ଭାରତୀୟ ମାନକ ବ୍ୟୁରୋର ଚଢ଼ଉ, ୬୨୮ ଖେଳଣା ଜବତ

ଭୁବନେଶ୍ବର: ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଅଧୀନରେ ଥିବା ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ଜନପଥ ସତ୍ୟନଗର ପିଏନ୍‌ଆର ଟାୱାରର ଦ୍ବିତୀୟ ମହଲାରେ ଥିବା‌ ମେସର୍ସ ଚାଇଲ୍ଡ କେୟାର୍‌ରେ ଚଢ଼ଉ କରି ଆଇଏସ୍‌ଆଇ ମାର୍କ ନଥିବା ଖେଳଣା ଜବତ କରିଛି। ଏଥିରେ ୪୨୪ ବୈଦ୍ୟୁତିକ ଖେଳଣା ଓ ୨୦୪ ଅଣ-ବୈଦ୍ୟୁତିକ ଖେଳଣା ଏଭଳି ମୋଟ ୬୨୮ ଖେଳଣା ଜବତ କରିଛି। ଜବତ ଖେଳଣାର ମୂଲ୍ୟ ୪ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ତେବେ ପ୍ରକୃତ ମୂଲ୍ୟ ହିସାବ କରି ଦାଖଲ କରିବାକୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ କୁହାଯାଇଛି। ହିସାବ ହେବା ପରେ ମୂଲ୍ୟର ୫ଗୁଣ ଜରିମାନା ଧାର୍ଯ୍ୟ ହେବ। ଜରିମାନା ଦାଖଲ ନ କଲେ ମାମଲା କୋର୍ଟକୁ ଯିବ ବୋଲି ବିଆଇଏସ୍‌ ଭୁବନେଶ୍ବର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଖେଳଣା (ଗୁଣବତ୍ତା ନିୟନ୍ତ୍ରଣ) ଆଦେଶ-୨୦୨୦ ଅନୁଯାୟୀ ଖେଳଣାରେ ବିଆଇଏସ୍‌ ଷ୍ଟାଣ୍ଡାର୍ଡ ମାର୍କ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନିଶ୍ଚିତ କରିବାକୁ ବିଆଇଏସ୍‌କୁ କର୍ତ୍ତୃପକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଭାରତୀୟ ମାନକ ବ୍ୟୁରୋର ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ନିୟମିତ ଚଢ଼ଉ କରୁଛି। ଏଥିରେ ୨ ଲକ୍ଷ ନଗଦ ଜରିମାନା ସହ ୨ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ରହିଛି। ଦ୍ବିତୀୟଥର ଏହି ଅପରାଧରେ ଧରାପଡ଼ିଲେ ୫ଲକ୍ଷ ଟଙ୍କା ଜରିମାନା ରହିଛି। ବିଆଇଏସ୍‌ ପ୍ରମାଣିତ ହୋଇନଥିବା ଖେଳଣା ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ। ଏଣୁ ବିଆଇଏସ୍‌ ଷ୍ଟାଣ୍ଡାର୍ଡ ମାର୍କର ଅପବ୍ୟବହାର କିମ୍ବା ଅଣବିଆଇଏସ୍‌ ପ୍ରମାଣିତ ଖେଳଣା ବିକ୍ରି ବିଷୟରେ ସୂଚନା ଦେବା ପାଇଁ ‘ବିଆଇଏସ୍‌ କେୟାର’ ପ୍ଲେ’ ଷ୍ଟୋର ମାଧ୍ୟମରେ ଡାଉନ୍‌ଲୋଡ୍‌ କରି ବିଆଇଏସ୍‌ ଦୃଷ୍ଟିକୁ ଆଣିବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଚଢ଼ଉରେ ଅବିନାଶ ବରଦୋଲୋଇ, ବୈଜ୍ଞାନିକ ଅନୁରାଗ, ଜ୍ୟୋତିରଂଜନ ଦେବତା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର