବି। କ୍ଷତିପୂରଣ ବ୍ୟବସ୍ଥା ନ କଲେ ମାନବାଧିକାର କମସିନଙ୍କ ଦ୍ବାରସ୍ଥ ହେବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର