ଭୁବନେଶ୍ୱର: ଭୁବନେଶ୍ୱରରୁ ପୁରୀକୁ ଗଡ଼ୁନି ଘରୋଇ ବସ୍। ୫ ଦିନ ହେଲା ଏଭଳି ସ୍ଥିତି ଉପୁଜିଥିଲେ ମଧ୍ୟ ସମସ୍ତେ ଚୁପ୍। ପ୍ରଶାସନିକ ଅଧିକାରୀମାନେ ସବୁ ଜାଣି ନିରବ ରହିଥିବା ବେଳେ ଭୁବନେଶ୍ୱର ଓ ପୁରୀର ଘରୋଇ ବସ୍ ମାଲିକ ସଂଘ ନିଜ ଜିଦ୍ରେ ଅଟଳ। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ଯାତ୍ରୀଙ୍କ ଉପରେ। ବସ୍ ଅପେକ୍ଷାରେ ଘଣ୍ଟା ଘଣ୍ଟା ଧରି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇ ରହିଥିଲେ ମଧ୍ୟ ବସ୍ର ଦେଖା ମିଳୁନି। କଟକରୁ କେତେବେଳେ କେମିତି ବସ୍ ଆସିଲେ ସେଥିରେ ଯିବା ପାଇଁ ଯାତ୍ରୀଙ୍କ ଭିଡ଼ କାହିଁରେ କ’ଣ। ଯାତ୍ରୀ ପରିବହନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲେ ବି ଭୁବନେଶ୍ୱର ଓ ପୁରୀର ପ୍ରଶାସନିକ ଅଧିକାରୀ ହାତ ଟେକିଦେଇଛନ୍ତି।
ଦୁଇ ସହର ମଧ୍ୟରେ ବସ୍ ଚଳାଚଳ ସମୟ ଧାର୍ଯ୍ୟ କରିବାକୁ ନେଇ ଗତ କିଛି ବର୍ଷ ହେଲା ଉଭୟ ସଂଘ ମଧ୍ୟରେ ବିବାଦ ଚାଲିଛି। ନିର୍ଧାରିତ ସମୟରେ ବସ୍ ଛଡ଼ା ଯାଉ ନ ଥିବା ଏବଂ ପହଞ୍ଚୁ ନ ଥିବା ଅଭିଯୋଗ କରି ବାରମ୍ବାର ବସ୍ ଚଳାଚଳ ବନ୍ଦ କରାଯାଉଛି। ପରବର୍ତୀ ସମୟରେ ପ୍ରଶାସନର ହସ୍ତକ୍ଷେପ ପରେ ବିବାଦ କିଛି ଦିନ ଲାଗି ଶାନ୍ତ ପଡ଼ୁଛି। ହେଲେ ସ୍ଥାୟୀ ସମାଧାନ ହେଉ ନାହିଁ। ଯେଉଁଥିପାଇଁ ଏବେ ପୁଣିଥରେ ବିବାଦ ମୁଣ୍ଡ ଟେକିଛି। ସମୟ ଧାର୍ଯ୍ୟକୁ ନେଇ ଗତ ରବିବାରଠାରୁ ଘରୋଇ ବସ୍ଗୁଡ଼ିକ ଚଳାଚଳ କରୁନାହିଁ। ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବସ୍ଗୁଡ଼ିକ ଛିଡ଼ା ହୋଇ ରହିଛି।
୫ ଦିନ ହେଲା ପ୍ରାୟ ୭୦ଟି ବସ୍ ପୁରୀକୁ ଯାଉ ନାହିଁ। ହେଲେ ଜିଲ୍ଲାର ଅନ୍ୟ ସ୍ଥାନଗୁଡ଼ିକୁ ଘରୋଇ ବସ ଚଳାଚଳ ସ୍ୱାଭାବିକ ଚାଲୁଛି। କଣାସ, କୋଣାର୍କ, ପିପିଲି, ସାତଶଙ୍ଖ, ସାକ୍ଷୀଗୋପାଳ, ବ୍ରହ୍ମଗିରି, ଗୋପ ପରି ସ୍ଥାନକୁ ପ୍ରତି ୩୦ରୁ ୪୦ ମିନିଟ୍ ବ୍ୟବଧାନରେ ବସ୍ ଛାଡ଼ୁଛି। ପୁରୀକୁ ଯିବାକୁ ଥିବା ଯାତ୍ରୀମାନେ ସେଥିରେ ଯାଉଛନ୍ତି। ଅଧା ରାସ୍ତାରୁ ଅଟୋ କରି ପୁରୀରେ ପହଞ୍ଚୁଛନ୍ତି। ଅନ୍ୟପକ୍ଷରେ କଟକରୁ ପୁରୀକୁ ୬୦ଟି ବସ୍ ପୂର୍ବଭଳି ଗଡ଼ୁଥିଲେ ମଧ୍ୟ ସେଥିରେ ଭୁବନେଶ୍ୱରରୁ ଯାତ୍ରୀ ଉଠିବା ବେଳକୁ ସିଟ୍ ମିଳିପାରୁନି। ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ବିବାଦକୁ ନେଇ ଦୁଇ ବସ୍ ମାଲିକ ସଂଘ ପରସ୍ପରକୁ ଦୋଷାରୋପ କରିଛନ୍ତି। ଭୁବନେଶ୍ୱର ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ପୁରୀ ବସ୍ ମାଲିକ ସଂଘ ନିର୍ଧାରିତ ସମୟରେ ବସ୍ଗୁଡ଼ିକୁ ଛାଡ଼ୁନି। ନିର୍ଧାରିତ ହୋଇଥିବା ସମୟର ୨୦ରୁ ୩୦ ମିନିଟ୍ ବିଳମ୍ବରେ ବସ୍ ଛାଡ଼ୁଛନ୍ତି। ଏହାଦ୍ୱାରା ବସ୍ଗୁଡ଼ିକ କ୍ଷତି ସହୁଛନ୍ତି। ପ୍ରତି ୭ରୁ ୮ ମିନିଟ୍ ବ୍ୟବଧାନରେ ବସ୍ ଛାଡ଼ିବାର ନିୟମ ରହିଥିଲେ ମଧ୍ୟ ତାହାକୁ ପାଳନ କରାଯାଉ ନାହିଁ। ଏନେଇ ପୁରୀ ଆର୍ଟିଓ, ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନି। ଖଣ୍ଡଗିରି ଥାନାରେ ଟାଇମ୍ ଟେବୁଲ୍ ରହିଥିଲେ ମଧ୍ୟ ତାହା ପାଳନ ହେଉ ନାହିଁ। ଭୁବନେଶ୍ୱରରୁ ନିର୍ଧାରିତ ସମୟରେ ବସ୍ ଯାଉଥିଲେ ମଧ୍ୟ ପୁରୀରୁ ନିର୍ଧାରିତ ସମୟରେ ବସ୍ ଛଡ଼ାଯାଉ ନାହିଁ। ଏହା ପ୍ରତିବାଦରେ ମାଲିକମାନେ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପୁରୀ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଲୋକନାଥ ପାଣି କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀକୁ ଚଳାଚଳ କରୁଥିବା ପୁରୀ ମାଲିକଙ୍କ ବସ୍ଗୁଡ଼ିକୁ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ପୂରାଇ ଦିଆଯାଉନି। କଳ୍ପନା ଛକରୁ ଫେରାଇ ଦିଆଯାଉଛି। ପୁରୀରୁ କଟକ ଯାଉଥିବା ବସ୍ଗୁଡ଼ିକୁ କଳ୍ପନା ଛକରୁ ରସୁଲଗଡ଼ ମଧ୍ୟରେ ଯାତ୍ରୀ ଉଠାଇବାକୁ ଦିଆଯାଉନି। ଯେଉଁଥିପାଇଁ ଏଭଳି ସମସ୍ୟା ଉପୁଜିଛି। କେବେ ସମାଧାନ ହେବ କହିହେବ ନାହିଁ।
ହଟହଟା ହେଉଛନ୍ତି ପର୍ଯ୍ୟଟକ
/sambad/media/post_attachments/wp-content/uploads/2017/12/m8-1-300x225.jpg)
ଦୁଇ ବସ୍ ମାଲିକ ସଂଘ ମଧ୍ୟରେ ବିବାଦରେ ଘାଣ୍ଟି ହେଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନ ଋତୁ ଚାଲିଥିବାରୁ ସ୍ୱର୍ଣ୍ଣ ତ୍ରିଭୁଜକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ପୁରୀକୁ ଯିବା ଲାଗି ବସ୍ ନ ପାଇ ହଟହଟା ହେଉଛନ୍ତି। ରାସ୍ତାପାର୍ଶ୍ୱରେ ଛିଡ଼ା ହେଉଛନ୍ତି। କାଁ ଭାଁ ବସ୍ ଆସିଲେ ସେଥିରେ ଯିବା ଲାଗି ଚଢ଼ାମଢ଼ା ହେଉଛନ୍ତି। କଳ୍ପନା ଛକ, ଧଉଳି ଛକ, ଉତ୍ତରା ଛକ, ରବି ଟକିଜ୍ ଛକରେ ପର୍ଯ୍ୟଟକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅଟୋ ଓ କାର ଚାଳକମାନେ ଏହାର ଫାଇଦା ଉଠାଇ ପର୍ଯ୍ୟଟକ ଓ ଯାତ୍ରୀଙ୍କଠାରୁ ଚଢ଼ା ଦରରେ ଭଡ଼ା ନେଉଛନ୍ତି।
ସିଟି ବସ୍ ଅବସ୍ଥା ସାଂଘାତିକ
ଗୋଟିଏ ପଟେ ୫ ଦିନ ହେଲା ଘରୋଇ ବସ୍ ଗଡ଼ୁ ନ ଥିବା ବେଳେ ଭୁବନେଶ୍ୱରରୁ ପୁରୀ ଗଡ଼ୁଥିବା ସିଟି ବସ୍ ଅବସ୍ଥା ସାଂଘାତିକ। ପୂର୍ବରୁ ୨୦ଟି ବସ୍ ଗଡ଼ୁଥିବା ବେଳେ ଏବେ ହାତଗଣତି ବସ୍ ଯାଉଛି। ତାହା ପୁଣି କେତେବେଳେ କେମିତି। ୨ରୁ ୩ ଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏ ସିଟି ବସ୍ ମାଷ୍ଟରକ୍ୟାଣ୍ଟିନ୍ ବସ୍ଷ୍ଟାଣ୍ଡ ଛାଡ଼ୁଛି। ବସ୍ଗୁଡ଼ିକ ଠିକ୍ ନ ଥିବାରୁ ଅଧା ବାଟରେ ବି ଖରାପ ହେବାର ଆଶଙ୍କା ପ୍ରକାଶ ପାଉଛି। ଏସି ସିଟି ବସ୍ରେ ମଧ୍ୟ ଅଧିକ ଯାତ୍ରୀ ପରିବହନ ହୋଇପାରୁନି। ଯେତିକି ସିଟ୍ ସେତିକି ଯାତ୍ରୀ ଯାଉଛନ୍ତି। ଟିକେଟ୍ ମୂଲ୍ୟ ଶହେ ଟଙ୍କା ରହିଛି। ସାଧାରଣ ଲୋକଙ୍କୁ ଏହି ବସ୍ରେ ଯିବା କଷ୍ଟକର ହୋଇପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/m9.jpg)