ଭୁବନେଶ୍ବର: ଦିନକୁ ଦିନ ଅପରାଧୀଙ୍କ ଉତ୍ପାତରେ କମିସନରେଟ୍ ପୁଲିସ ନାକେଦମ ହୋଇଥିବା ବେଳେ ଏବେ ପାନେ ଦେବାକୁ ଆକ୍ସନ ମୋଡ୍କୁ ଆସିଛି। ସହଦେବ ନାୟକ ହତ୍ୟା ମାମଲାଓ ନିଶାକାରବାରରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ରାଜା ନାୟକ ଘରେ ବୁଲ୍ଡ଼ୋଜର ବୁଲିଛି। ଆଜି ସକାଳେ କ୍ୟାପିଟାଲ୍ ଥାନା ପୁଲିସ, ବିଡିଏ, ବିଏମ୍ସି ଉଚ୍ଛେଦକାରୀ ଟିମ୍ ସହ ଏକ ପ୍ଲାଟୁନ୍ ପୁଲିସ କେଦାରପଲ୍ଲୀ ବସ୍ତିରେ ଥିବା ରାଜା ନାୟକ ଘରେ ବୁଲ୍ଡ଼ୋଜର ଚଳାଇ ଏହାକୁ ଭାଙ୍ଗିଥିଲେ। ଏହି ସମୟରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ହେଲେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ସେଠାରୁ ହଟାଇଥିଲେ। ତେବେ କେବଳ ରାଜା ନୁହେଁ ସହଦେବଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଆହୁରି ୬ଜଣଙ୍କ ଘର ଭଙ୍ଗାଯିବ। ଏଥିପାଇଁ କ୍ୟାପିଟାଲ୍ ଥାନା ପୁଲିସ ଗତ ଜାନୁଆରି ୧୬ ତାରିଖରେ ତାଲିକା କରି ବିଡିଏ ଓ ବିଏମ୍ସି ଅଧିକାରୀଙ୍କୁ ଦେଇଥିଲା। ହେଲେ ସରକାରୀ ପଟ୍ଟାକୁ ନେଇ ସମସ୍ୟା ଥିବାରୁ ମାମଲା କୋର୍ଟକୁ ଯାଇଛି। କୋର୍ଟ ଅନୁମତି ପରେ ଅନ୍ୟମାନଙ୍କ ଘର ଭଙ୍ଗାଯିବ ବୋଲି ଜଣେ ଏନ୍ଫୋର୍ସମେଣ୍ଟ ଅଧିକାରୀ କହିଛନ୍ତି।
ତେବେ କେବଳ ସହଦେବଙ୍କ ହତ୍ୟାକାଣ୍ଡରେ ସାମିଲ୍ ଘଟଣା ନୁହେଁ; ରାଜଧାନୀର ବିଭିନ୍ନ ବସ୍ତିରେ ଲୁଚି ରହିଥିବା ଅପରାଧୀଙ୍କୁ ସବାଡ଼ ପାଇଁ କମିସନରେଟ୍ ପୁଲିସ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ ପରେ ପ୍ରତି ଥାନା ପକ୍ଷରୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏପର୍ଯ୍ୟନ୍ତ ୨୦ରୁ ଅଧିକଙ୍କ ତାଲିକା ସରିଛି। ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଜଣାପଡ଼ିଛି। ଦିନକୁ ଦିନ ରାଜଧାନୀରେ ବଢ଼ୁଥିବା ଅପରାଧକୁ ନିୟନ୍ତ୍ରଣ ପାଇଁ ଏଭଳି କଠୋର ନୀତି ଆପଣାଇଛି କମିସନରେଟ୍ ପୁଲିସ।
ପୂର୍ବରୁ ମଧ୍ୟ କମିସନରେଟ୍ ପୁଲିସ ଅପରାଧୀଙ୍କୁ ଦମନ ପାଇଁ କଠୋର ନୀତି ଆପଣାଇଥିଲା। ବରମୁଣ୍ଡା ବାଙ୍କା ପାଟ୍ଟଶାଣୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କୁଖ୍ୟାତ ଅପରାଧୀ ଶଶାଙ୍କ ଶେଖର ବଳିୟାରସିଂହ ଓରଫ୍ ବାବାନିର କବାଡିଖାନାକୁ କମିସନରେଟ୍ ପୁଲିସ୍ ମାଟିରେ ମିଶାଇଥିଲା। ଜିଇଡି ବସ୍ତିରେ ସୁଶାନ୍ତ ନାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ଘରକୁ କମିସନରେଟ୍ ପୁଲିସ ମାଟିରେ ମିଶାଇଥିଲା। ଜିଇଡି ବସ୍ତିର ବିଶାଲ ନାୟକ, ଅଜିତ୍ ନାୟକ, ସୁଜିତ୍ ନାୟକ ଓ ଟିକିଲି ନାୟକଙ୍କ ଘରକୁ ଭଙ୍ଗାଯାଇଥିଲା। ସେହିପରି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଘରୁ ଲୁଟ୍ କରିଥିବା ୟୁନିଟ୍-୬ ଉପରବସ୍ତିର ସୁରେଶ ନାୟକ ଓରଫ ପପୁ, ୟୁନିଟ୍-୫ କେଶରୀନଗର ଅଞ୍ଚଳର କାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ଦିଲ୍ଲୀପ ବିଶୋଇ ଓରଫ ଦିଲୁ ଘରକୁ ବସ୍ତିରୁ ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ରାଘବ ଜେନାର ଜବରଦଖଲ, ମଞ୍ଚେଶ୍ବର ଅଞ୍ଚଳର ଜଣେ ନିଶାବ୍ୟବସାୟୀ କୃଷ୍ଣ ନାଥ ଭଳି ଅନେକ ଅପରାଧୀଙ୍କ ଘର ଭଙ୍ଗାଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା।