ବୁଲେଟ୍-ବସ୍ ମୁହାଁମୁହିଁ, ଇଂଜିନିୟରିଂ ଛାତ୍ର ମୃତ, ସହପାଠୀ ଗୁରୁତର

ଖଣ୍ଡଗିରି: ମଙ୍ଗଳବାର ଅପରାହ୍‌ଣ ପ୍ରାୟ ୫ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍ ଛକରେ ଦୁର୍ଘଟଣାରେ ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସହପାଠୀ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ର ହେଲେ ଜଟଣୀ ଥାନା ଗଙ୍ଗପଡ଼ା ଗାଁର ଜୟକୃଷ୍ଣ ପ୍ରଧାନଙ୍କ ପୁଅ ହରପ୍ରସାଦ(୨୨) ଓରଫ୍ ଡାଗୁଲ୍ ଓ ଆହତ ଛାତ୍ର ହେଲେ ବେଗୁନିଆ ଥାନା ଗୁଡ଼ୁମ୍‌ର ପୂର୍ବତନ ସରପଞ୍ଚ ଲୋଚନ ପ୍ରଧାନଙ୍କ ପୁଅ ଶିବପ୍ରସାଦ ପ୍ରଧାନ(୨୨) ଓରଫ୍ କିଟୁନ୍।

ସୂଚନାନୁସାରେ ଦୁଇ ସହପାଠୀ ଗଙ୍ଗପଡ଼ା ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ୁଥିଲେ। ଆଜି କଲେଜ ସରିବା ପରେ ଡାଗୁଲ୍ କିଟୁନ୍‌ଙ୍କୁ ନିଜ ଘରକୁ ଡାକି ନେଇଥିଲେ ଓ ଅପରାହ୍‌ଣ ପ୍ରାୟ ୫ଟାବେଳେ ତାଙ୍କୁ ପୁଣି ଖୋର୍ଧାରେ ଛାଡ଼ିବା ପାଇଁ ବୁଲେଟ୍ (ଓଡି୦୨ଏଏଫ୍-୧୩୩୧)ରେ ବାହାରିଥିଲେ। ଗଙ୍ଗପଡ଼ା ଟୋଲଗେଟ୍‌ ଛକରେ ଖୋର୍ଧାରୁ ଭୁବନେଶ୍ବର ଦିଗରେ ଯାଉଥିବା ବସ୍ (ଓଡି୦୨ଏ-୫୭୦୭) ସହ ବୁଲେଟ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଏମ୍‌ସକୁ ପଠାଇଥିଲେ। ମାତ୍ର ଡାକ୍ତର ଡାଗୁଲ୍‌ଙ୍କୁ ମୃତ ଘୋଷଣା କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ କିଟୁନ୍‌ଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର