ବାରଙ୍ଗ : ଦାରୁଠେଙ୍ଗ ଭୁଆଶୁଣି ଡମ୍ପିଂୟାର୍ଡରେ ପୁଣିଥରେ ନିଆଁ ଲାଗିଛି। ଫଳରେ ୩ ଏକରରୁ ଅଧିକ ଅଞ୍ଚଳରେ ରହିଥିବା ବର୍ଜ୍ୟବସ୍ତୁ ଏବେ ହୁତୁହୁତୁ ହୋଇ ଜଳୁଛି। ଧୀରେଧୀରେ ଏହି ନିଆଁ ମାଡ଼ି ଚାଲିଥିବାରୁ ଆଖପାଖ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅପରପକ୍ଷେ ବର୍ଜ୍ୟବସ୍ତୁ ପୋଡ଼ାରୁ ବାହାରୁଥିବା ବିଷାକ୍ତ ଧୂଆଁରେ ଦାରୁଠେଙ୍ଗ ଓ ଆଖପାଖ ଗ୍ରାମବାସୀ ଏକପ୍ରକାର ଅଣନିଶ୍ବାସୀ ହୋଇପଡ଼ିଛନ୍ତି। ନିଆଁ ଲିଭାଇବା ପାଇଁ ବିଏମ୍ସି ତରଫରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଏଭଳି ପରିସ୍ଥିତି ଦେଖାଦେଇଥିଲା। ନିଆଁ ଲାଗିବା ଫଳରେ ଦାରୁଠେଙ୍ଗ ଗ୍ରାମବାସୀ ଓ ବିଏମ୍ସି ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଉଭୟପକ୍ଷ ବସି ଆଲୋଚନା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ବିଏମ୍ସି ଜାନୁଆରି ସୁଦ୍ଧା ପ୍ରତି ୱାର୍ଡରେ ପ୍ଲାଣ୍ଟ ନିର୍ମାଣ କରିବ ଏବଂ ଭୁଆଶୁଣି ଡମ୍ପିଂୟାର୍ଡରୁ ବର୍ଜ୍ୟବସ୍ତୁ ହଟାଇ ସେଠାରେ ଏକ ପାର୍କ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଧାର୍ଯ୍ୟ ସମୟସୀମା ପୂରଣ ହୋଇଯାଇଥିଲେ ହେଁ ବିଏମ୍ସି ନିଜ ପ୍ରତିଶ୍ରୁତି ରକ୍ଷା କରିପାରିନାହିଁ। ତେଣୁ ଆସନ୍ତା ୮ ତାରିଖରେ ଦାରୁଠେଙ୍ଗ ଗ୍ରାମର ଏକ ପ୍ରତିନିଧିଦଳ ପ୍ରତି ୱାର୍ଡରେ ଏହି ବର୍ଜ୍ୟ ପ୍ଲାଣ୍ଟ ହୋଇଛି କି ନାହିଁ, ତାହାର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dd.jpg)