ଚନ୍ଦ୍ରଶେଖରପୁର: ଭୋର୍‌ ୬ଟା। ହାତିଆସୁଣୀ ପଡ଼ିଆ ନିକଟ ରାସ୍ତାରେ ତମ୍ବୁ ପକାଇଲା ପୁଲିସ। ବିଏମ୍‌ସିର ଶତାଧିକ ଗାଡ଼ି ମଧ୍ୟ ଆସି ପହଞ୍ଚିବା ପରେ ଆଗକୁ ବଢ଼ିଲା ପ୍ରଶାସନ। ଏକାଥରେ ୫ଟି ବୁଲ୍‌ଡୋଜର ସାଲିଆସାହି ମୁହାଁ ହୋଇଥିଲେ। ଆଉ ବସ୍ତିବାସିନ୍ଦାଙ୍କ ଆଖିରୁ ନିଦ ଛାଡ଼ିବା ପୂର୍ବରୁ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର। ଗୋଟିଏ ପରେ ଗୋଟିଏ ଘର ମାଟିରେ ମିଶାଇ ଚାଲିଲା।  ବସ୍ତିବାସିନ୍ଦାଙ୍କ ବିରୋଧ ବି କିଛି କମ୍‌ ନ ଥିଲା। ଭଙ୍ଗାଯାଉଥିବା ଘର ନିକଟକୁ ଆସି ବିରୋଧ କଲେ। ବୁଲ୍‌ଡୋଜର ଆଗରେ ଶୋଇଲେ। ମାତ୍ର ପୁଲିସ ଓ ବି‌ଏମ୍‌ସି, ବିଡିଏର ଉଚ୍ଛେଦକାରୀ ଦଳ କିଛି ଶୁଣି ନଥିଲେ। ପ୍ରଥମ ଦିନରେ ପ୍ରାୟ ୫୦ଟି ଘରକୁ ମାଟିରେ ମିଶାଇଛନ୍ତି। ଉଚ୍ଛେଦକୁ ବିରୋଧ କରୁଥିବା ୧୮ଜଣଙ୍କୁ ପୁଲିସ ଉଠାଇ ନେଇଛି। ସେହିପରି ଉଚ୍ଛେଦ ସମୟରେ ୩ଜଣ ବସ୍ତିବାସିନ୍ଦା ଆହତ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ମୁତାବକ ସାଲିଆସାହି ଭିତରେ ୭୪୦ ମିଟର ରାସ୍ତା ନିର୍ମାଣ ପାଇଁ ମୋଟ୍‌ ୫୫୬ ଘର ଭାଙ୍ଗିବାକୁ ବିଏମ୍‌ସି ଚିହ୍ନଟ କରିଛି। ସେଥିମଧ୍ୟରୁ ୪୫ଟି ଘର ପୁର୍ବରୁ ମାଟିରେ ମିଶି ଥିବା ବେଳେ ବାକି ଘରଗୁଡ଼ିକ ଭାଙ୍ଗିବାକୁ ଆଜିଠାରୁ ଅଭିଯାନ ଆରମ୍ଭ ହୋଇଛି। ଘରଗୁଡ଼ିକ ଭାଙ୍ଗିବାକୁ ସମୟ ଲାଗୁଥିବାରୁ ପ୍ରଶାସନ ୭ ଦିନ ଅର୍ଥାତ୍‌ ୨୪ ତାରିଖ ପର୍ଯ୍ୟନ୍ତ ସମୟ ନେଇଛି। ପୁଲିସ ସହ ପୂର୍ତ୍ତ ବିଭାଗ, ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି, ବିଦ୍ୟୁତ୍‌, ୱାଟକୋର କର୍ମଚାରୀମାନେ ଏହି ଉଚ୍ଛେଦ କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଡିଏ ଯୁଗ୍ମ ଆୟୁକ୍ତ (ଉଚ୍ଛେଦ) ରଞ୍ଜନ ଜେନାଙ୍କ ନେତୃତ୍ବରେ ବିଡିଏ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ୬ଟି ଲେଖାଏ ଟିମ୍‌, ବିଏମ୍‌ସିର ସମସ୍ତ ଜେଡିସି, ବିଏମ୍‌ସି ଅତିରିକ୍ତ କମିସନର ଉଚ୍ଛେଦରେ ସାମିଲ ହୋଇଛନ୍ତି। ଦୁଇଜଣ ଅତିରିକ୍ତ ଡିସିପି, ଜଣେ ଏସିପି ଓ ୪ରୁ ଅଧିକ ଆଇଆଇସିଙ୍କ ନେତୃତ୍ବରେ ୫ ପ୍ଲାଟୁନ୍‌ ପୁରୁଷ ଓ ୧ ପ୍ଲାଟୁନ୍‌ ମହିଳା ପୁଲିସ ସୁରକ୍ଷା ଦାୟିତ୍ବରେ ରହିଛନ୍ତି।  ଜୟଦେବବିହାର-ନନ୍ଦନକାନନ ରାସ୍ତା ଭିଡ଼ କମାଇବାକୁ ଏକାମ୍ରକାନନରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣଧୀନ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାକୁ ଚୂଡ଼ାନ୍ତ ରୂପ ଦେବାକୁ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ। ବାରମ୍ବାର ଉଦ୍ୟମ ହୋଇଥିଲେ ମଧ୍ୟ ସାଲିଆସାହି ବସ୍ତିବାସିନ୍ଦାଙ୍କ ବିରୋଧ ଯୋଗୁ ପ୍ରଶାସନ ଉଚ୍ଛେଦ କରିପାରି ନଥିଲା।

ଶହଶହ ଆଧାର କାର୍ଡ କାହାର?
ରାସ୍ତା ନିର୍ମାଣକୁ ବିରୋଧ କରି ବସ୍ତିବାସିନ୍ଦାମାନେ ୩ ବର୍ଷ ହେଲା ଟେଣ୍ଟ୍‌ ବାନ୍ଧି ଆନ୍ଦୋଳନ ଜାରି ରଖିଥିଲେ। ମାତ୍ର ବୁଲଡୋଜରର ପ୍ରଥମ ପ୍ରହାର‌ ସେଠାରେ ହିଁ ପଡ଼ିଥିଲା। ସମ୍ପୂର୍ଣ୍ଣ ଟେଣ୍ଟ୍‌କୁ ଭାଙ୍ଗିବା ପରେ ହିଁ ପରବର୍ତ୍ତୀ ଘରଗୁଡ଼ିକୁ ଭାଙ୍ଗିବା ଦିଗରେ ପଦକ୍ଷେପ ନିଆଯାଇଥିଲା। ତେବେ ଟେଣ୍ଟ୍‌ ଭିତରୁ ଶହଶହ ଆଧାର କାର୍ଡ ବାହାରିଛି। ଏକ ବସ୍ତାରେ ଥିବା ଆଧାର କାର୍ଡଗୁଡ଼ିକ ବାହାରିବା ପରେ ‌ତାହା କାହାର ବୋଲି ଏବେ ପ୍ରଶ୍ନ ଉଠିଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୁଦ୍ଧବିହାର ଆବାସରେ ଘର ପାଇବାକୁ ଆଧାର ଯାଞ୍ଚ ପାଇଁ ଏଠାରେ କାର୍ଡ ରଖାଯାଇଥିଲା।
ବାହାର ରାଜ୍ୟର ଯୁବକ
ଘର ଛତିଶଗଡ଼ରେ। ମାତ୍ର ରହୁଛନ୍ତି ସାଲିଆସାହିରେ। ଆଜି ଉଚ୍ଛେଦ ସମୟରେ ଏଭଳି କିଛି ଯୁବକଙ୍କୁ ଦେଖିବାକୁ ମିଳିଥିଲା। ଯେଉଁମାନେ ଏହା ଭିତରେ ଘରଭଡ଼ା ନେଇ ରହୁଥିଲେ। ସେମାନଙ୍କ ମଧ୍ୟରେ କିଏ ଜୋମାଟ୍‌ରେ ତ ଆଉ କିଏ ଟ୍ରେଡିଙ୍ଗ୍‌ ବିଜନେସ୍‌ କରୁଛନ୍ତି। କେହି କେହି ଯୁବକ ଏହା ପରିସରରେ ରହି ଆଇଟି କମ୍ପାନିରେ କାମ କରୁଥିବା କହିଥିଲେ।

ଭାତ, ଡାଲ୍‌ମା ଉପରେ ପଡ଼ିଲା କାନ୍ଥ
ଉଚ୍ଛେଦକୁ ବିରୋଧ କରିବାକୁ ହଜାର ହଜାର ଲୋକ ଏକତ୍ର ହୋଇଥିଲେ। ସେମାନଙ୍କ ଖାଇବାକୁ ଭାତ, ଡାଲମା ରନ୍ଧା ଯାଉଥିବା ସମୟରେ ବୁଲ୍‌ଡୋଜର ଲଗାଇ ସେଗୁଡ଼ିକୁ ନଷ୍ଟ କରାଯାଇଛି। ଭାତ ରନ୍ଧା ସରିଥିବା ବେଳେ ଡାଲ୍‌ମା ଚୂଲିରେ ବସିଥିଲା। ଏହି ସମୟରେ ନିକଟରେ ଥିବା ଏକ ପମ୍ପ ହାଉସ୍‌କୁ ଭଙ୍ଗାଯିବା ବେଳେ ତାହାର କାନ୍ଥ ଖାଦ୍ୟ ସାମଗ୍ରୀ ଉପରେ ପଡ଼ିଥିଲା ଏବଂ ସମସ୍ତ ଖାଦ୍ୟ ନଷ୍ଟ ହୋଇଥିଲା।

ମାଟିରେ ମିଶିଲା ମୃଦୁପାନୀୟ ଗୋଦାମ
ଉଚ୍ଛେଦ ସମୟର ଏକ ମୃଦୁପାନୀୟ ଗୋଦାମ ମାଟିରେ ମିଶିଛି। ରାସ୍ତା ଯିବାକୁ ଥିବା ଅଞ୍ଚଳ ତଥା ବସ୍ତି ନିକଟରେ ଏକ ଦସ୍ତା ଘରେ ଏହି ଗୋଦାମ ହୋଇଥିଲା। ଏଠାରୁ ସହରର ବିଭିନ୍ନ ସ୍ଥାନକୁ ମୃଦୁପାନୀୟ ଯୋଗାଣ ହେଉଥିଲା। ଆଜି ଉଚ୍ଛେଦ ସମୟରେ ତାହା ଜଣାପଡ଼ିବା ପରେ ଭାଙ୍ଗି ଦିଆଯାଇଛି। ସାମଗ୍ରୀ ସ୍ଥାନାନ୍ତର ପାଇଁ କୌଣସି ସମୟ ଦିଆ ନଯାଇ ହଠାତ୍‌  ଗୋଦାମ ଭାଙ୍ଗିଦିଆଯିବାକୁ ନେଇ  ମାଲିକ ଅସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର କେହି ଶୁଣି ନ ଥିଲେ।   

ପୁଲିସ କର୍ମଚାରୀ ପତ୍ନୀଙ୍କ ତାଉ
ବସ୍ତିରେ ଜଣେ ପୁଲିସ କର୍ମଚାରୀ ଘର କରି ରହୁଥିଲେ। ତାଙ୍କ ଘର ଭାଙ୍ଗିବାକୁ ଯିବା ସମୟରେ ଉଚ୍ଛେଦକାରୀ ଦଳକୁ ହଟହଟା ହେବାକୁ ପଡ଼ିଥିଲା। ପୁଲିସ କର୍ମଚାରୀଙ୍କ ପତ୍ନୀ ଭିତର ପଟୁ ତାଲା ପକାଇ ଘରେ ରହିଥିଲେ। ଖବର ନେବାରୁ ଜଣାପଡ଼ିଥିଲା ଯେ ମହିଳା ଜଣକ ପୁଲିସ କର୍ମଚାରୀଙ୍କ ପତ୍ନୀ। ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାରେ ହସ୍ତକ୍ଷେପ କରିବା ସହ ତାଲା ଖୋଲିବାକୁ ପତ୍ନୀଙ୍କୁ କହିବାକୁ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଫୋନ୍‌ କରି ଚାପ ପକାଇଥିଲେ। ଏହାପରେ ମହିଳାଜଣକ ତାଲା ଖୋଲି ଉଚ୍ଛେଦରେ ସହାୟତା କରିଥିଲେ।
ମାସକୁ ରୋଜଗାର ୧୨ ହଜାର
ଘର ମାଲିକ ବୁଲୁ ମାରାଣ୍ତି ମୟୂରଭଞ୍ଜରେ ରହୁଛନ୍ତି। ହେଲେ ସାଲିଆସାହିରେ ଥିବା ଘର ଭଡ଼ା ଦେଇଛନ୍ତି। ସରକାରୀ ଜମି ଜବରଦଖଲ କରି ସେଠାରେ ଘର କରିବା ସହ ଏହାକୁ ଭଡ଼ା ଆକାରରେ ଦେଇଛନ୍ତି। ଆଉ ପ୍ରତି କୋଠରୀ ପିଛା ଭଡ଼ାଟିଆଙ୍କଠାରୁ ମାସକୁ ୨୦୦୦ ଟଙ୍କା ଲେଖାଏ ଆଦାୟ କରୁଛନ୍ତି। ଏହିପରି ଭାବେ ମାସକୁ ୧୨ ହଜାର ଟଙ୍କା ରୋଜଗାର କରୁଛନ୍ତି। ଆଜି ଉଚ୍ଛେଦ ସମୟରେ ଭଡ଼ାଟିଆ ହଟହଟା ହେଉଥିବା ବେଳେ ମାଲିକଙ୍କ ଦେଖାମିଳି ନଥିଲା। ବରଂ ସେମାନେ କାନ୍ଦିକାନ୍ଦି ନିଜ ସାମଗ୍ରୀଗୁଡ଼ିକୁ ସାଇତି ରଖୁଥିବା ଦେଖିବାକୁ ମିଳିଥିଲା।

ଭୁଲ୍‌ରେ ଭାଙ୍ଗିଦେଲେ
୨୦୦ ଫୁଟିଆ ରାସ୍ତା କେତେ ଜାଗାରେ ଯିବ ତାହା ସ୍ଥିର ହୋଇ ଚିହ୍ନ ମରାଯାଇଛି। ମାତ୍ର ନିୟୋଜିତ ପୁଲିସ ଓ ବିଏମ୍‌ସି ଅଧିକାରୀମାନେ ଭୁଲ୍‌ରେ ଭଙ୍ଗା ହେବାକୁ ନଥିବା ଏକ ଘର ଉପରେ ବୁଲଡୋଜର ଚଢ଼ାଇ ଦେଇଥିଲେ। ଘରେ କେହି ନ ଥିବାରୁ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ଏଭଳି ଭଙ୍ଗାକୁ ‌ବସ୍ତି ନେତା ଅଞ୍ଜନ ନାଥଙ୍କ ସମେତ ମହିଳାମାନେ ପ୍ରବଳ ବିରୋଧ କରିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଉତ୍ତେଜନା ପରିସ୍ଥିତି ଲାଗିରହିବା ପରେ କ୍ଷତିପୂରଣ ଦେବାକୁ ଉଚ୍ଛେଦକାରୀ ଦଳ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ବାହାରିଲା ଦେଶୀ ମଦ ଭାଟି
ଆଜି ଘର ଭାଙ୍ଗାଯିବା ସମୟରେ ଏକ ଘରର ପଛପାର୍ଶ୍ବରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ସୁବ୍ୟବସ୍ଥିତ ଢଙ୍ଗରେ ଗୋଟିଏ ଘରୁ ଅନ୍ୟ ଏକ ସ୍ଥାନକୁ ପାଇପ୍‌ ସାହାଯ୍ୟରେ ମଦ ସପ୍ଲାଏ ହେଉଥିଲା। ବାହାର ଲୋକ ଯେପରି କେହି କିଛି ଜାଣି ନପାରିବେ ସେଥିପାଇଁ ଘର ଉପରେ ପଲିଥିନ୍‌ ବାଛାଯାଇଥିଲା। ତିନି ଡ୍ରମ୍‌ରୁ ଅଧିକ ପୋଚକୁ ନଷ୍ଟ କରାଯିବା ସହ ମଦଭାଟିକୁ ମାଟିରେ ମିଶାଇ ଦିଆଯାଇଛି।
ଖୋଲା ଆକାଶ ତଳେ ଜୀବନ
ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯିବା ପରେ ମଧ୍ୟ କିଛି ଜଣ ଆଦୌ ଆବାସ ଗୃହକୁ ଯାଉ ନାହାନ୍ତି। ତେଣୁ ପ୍ରଶାସନ ଜୋରଜବରଦସ୍ତ ଆଜିଠାରୁ ଭାଙ୍ଗିବା ଆରମ୍ଭ କରିଛି। ଘର ଭାଙ୍ଗିବାରୁ ଅଧିକାଂଶ ବସ୍ତିବାସିନ୍ଦାଙ୍କ ଠିକଣା ବଦଳି ଯାଇଛି। ବୁଦ୍ଧବିହାରକୁ ଯିବା ପରିବର୍ତ୍ତେ ସେମାନେ ଏବେ ନିକଟରେ ଥିବା ଖେଳ ପଡ଼ିଆରେ ଆଶ୍ରୟ ନେଇଛନ୍ତି। ଜମି ପ୍ଲଟିଂ କରିବା ଭଳି ସକାଳୁ ସକାଳୁ ସେମାନେ ‌ନିଜର ସ୍ଥାନ ଚିହ୍ନଟ କରି ନେଇଛନ୍ତି। ଖୋଲା ଆକାଶ ତଳେ ଶୀତରେ ରାତି କାଟୁଛନ୍ତି। କିଛିଜଣ ତମ୍ଭୁ ଟାଣି ଆଶ୍ରୟ ନେଇ ପ୍ରଶାସନର ସହାୟତାକୁ ଅପେକ୍ଷା କରିଛନ୍ତି।