ଖଣ୍ଡଗିରି: ଦିବ୍ୟାଙ୍ଗ ଦମ୍ପତିଙ୍କୁ ବସରେ ଉଠାଇଲେ ନାହିଁ କଣ୍ଡକ୍ଟର। ରିହାତି ଦରରେ ନୁହେଁ, ପୂରା ବସ୍ ଭଡ଼ା ଦେବାକୁ ପ୍ରସ୍ତୁତ ଥିବା ସତ୍ବେ ୩/୪ ଜଣ କଣ୍ଡକ୍ଟର ସେମାନଙ୍କୁ ବସ୍ରେ ଚଢ଼ାଇଲେ ନାହିଁ। କଣ୍ଡକ୍ଟରମାନଙ୍କ ଏଭଳି ଅମାନବୀୟ ବ୍ୟବହାର ଆଜି ସକାଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଶେଷରେ ପୁଲିସ ହସ୍ତକ୍ଷେପ କରିବା ଯାଏ କଥା ଯାଇଥିଲା। ଫଳରେ ଉକ୍ତ ଦମ୍ପତି ବସ୍ରେ ଯାଇପାରିଥିଲେ। ସୂଚନାନୁସାରେ ଦୃଷ୍ଟିବାଧିତ ଦମ୍ପତି ଜ୍ୟୋତ୍ସ୍ନାରାଣୀ ଦାସ ଓ ତାଙ୍କ ସ୍ବାମୀ ସୋମନାଥ ଦାସ ନୟାଗଡ଼ ଯିବା ପାଇଁ ସକାଳ ପ୍ରାୟ ୯ଟାବେଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ। ଓଡ଼ଗାଁ ନିକଟସ୍ଥ କେରାପୀଠାରେ ଅନୁଷ୍ଠିତ ହେବାକୁ ଥିବା ଭଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେମାନେ ଯାଉଥିଲେ। ମାତ୍ର ନୟାଗଡ଼ ଯାଉଥିବା କୌଣସି ବସ୍ ସେମାନଙ୍କୁ ଉଠାଇ ନଥିଲା। ସେମାନେ ବସ୍ ଭଡ଼ା ପଇସା ଦେବାକୁ ରାଜି ହୋଇଥିଲେ ବି ୩/୪ ଖଣ୍ଡ ବସ୍ର କଣ୍ଡକ୍ଟରମାନେ ସେମାନଙ୍କୁ ବସ୍ରେ ଉଠାଇ ନଥିଲେ। ରିହାତି ଦରରେ ଦୁଇ ଦୁଇଟି ସିଟ୍ ଛାଡ଼ିବାକୁ କଣ୍ଡକ୍ଟର୍ମାନେ ପ୍ରସ୍ତୁତ ନଥିଲେ। ପୂରା ଭଡ଼ା ନେଲେ ପରେ ସମସ୍ୟା ହେବ ଜାଣିପାରି କଣ୍ଡକ୍ଟରମାନେ ସେମାନଙ୍କୁ ବସ୍ରେ ନେବାକୁ ମନା କରି ଦେଇଥିଲେ। ଶେଷରେ କିଛି ଲୋକ ଏ ନେଇ ଖଣ୍ଡଗିରି ଥାନାକୁ ଜଣାଇବା ପରେ ପିସିଆର୍-୧୫ ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲା। ସୋମନାଥ ଓ ତାଙ୍କ ସ୍ତ୍ରୀ ପୁଲିସ ନିକଟରେ ନିଜ ଦୁଃଖ କାହାଣୀ କହିଥିଲେ ବି ମାମଲା କରିବାକୁ ପ୍ରସ୍ତୁତ ନଥିଲେ। ବରଂ ନୟାଗଡ଼ ଓଡ଼ଗାଁ ଯିବାରେ ସହଯୋଗ କରିବାକୁ ପୁଲିସ କର୍ମଚାରୀମାନଙ୍କୁ ନିବେଦନ କରିଥିଲେ। ଶେଷରେ ପୁଲିସ ସେମାନଙ୍କୁ ଶ୍ରୀ ଗଣେଶ ନାମକ ଏକ ବସ୍ରେ ବସାଇଥିଲା। ସେହି ବସ୍ ର କଣ୍ଡକ୍ଟର, ହେଲପର୍ ଓ ଡ୍ରାଇଭର୍ ଏହି ଦମ୍ପତିଙ୍କୁ ନିରାପଦରେ ଓଡ଼ଗାଁରେ ପହଞ୍ଚାଇବେ ବୋଲି କହିଥିଲେ। ସୂଚନାନୁସାର ସୋମନାଥ ଓ ଜ୍ୟୋତ୍ସ୍ନାରାଣୀ ଓଡ଼ଗାଁ ଶ୍ରୀ ରଘୁନାଥଦେବଙ୍କ ଧର୍ମଶାଳାରେ ପହଞ୍ଚିବା ପରେ ଆଜି ସନ୍ଧ୍ୟାରେ ଉକ୍ତ ଭଜନ ସମାରୋହରେ ସାମିଲ୍ ହୋଇଛନ୍ତି।
ଦିବ୍ୟାଙ୍ଗ ଦମ୍ପତିଙ୍କୁ ବସ୍ରେ ଯିବା ମନା!
/sambad/media/post_attachments/wp-content/uploads/2018/10/bus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)