ଚନ୍ଦ୍ରଶେଖରପୁର: ଶୁକ୍ରବାର ବିଳମ୍ବିତ ରାତିରେ ଓମ୍ଫେଡ୍ ଛକ ଅଞ୍ଚଳରେ ବୁଲ୍ଡୋଜର୍ ଚଢ଼ାଇ ଏକ ଆଉଟ୍ ହାଉସ୍ ଓ ପାଚେରି ଭାଙ୍ଗି ଦେଇଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ୪ ଭଡ଼ାଟିଆ ଗୁଣ୍ଡାଙ୍କୁ ଗିରଫ କରିଛି। ସେମାନେ ହେଲେ ଶୈଳଶ୍ରୀବିହାରର ସିଦ୍ଧାନ୍ତ ଦାସ(୩୦), ଡ଼ୁମୁଡ଼ୁମାର ବାବୁ ନାୟକ(୩୫), ଇନ୍ଫୋସିଟି ବସ୍ତିର ଅଂଶୁ ମୋହାରିଆ(୨୮) ଏବଂ ମନୋଜ ଯାଦବ(୩୦)। ସିଦ୍ଧାନ୍ତ ଓ ବାବୁ ଗଞ୍ଜାମର ମୂଳ ବାସିନ୍ଦା ହୋଇଥିବା ବେଳେ ଅଂଶୁ ଓ ମନୋଜ ଉତ୍ତରପ୍ରଦେଶର ପେସାଦାର ଅପରାଧୀ ବୋଲି ପୁଲିସ୍ ସୂଚନା ଦେଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ଏହି ଭଡ଼ାଟିଆ ଗୁଣ୍ଡାଙ୍କୁ କିଏ ନିୟୋଜିତ କରିଥିଲା, ପୁଲିସ ସ୍ପଷ୍ଟ କରିନାହିଁ।
ସୂଚନାନୁଯାୟୀ ଉକ୍ତ ପ୍ଲଟ୍କୁ ନେଇ ଡାକ୍ତର ତୁଷାର ମିଶ୍ର ଓ କିରୁଥିକା ପ୍ରଭାକରନ୍ଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଏଥିପାଇଁ ସେମାନେ କୋର୍ଟର ଆଶ୍ରୟ ନେଇଥିଲେ। ମାମଲା ଶେଷ ନ ହେବା ଯାଏ ଉକ୍ତ ଜମିରେ କେହି କିଛି ନିର୍ମାଣ କରିପାରିବେ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ଥିଲା। କୋର୍ଟଙ୍କ ରାୟ ବିଳମ୍ବ ହେବା ଦେଖି ଉଭୟ ଆପୋଷ ସମାଧାନ କରିଥିଲେ। ଏହାପରେ କିରୁଥିକା ଉକ୍ତ ପ୍ଲଟ୍ର ନିଜ ଅଂଶରେ ପାଚେରି କରି ଗୋଟିଏ ଆଉଟ ହାଉସ୍ ତିଆରି କରିଥିଲେ। କିନ୍ତୁ ଗତକାଲି ରାତିରେ କିଛି ଭଡ଼ାଟିଆ ଗୁଣ୍ଡା ସେଠାକୁ ଆସି ବୁଲ୍ଡୋଜର୍ ଲଗାଇ ପାଚେରି ଓ ଘରକୁ ଭାଙ୍ଗିଦେଇଥିଲେ। ସେତେବେଳେ ପ୍ଲଟ୍କୁ ଜଗି ରହିଥିବା ଦୁଇ ସୁରକ୍ଷାକର୍ମୀ ଗୋବିନ୍ଦଚନ୍ଦ୍ର ଲେଙ୍କା ଓ ବାସୁଦେବ ଦାସ ବିରୋଧ କରିବାରୁ ଗୁଣ୍ଡାମାନେ ସେମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ଗୁଣ୍ଡାମାନେ ଚାଲିଯିବା ପରେ ଆହତ ସୁରକ୍ଷାକର୍ମୀଙ୍କଠାରୁ ଖବର ପାଇ ଜମି ମାଲିକ ଶ୍ରୀମତୀ କିରୁଥିକା ସେଠାରେ ପହଞ୍ଚି ପ୍ରଥମେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଫୁଟେଜ୍ରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଆଜି ୪ ଜଣଙ୍କୁ ଉଠାଇଥିଲା।