ଖଣ୍ଡଗିରି: ଆସିକା ଓ ରାଜଧାନୀ ବସ୍ ମାଲିକ ସଂଘ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇଥିଲେ ମଧ୍ୟ ଭିତରେ ଭିତରେ ନିଅାଁ କୁହୁଳୁଥିବା ସୂଚନା ମିଳିଛି। ରାଜଧାନୀ ମାଲିକ ସଂଘ ଆସିକା ବସ୍ ଚଳାଚଳ କରିବାକୁ ସୁଯୋଗ ଦେଇଥିବା ବେଳେ ଆସିକା ସଂଘ ରାଜଧାନୀ ବସ୍ ମାଲିକଙ୍କ ଗାଡ଼ିକୁ ପୂର୍ବବତ୍ ଅଟକ ରଖିଥିବାରୁ ପୁଣି ବିବାଦ ମୁଣ୍ଡ ଟେକିବାର ଆଭାସ ମିଳିଛି। ପରିବହନ କମିସନର ଓ କମିସନରେଟ୍ ପୁଲିସର ନିର୍ଦେଶକୁ ସମ୍ମାନ ଜଣାଇ ରାଜଧାନୀ ବସ୍ ମାଲିକ ସଂଘ ଆସିକା ବସ୍ ଛାଡ଼ିଥିବା ବେଳେ ଆସିକା ମାଲିକ ସଂଘ କିନ୍ତୁ ଏଥିରେ ରାଜି ହୋଇନାହିଁ। ଏ ଭିତରେ ୨ ଦିନ ବିତି ଯାଇଥିବା ବେଳେ ଆସିକା ମାଲିକ ସଂଘ ନିଜ ଜିଦ୍ରେ ଅଟଳ ରହିଥିବାରୁ ରାଜଧାନୀ ମାଲିକ ସଂଘ ପୁଣି ଆସିକା ସଂଘର ପନ୍ଥା ଆପଣେଇବ ବୋଲି ଆଭାସ ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ଆସିକା ପଟୁ ଭୋର୍ ସମୟରେ ଭୁବନେଶ୍ୱରକୁ ଆସିବା ପାଇଁ ରାଜଧାନୀ ବସ୍ ମାଲିକ ସଂଘର ଏକ ବସକୁ ପରିବହନ କମିସନର ରୁଟ୍ ପର୍ମିଟ୍ ଦେଇଛନ୍ତି। କିନ୍ତୁ ଏହି ବସ୍କୁ ଆସିକା ମାଲିକ ସଂଘ ବିରୋଧ କରି ଉକ୍ତ ଗାଡ଼ିକୁ ଅଟକ ରଖିଛି। ଏହାକୁ ବିରୋଧ କରି ଅନୁରୂପ ଭାବେ ରାଜଧାନୀ ବସ୍ ମାଲିକ ସଂଘ ଆସିକା ବସ୍ଗୁଡ଼ିକ ବରମୁଣ୍ଡାରେ ଅଟକ ରଖିଥିଲେ। ଗତ ସପ୍ତାହରେ ଏଭଳି ଗାଡ଼ି ଅଟକା ଅଟକି ଯୋଗୁଁ ୫ଦିନ ପର୍ଯ୍ୟନ୍ତ ଆସିକା ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ବନ୍ଦ ହୋଇ ଯାଇଥିିଲା। କିନ୍ତୁ ସୋମବାର ପରିବହନ କମିସନରଙ୍କ ନିର୍ଦେଶକ୍ରମେ ରାଜଧାନୀ ବସ୍ ମାଲିକ ସଂଘ ଆସିକା ଗାଡ଼ିଗୁଡ଼ିକୁ ଛାଡ଼ି ଦେଇଥିଲେ। ରାଜଧାନୀ ବସ୍ ମାଲିକ ସଂଘ ସମ୍ପାଦକ ତୁଷାରକାନ୍ତ ଆଚାର୍ଯ୍ୟଙ୍କ ଅଭିଯୋଗ ଯେ ପରିବହନ କମିସନର ଓ କମିସନରେଟ୍ ପୁଲିସ କହିବା ପରେ ସେମାନେ ଆସିକା ଗାଡ଼ିଗୁଡ଼ିକ ଛାଡ଼ି ଦେଲେ। କିନ୍ତୁ ଏବେ ଆସିକା ସଂଘ ପରିବହନ କମିସନରଙ୍କ ନିର୍ଦେଶକୁ ବେଖାତିର କରି ଗାଡ଼ିକୁ ପର୍ମିଟ୍ର ଧାର୍ଯ୍ୟ ସମୟରେ ଛାଡ଼ୁ ନାହିଁ। ବସ୍ଟି ସେମିତି ଆସିକାରେ ଅଟକି ରହିଛି। ପରିବହନ କମିସନରଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେଣୁ ଆସିକା ମାଲିକ ସଂଘ ଉକ୍ତ ବସ୍କୁ ଧାର୍ଯ୍ୟ ସମୟରେ ଚଳାଚଳ କରିବାକୁ ନ ଦେଲେ ସେମାନେ ପୁଣି ଆଇନକୁ ହାତକୁ ନେବେ ବୋଲି ଶ୍ରୀ ମିଶ୍ର ଜଣାଇଛନ୍ତି।
ଭିତରେ ଭିତରେ କୁହୁଳୁଛି ନିଅାଁ
ବସ୍ ମାଲିକ ସଂଘ ବିବାଦ ମାମଲା
/sambad/media/post_attachments/wp-content/uploads/2018/05/bus-baramunda.jpg)