ଜଳିଗଲା ମୋପେଡ୍‌, ବର୍ତିଗଲେ ୬ ଜଣ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ଷ୍ଟେସନ୍‌ ନିକଟ ରଙ୍ଗମାଟିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଏକ ସ୍କୁଟର୍‌ ସଂପୂର୍ଣ୍ଣ ଜଳି ଯାଇଛି। ତେବେ ଏହି ଘଟଣାରେ ୬ ଜଣଙ୍କ ଜୀବନ ଅଳ୍ପକେ ରକ୍ଷା ପାଇ ଯାଇଛି। ସୂଚନା ଅନୁଯାୟୀ ରଙ୍ଗମାଟିଆ ସ୍କୁଲ୍‌ ନିକଟରେ ଭଡ଼ାରେ ରହୁଥିବା ବିଶ୍ୱନାଥ କରଜି ନାମକ ଜଣେ ଯୁବକଙ୍କ ନୂଆ ମୋପେଡ୍‌(ଓଡି-୦୨-ଏଆର୍‌-୯୫୪୭)ରେ ଶନିବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପରେ ଘରର ଆଜବେଷ୍ଟସ୍‌ ଛାତ ମଧ୍ୟ ଜଳି ଯାଇଥିଲା। ସେହି ଘରେ ୬ଜଣ ଶୋଇଥିବା ବେଳେ କେହି କିଛି ଜାଣି ପାରି ନଥିଲେ। ଘର ଭିତରୁ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ଘର ଲୋକଙ୍କୁ ଡାକିଥିଲେ। ସେମାନେ ନିଆଁ ଦେଖି ଅନ୍ୟ ଏକ ବାଟ ଦେଇ ବାହାରକୁ ପଳାଇଥିଲେ। ସଟ୍‌ର୍ ସର୍କିଟ୍‌ ଯୋଗୁ ଗାଡ଼ିର ଇଂଜିନ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଏନେଇ ମଞ୍ଚେଶ୍ୱର ଥାନାକୁ ସୂଚନା ଦିଆଯିବାରୁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଘର ଭିତରେ ଥିବା ୬ଜଣଙ୍କ ଜୀବନ ବଞ୍ଚିପାରିଥିଲା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର