ଭୁବନେଶ୍ବର: ଖାରବେଳନଗର ଥାନା ଅଞ୍ଚଳରେ ଆଜି ବୁଲିଛି ବୁଲ୍ଡୋଜର। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଶ୍ରୀୟା ଛକରୁ ମଲ୍ଲିକ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରୁ ହଟାଯାଇଛି ଜବରଦଖଲ। ଏଥିସହ ରାସ୍ତାର ଦୁଇପାର୍ଶ୍ବରେ ଗଦା ହୋଇ ରହିଥିବା କୁଢ଼ କୁଢ଼ ଆବର୍ଜନା ବି ହଟାଯାଇଛି। ଏହି ଅଞ୍ଚଳରେ ଆଗକୁ ବି ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଜବରଦଖଲ ଉଚ୍ଛେଦକୁ କ୍ଷତିଗ୍ରସ୍ତ ପରିବାର ବିରୋଧ କରିଛନ୍ତି। ଥଇଥାନ ନ କରି ଏଭଳି ଉଚ୍ଛେଦ ଅନ୍ୟାୟ ବୋଲି ଅଭିଯୋଗ କରିଛନ୍ତି।
ଶ୍ରୀୟା ଛକରୁ ମଲ୍ଲିକ କମ୍ପ୍ଲେକ୍ସ, ମାଳିସାହି, ଏନ୍ଏସି କଲୋନି ଆଦି ଅଞ୍ଚଳ ଆବର୍ଜନାରେ ଭରି ରହିଛି। ବହୁ କବାଡ଼ିଆ ଦୋକାନ ରହିଥିବାରୁ ସାରା ରାଜ୍ୟର କବାଡ଼ିଆ ସାମଗ୍ରୀ ଏଠାରେ ଆସି ଗଦା ହେଉଛି। ଅଧାରୁ ଅଧିକ ଜାଗା କବାଡ଼ିଆ ଦୋକାନୀମାନେ ମାଡ଼ି ବସିଛନ୍ତି। ଦୋକାନୀମାନେ ଭଙ୍ଗାଦଦରା ଜିନିଷ ସହ ଅନ୍ୟ କବାଡ଼ିଆ ସାମଗ୍ରୀ ସବୁ ରାସ୍ତା ଉପରେ ଗଦାଇ ରଖୁଛନ୍ତି। ଯାହା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ସହ ପରିବେଶକୁ ବି ପ୍ରଦୂଷିତ କରୁଛି। ସେପଟେ ଏମାନେ ରାସ୍ତାକଡ଼ ନାଳକୁ ବି ଜବରଦଖଲରେ ରଖିଥିଲେ। ଏହା ଉପରେ ଦୋକାନ ଖୋଲିବା ସହ ନାଳକୁ ପୋତି ସାରିଥିଲେ। କେବଳ କବାଡ଼ିଆ ଦୋକାନୀ ନୁହନ୍ତି, ଅନ୍ୟ ଦୋକାନୀମାନେ ବି ରାସ୍ତାର ସୌନ୍ଦର୍ଯ୍ୟକୁ ବିକୃତ କରିବା ସହ ଜବରଦଖଲ କରି ଗମନାଗମନ ରାସ୍ତାକୁ ସଂକୁଚିତ କରି ଦେଇଥିଲେ। ଆଜି ଏ ସବୁକୁ ଉଚ୍ଛେଦ କରାଯାଇଛି।
ବିଏମ୍ସିର ଅଧିକାରୀମାନେ ସଦଳବଳ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ। ବୁଲ୍ଡୋଜର ଜରିଆରେ ଦୋକାନ ଓ ରାସ୍ତାପାର୍ଶ୍ବ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହା ଦେଖି ଅଞ୍ଚଳବାସୀ ବିରୋଧ କରିଥିଲେ। ଶେଷରେ ପୁଲିସ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ବିଏମ୍ସି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ସହ ଖାରବେଳ ଥାନା ପୁଲିସ ଓ ଫୋର୍ସ ମୁତୟନ ହୋଇଥିଲେ। ଆଜି ଉଚ୍ଛେଦ ଶେଷ ସୁଦ୍ଧା ପ୍ରାୟ ୫୫ଟି ଦୋକାନ ଉଚ୍ଛେଦ କରାଯାଇଥିବା ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ପରିବାର ଅଭିଯୋଗ କରିଛନ୍ତି, ଉଚ୍ଛେଦ ପୂର୍ବରୁ ବିଏମ୍ସି ଆମକୁ କୌଣସି ପୂର୍ବ ସୂଚନା ଦେଇନଥିଲା। ଗତକାଲି ରାତିରେ ଦୋକାନ ହଟାଇ ଦେବାକୁ କୁହାଯାଇଥିଲା। ଆଜି ସକାଳେ ଆସି ଦୋକାନ ଉଚ୍ଛେଦ କରିଦେଲେ। ଏହା ଅନ୍ୟାୟ। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି, ଯେଉଁ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି, ବିଏମ୍ସି ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। ବିଏମ୍ସି ସମସ୍ତଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଛି। ଥଇଥାନ ନ କରାଗଲେ, ଆମେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବୁ।