ଓଲଟିଲା ମିନିବସ୍‌, ୧୨ ଆହତ

ଧଉଳି: ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ସମୟରେ ଭୁବନେଶ୍ବର-କଟକ ବାଇପାସ୍‌ ଜାତୀୟ ରାଜପଥର ଶିଶୁପାଳଗଡ଼ ଦଶହରା ପଡ଼ିଆ ନିକଟରେ ଦୁର୍ଘଟଣା ଘଟି ୧୨ଜଣ ଆହତ ହୋଇଛନ୍ତି। ପ୍ରାୟ ୧୮ଜଣ ଶ୍ରମିକଙ୍କୁ ନେଇ ପିପିଲି ଅଭିମୁଖେ ଯାଉଥିବା ଏକ ମିନିବସ୍‌ର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଏହା ରାଜପଥ ଉପରେ ଓଲଟି ପଡ଼ିଥିଲା। ଏଥିରେ ଆହତ ୮ଜଣ ଶ୍ରମିକଙ୍କୁ ତୁରନ୍ତ ଚିକିତ୍ସା ଲାଗି ସ୍ଥାନୀୟ ଲିଙ୍ଗିପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଅନ୍ୟ ୪ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଯାଇଛନ୍ତି। ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବସ୍‌ଟିକୁ ଜବତ କରିଛି। ସୂଚନାନୁଯାୟୀ, ୧୮ଜଣ ଶ୍ରମିକ ଠିକାଦାରଙ୍କ ସହ ମିନିବସ ( ଓଆର ୦୨ ଏପି ୦୮୧୪)ରେ ପୁରୀ ବାଇପାସ୍‌ ରାସ୍ତାରେ ପିପିଲିକୁ ଯାଉଥିଲେ। ଶିଶୁପାଳଗଡ଼ ଦଶହରା ପଡ଼ିଆ ନିକଟରେ ହଠାତ ପଛ ବାମ ପାର୍ଶ୍ବ ଚକା ଫାଟିଯିବାରୁ ବସ୍‌ଟି ଭାରସାମ୍ୟ ହରାଇଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବସ୍‌ଟି ରାସ୍ତା ତଳକୁ ନଯାଇ ଜାତୀୟ ରାଜପଥ ଉପରେ ଓଲଟି ରହିଯାଇଥିଲା। ଦୁର୍ଘଟଣାରେ କିଛି ଶ୍ରମିକଙ୍କ ମୁଣ୍ତ ଏବଂ ମୁହଁ ଫାଟିଯାଇଥିବା ବେଳେ କାହାର ହାତ, ଗୋଡ଼ ଓ ଶରୀରରେ ଆଘାତ ଲାଗିଛି। ଆହତ ଶ୍ରମିକମାନେ ହେଲେ ଲାଲମୋହନ ହା˚ସଦା (୬୦), ସଲମା ହା˚ସଦା (୬୦), ରାହିମୁନି ହା˚ସଦା (୪୦), ପ୍ରମିଳା ମହାରଣା (୪୫), ମାଗୁ ନାୟକ, ଦିଲ୍ଲୀପ ସୋରେନ, ବାଦଲ ମଲ୍ଲିକ ଓ ଲକ୍ଷ୍ମୀ ବାସ୍କେ। କେବଳ ପ୍ରମିଳାଙ୍କ ଘର ‌େଢଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ରିପୋର୍ଟ ଲେଖାହେବା ବେଳକୁ ଅନ୍ୟତ୍ର ଚିକିତ୍ସିତ ହୋଇଥିବା ଶ୍ରମିକମାନଙ୍କର ପରିଚୟ ମିଳିପାରିନି। ଖବର ପାଇ ବଡ଼ଗଡ଼ ପିସିଆର, ଧଉଳି ପିସିଆର ଏବଂ ଶ୍ରୀ ଲିଙ୍ଗରାଜ ଥାନା ପିସିଆର ସମେତ ୩ଟି ୧୦୮ ଆମ୍ବୁଲାନ୍ସ ଗାଡ଼ି ସେଠାରେ ତୁରନ୍ତ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ନେଇଯାଇଥିଲେ।

ସମ୍ବନ୍ଧିତ ଖବର