ରାଜପଥରେ ବାଇକ୍ରଙ୍କ ଭ୍ରୁଂ.. ଭ୍ରୁଂ.. କେବେ ଆପଣଙ୍କୁ ଅତିଷ୍ଠ କରିଥିବ, ନଚେତ୍ ରୋମାଞ୍ଚ ଭରିଥିବ। ଆପଣଙ୍କ ପାଖ ଦେଇ ଯାଉଥିବା ବାଇକ୍ଟି ଆଖିପିଛୁଳାକେ ଅନ୍ତର୍ଧାନ ହୋଇଯାଉଥିବାର ନଜିର୍ ବି ଥିବ। ମାତ୍ର ବୁଲେଟ୍ ଚଢ଼ିବାରେ ସୌକ ରଖୁଥିବା ଯୁବପିଢ଼ିଙ୍କର ଇଏ ଏକ ରକମର ନିଆରା ପାଗଳାମି। ଯୁବ ବାଇକ୍ ରାଇଡରଙ୍କ ଏହି ସଉକକୁ ସାକାର କରିବାକୁ ରାଜଧାନୀରେ ଗଢ଼ି ଉଠିଛି ବିଭିନ୍ନ ରାଇଡର୍ କ୍ଲବ୍। ଗିୟର ଉପରେ ରହୁଥିବା ବାଇକ୍ରମାନେ ଆଖି ପିଛୁଳାକେ ଲଙ୍ଘି ଯାଆନ୍ତି କିଲୋମିଟର ପରେ କିଲୋମିଟର। ରାଜ୍ୟ ଓ ରାଜ୍ୟ ବାହାରକୁ ଗଡ଼ିଯାଏ ଏମାନଙ୍କ ଚକ। ରାଜପଥରେ ୧୨୦ ସ୍ପିଡ୍ରେ ଧାଡ଼ିଧାଡ଼ି ହୋଇ ଅତିକ୍ରମ କରିବା ବେଳେ ଦେଖେଣାହାରୀଙ୍କ ପାଇଁ ସାଜନ୍ତି ଷ୍ଟାର୍। ରାଜଧାନୀର ଏହି ବାଇକର୍ମାନେ ବ୍ରୁସ୍ ବ୍ରାଉନ୍ଙ୍କ ‘ଅନ୍ ଏନି ସଣ୍ଡେ’ର ନାୟକ ନୁହଁନ୍ତି କି ‘ଧୁମ୍’ ଚଳଚ୍ଚିତ୍ରର ରେସର ନୁହଁନ୍ତି। ଅଥଚ ଅନେକ ଯୁବପିଢ଼ିଙ୍କ ପାଇଁ କୋଉ ଷ୍ଟାର୍ଠୁ ବି କମ୍ ନୁହନ୍ତି।
/sambad/media/post_attachments/wp-content/uploads/2018/01/bul-fff-300x164.jpg)
ଡେଷ୍ଟିନେସନ୍-ଟୁରିଷ୍ଟ୍ ସ୍ପଟ୍
ବୁଲେଟ୍ରେ ରାଇଡ୍ ବେଳେ ସ୍ଥିରୀକୃତ ହୁଏ ଏକ ପର୍ଯ୍ୟଟନସ୍ଥଳୀ। ସକାଳ ସାଢ଼େ ୭ଟାରେ ଏମାନେ ସାମୂହିକ ଭାବେ ରାଇଡ୍ରେ ସାମିଲ୍ ହୋଇ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଅଭିମୁଖେ ଧାଡ଼ିଧାଡ଼ି ହୋଇ ଛୁଟି ଯାଆନ୍ତି। ବର୍ତମାନ ସୁଦ୍ଧା ‘ରିଅଲ୍ ବୁଲ୍ସ ରାଇଡର’ ଦଳ ୨୫ଥର ରାଇଡ୍ କରିସାରିଛି। ପୁରୀ, ତପ୍ତପାଣି, ସାତପଡ଼ା, ଚଣ୍ଡିଖୋଲ, ବରୁଣେଇ ଆଦି ପର୍ଯ୍ୟଟନସ୍ଥଳୀକୁ ଏମାନେ ରାଇଡ୍ରେ ଯାଇଥିବା ବେଳେ ଭାଇଜାଗ୍ ଓ ଦୀଘା ରାଇଡ୍ରେ ମଧ୍ୟ ଅନେକ ସଦସ୍ୟ ସାମିଲ୍ ହୋଇଛନ୍ତି ବୋଲି ଅନ୍ୟତମ ପ୍ରତିଷ୍ଠାତା ଦିଲ୍ଲୀପ ମିଶ୍ର କହିଛନ୍ତି।
ମୋ ପାଖେ ୧୯୭୦ ମଡେଲ୍ର ବୁଲେଟ୍: ସୌମ୍ୟ
ରାଇଡ୍ର ମଜା ମୋ ପାଇଁ ନିଆରା। ମୁଁ ସିଭିଲ୍ କଣ୍ଟ୍ରାକ୍ଟର ଭାବେ କାମ କରେ। ଚାକିରି ବି କରିଛି। ମାତ୍ର ମୋର ସଉକ ବୁଲେଟ୍ ରାଇଡ୍। ମୁଁ ୧୯୭୦ ମଡେଲ୍ର ବୁଲେଟ୍ରେ ରାଇଡ୍ କରେ ବୋଲି କହିଛନ୍ତି ସୌମ୍ୟରଂଜନ ସମର୍ଥା। ପୂର୍ବରୁ ରାଜାରାଜୁଡ଼ାମାନେ ବୁଲେଟ୍ ଚଢ଼ନ୍ତି ବୋଲି ଗୁରୁଜନଙ୍କଠାରୁ ଶୁଣିଛି। ଏବେ କିନ୍ତୁ ଶହଶହ ବୁଲେଟ୍ ବୁଲୁଛି। ମୁଁ ରିଅଲ୍ ବୁଲ୍ସରେ ଆରମ୍ଭରୁ ସାମିଲ୍ ହୋଇ ବହୁ ରାଇଡ୍ରେ ଯାଇଛି। ମାତ୍ର କେବେ ବି ଥକା ଲାଗିନି। ବରଂ ପୁରୀ ଯିବା ବାଟରେ କିଛି ପିଲା ଅଟକାଇ ଯେବେ ଆମକୁ ପ୍ରଶଂସା କରିବା ସହ ଯୋଡ଼ି ହେବାକୁ ଚାହିଁଲେ ସେତେବେଳେ ବହୁତ ଖୁସି ଅନୁଭବ ହୋଇଥିଲା।
ପିଲାବେଳୁ ରାଇଡ୍ ସଉକ: ଚନ୍ଦ୍ରଶେଖର
ପିଲାବେଳୁ ବାଇକ୍ର ଆକର୍ଷଣରେ ପଡ଼ିଥିଲି। ଯେବେ ବଡ଼ ହୋଇ ବାଇକ୍ ଧରିଲି, ବେଳେବେଳେ ୪ଶହ-୫ଶହ କିଲୋମିଟର ଦୂର ଚାଲି ଯାଉଥିିଲି। ସେଇ ସଉକ୍ରୁ ବାଇକ୍ ରାଇଡ୍ ପ୍ରତି ଧୀରେଧୀରେ ଆକର୍ଷଣ ଜମିଗଲା। କ୍ଲାସିକ୍ ୩୫୦ରୁ ନେଇ ବେରି ୧୨୦୦ ସିସି ବାଇକ୍ ରହିଥିବା ବେଳେ ଆମେ ଗ୍ରୁପ୍ରେ ପ୍ରତି ୧୫-୨୦ ଦିନ ଅନ୍ତରରେ ଯାତ୍ରା କରୁ। ଆମ କ୍ଲବ୍ ସହ ନୂଆକରି ସାମିଲ୍ ହେବା ପାଇଁ ବାଇକ୍, ନିରାପତ୍ତା ଉପକରଣ ସହ ପରିଚୟପତ୍ର ଯଥେଷ୍ଟ ବୋଲି ଚନ୍ଦ୍ରଶେଖର ପତି କହିଛନ୍ତି।
ଦେହରେ ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକୁଇପ୍ମେଣ୍ଟ୍
ମୋଟର ସାଇକେଲ୍ ଚଳାଇବା ବେଳେ ନିରାପତ୍ତା ପାଇଁ ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକୁଇପ୍ମେଣ୍ଟ୍ (ପିପିଆଇ)ବ୍ୟବହାର କରିବାକୁ ପଡ଼େ ବୋଲି ସୌମ୍ୟରଂଜନ ସମର୍ଥା କହିଛନ୍ତି। ହେଲ୍ମେଟ୍ ସମେତ ଏକ ସ୍ୱତନ୍ତ୍ର ଧରଣର ଜ୍ୟାକେଟ୍ ପରିଧାନ କରିବାକୁ ପଡ଼େ। ଯାହାର ଦର ୫ହଜାରରୁ ୬ହଜାର ଟଙ୍କା। ସେହପରି ନି-ଗାର୍ଡ (୩୦୦ରୁ ୩ ହଜାର ଟଙ୍କା), ଗ୍ଲୋବ୍ସ ଆଦି ପରିଧାନ ଉପରେ ଗୁରୁତ୍ୱ ଦେଉ। ତେବେ ଆମେ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ସହିତ ସାମିଲ୍ ହୋଇଥିବାରୁ କମ୍ପାନି ଆମର ରାଇଡ୍ ଟୁର୍ର ତେଲ ଏବଂ ଖାଇବା ଖର୍ଚ ବହନ କରେ ବୋଲି ସୌରଭ ମାହାରୀ କହିଛନ୍ତି।
ରିଅଲ୍ ବୁଲ୍ସ ରାଇଡର
କିଛି ଯୁବକଙ୍କ ବାଇକ୍ରେ ବୁଲିବାର ସଉକରୁ ୨ ବର୍ଷ ତଳେ ଜନ୍ମ ନେଇଥିଲା ରିଅଲ୍ ବୁଲ୍ସ ରାଇଡର। ସଂପ୍ରତି ଗ୍ରୁପ୍ରେ ୧୨୦ଜଣ ସଦସ୍ୟ ସାମିଲ୍ ହୋଇଥିବା ବେଳେ ୪୫ରୁ ୫୦ ଜଣ ଲଙ୍ଗ୍ରୁଟ୍-ରାଇଡ୍ରେ ଅଂଶଗ୍ରହଣ କରି ଆସୁଛନ୍ତି। ତେବେ ବିଭିନ୍ନ ଗଣ ଦିବସରେ ଏମାନେ ବାର୍ତା ନେଇ ଟୁର୍ରେ ସାମିଲ୍ ହୁଅନ୍ତି। ଅଗଷ୍ଟ ୧୫ରେ ଫ୍ରିଡମ୍ ମାସ୍ ରାଇଡ୍ ହେଉ କି ସାଧାରଣତନ୍ତ୍ର ଦିବସରେ ରିପବ୍ଲିକ୍ ମାସ୍ ରାଇଡ୍। ଜାତୀୟ ପତାକାକୁ ଗାଡ଼ିରେ ଫରଫର ଉଡ଼ାଇ ଏମାନେ ଉଡ଼ିଯାଆନ୍ତି କାହିଁ କେତେ ଦୂରକୁ। ଏଭଳି ମାସ୍ ରାଇଡ୍ ଖାଲି ଦେଖେଣାହାରୀଙ୍କ ଦୃଷ୍ଟି ଆକର୍ଷଣ କରେନି ବରଂ ଦେଶପ୍ରେମର ଭାବ ଉଦ୍ରେକ କରୁଥିବା ଏହି ମାସ୍ ରାଇଡ୍ ପାଇଁ ଅଜସ୍ର ପ୍ରଶଂସା ମିଳେ ବୋଲି ରିଅଲ୍ ବୁଲ୍ସର ପ୍ରତିଷ୍ଠାତା ସଦସ୍ୟ ଚନ୍ଦ୍ରଶେଖର ପତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bullot.jpg)