ଜଳିଗଲା ବସ୍, ୭ ଆହତ

ଭୁବନେଶ୍ବର: ସୋମବାର ସକାଳ ପ୍ରାୟ ୫ଟା ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସର୍ଭିସ୍ ରୋଡ୍‌ରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ବସ୍‌ ଚାଳକ ଭାରସାମ୍ୟ ହରାଇ ଏକ କଲଭର୍ଟରେ ଧକ୍କା ଦେବାରୁ ବସ୍‌ରେ ନିଆଁ ଲାଗି ଯାଇଥିଲା। ଏହି ଅଘଟଣରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ସୂଚନାନୁସାରେ, ଫୁଲବାଣୀରୁ ଭୁବନେଶ୍ବର ଆସିଥିବା ‘ଲଳିତା’ ବସ୍‌ (ଓଡି୦୩ସି୨୫୮୮) କଲଭର୍ଟ ବାଡ଼ରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ ଥିବା ୨୫ ଯାତ୍ରୀ ଅଳ୍ପବହୁତ ଆହତ ହୋଇଥିଲେ। କିନ୍ତୁ ଏହି ଧକ୍କା ଯୋଗୁଁ ସର୍ଟ ସର୍କିଟ୍‌ ହୋଇଯାଇଥିଲା ଓ ବସ୍‌ରେ ନିଆଁ ଲାଗି ଯାଇଥିଲା। ଯାତ୍ରୀମାନେ ଜୀବନ ବିକଳରେ ଝରକା ବାଟ ଦେଇ ଓହ୍ଲାଇବା ବେଳେ ଖଣ୍ଡିଆଖାବରା ହୋଇଥିଲେ। ଖବର ପାଇ ଖଣ୍ଡଗିରି ଓ ଭରତପୁର ଥାନା ପୁଲିସ ସମେତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ବେଳେ ଦମକଳ ବାହିନୀ ନିଆଁ ଲିଭାଇଥିଲା। କିଛି ଯାତ୍ରୀ ନିଜ ନିଜର ଜିନିଷପତ୍ର ନେଇ ଆସିଥିବା ବେଳେ ବହୁ ଯାତ୍ରୀଙ୍କ ଜିନିଷପତ୍ର ପୋଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର