ଭୁବନେଶ୍ୱର: ବିପର୍ଯ୍ୟସ୍ତ ପରିମଳ ଓ ମହାନଗର ନିଗମର ମହାଦୁର୍ନୀତିକୁ ନେଇ ଆଜି ଜିଲ୍ଲା ବିଜେପି ତରଫରୁ ବିଏମ୍ସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ରାଜ୍ୟ କାର୍ଯ୍ୟାଳୟରୁ ବହୁ ସଂଖ୍ୟାରେ ବିଜେପି ସମର୍ଥକ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସମର୍ଥକମାନେ ମେୟର୍ ତଥା ଅନ୍ୟମାନଙ୍କର ପ୍ରତିକାତ୍ମକ ମୁଖା ପିନ୍ଧି ଅଭିନବଭାବେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆନ୍ଦୋଳନକାରୀମାନେ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଅଳିଆ ଗଦାଇବା ସହିତ ବିଏମ୍ସି କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ବିଏମ୍ସି କାର୍ଯ୍ୟାଳୟ ଭିତରକୁ ଗୋବର ଫୋପାଡ଼ିବା ସହ ପୁଲିସ ଉପରକୁ ମଧ୍ୟ ଗୋବର ମାଡ଼ କରିଥିଲେ। ପୁଲିସ ବହୁ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା।
ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ସମୀର ମହାନ୍ତି କହିଛନ୍ତି, ଏବେ ରାଜ୍ୟରେ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି। ଫଳରେ ଓଡ଼ିଶାବାସୀ ଆଜି ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପରିମଳ, ସ୍ୱରେଜ, ଡ୍ରେନେଜ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି। ଜାଗା ମିସନରେ ବସ୍ତବାସିନ୍ଦାଙ୍କୁ ଘର ଯୋଗାଇବାର ରାଜ୍ୟ ସରକାରଙ୍କ ଘୋଷଣା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ଆଜିର ଏହି ଆନ୍ଦୋଳନରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପ୍ରଭାରୀ ଭୂବନ ମୋହନ ଜେନା, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଜୀବନ ରାଉତ, ଧରିତ୍ରୀ ଜେନା, ଗୀତାଞ୍ଜଳୀ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।