ବସ୍‌ ମାଲିକ ସଂଘ ବିବାଦ : ଆସିକା-ଭୁବନେଶ୍ୱର ବସ୍‌ ଚଳାଚଳ ବନ୍ଦ, ଉଭୟ ପଟେ ଅଟକାଯାଇଛି ଏକାଧିକ ବସ୍‌

ଖଣ୍ଡଗିରି : ଆସିକା ବସ୍‌ ମାଲିକ ସଂଘ ଓ ରାଜଧାନୀ ବସ୍‌ ମାଲିକ ସଂଘ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇପାରିନାହିଁ। ତେଣୁ ୨ ଦିନ ହେଲା ଏହି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ହଜାର ହଜାର ଯାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଭୟ ପଟୁ ପ୍ରାୟ ଡଜନେ ବସ୍‌ ଏବେ ବି ଅଟକି ରହିଛି। ଦୁଇ ସଂଘ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ବି ସମାଧାନର କୌଣସି ବାଟ ବାହାରି ପାରିନାହିଁ। ତେବେ ଆଜି କିଛି ବସ୍‌ ମାଲିକ ଏ ନେଇ ପରିବହନ କମିସନର୍‌ଙ୍କୁ ଭେଟି ବିବାଦର ଅବସାନ କରାଇବା ପାଇଁ ଦାବିପତ୍ର ଦେଇଛନ୍ତି। ତଥାପି ଆଜି ରାତି ସୁଦ୍ଧା ଏହି ରୁଟ୍‌ରେ ବସ୍‌ ଚଳାଚଳ ହୋଇପାରିନାହିଁ ଓ ଆସନ୍ତାକାଲି ମଧ୍ୟ ବସ୍‌ ଚଳାଚଳ କରିବା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଆସିକା ବସ୍‌ ମାଲିକ ସଂଘ ଓ ରାଜଧାନୀ ବସ୍‌ ମାଲିକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆଜି ବଢ଼ିବ ବୋଲି ଆଶଙ୍କା କରାଯାଉଥିଲା। ଆସିକା ସଂଘକୁ ସମର୍ଥନ କରି ଭଂଜନଗର ସଂଘ ରାଜଧାନୀ ସଂଘର କିଛି ବସ୍‌ ଅଟକ ରଖିବା କାରଣରୁ ଏହି ବିବାଦ ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଏମିତିକି ଗଞ୍ଜାମ ଜିଲ୍ଲାର ସମସ୍ତ ବସ୍‌ ମାଲିକ ସଂଘ ଏକଜୁଟ୍‌ ହୋଇ ରାଜଧାନୀ ବସ୍‌ ମାଲିକ ସଂଘ ବିରୋଧରେ ଠିଆ ହେବେ ବୋଲି ପ୍ରଚାର ହୋଇଥିଲା। ଯଦି ଗଞ୍ଜାମ ଜିଲ୍ଲା ସଂଘ ସେଭଳି ପଦକ୍ଷେପ ଗ୍ରହଣ କରିବ, ରାଜଧାନୀ ସଂଘ ମଧ୍ୟ ପାଲଟା ଜବାବ୍‌ ଦେବାକୁ ଯାଇ ବରମୁଣ୍ଡାରୁ ଗଞ୍ଜାମକୁ ବସ୍‌ ଛାଡ଼ିବ ନାହିଁ ବୋଲି ଧମକ ଦେଇଥିଲା। ଦୁଇ ପକ୍ଷର ଏଭଳି ଟକରାଟକରି କିନ୍ତୁ ଆଜି ସକାଳୁ ନରମ ପଡ଼ି ଯାଇଥିଲା। ପୂର୍ବ ଭଳି କେବଳ ଆସିକା ଓ ରାଜଧାନୀ ସଂଘ ମଧ୍ୟରେ ବିବାଦ ସୀମିତ ରହିଥିଲା। ଫଳରେ ଉଭୟ ପଟୁ କେବଳ ଆସିକା ଭୁବନେଶ୍ୱର ରୁଟ୍‌ରେ ପ୍ରାୟ ୧୨ଟି ବସ୍‌ ଅଟକି ରହିଯାଇଥିଲା। ଏଥିପାଇଁ ଆଜି ବି ବୁଗୁଡ଼ା, କୋଦଳା, କବିସୂର୍ଯ୍ୟନଗର, କେଶପୁର, ପୋଲସରା, ଖଲ୍ଲିକୋଟ, ମୋଟାବାଡ଼ି ଓ ଆସିକା ଆଦି ଅଞ୍ଚଳର ଯାତ୍ରୀମାନେ ବସ୍‌ ସେବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହୋଇଛନ୍ତି।

ବରମୁଣ୍ଡାରେ ଖଣ୍ଡଗିରି ଥାନା ପୁଲିସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦିଗରେ ପଦକ୍ଷେପ ନେଇଥିଲେ ବି ଅଟକି ରହିଥିବା ଆସିକା ଗାଡ଼ିଗୁଡ଼ିକୁ ଚଳାଚଳ କରିବାକୁ ସକ୍ଷମ ହୋଇନାହିଁ। ଆସିକାରେ ଅଟକି ରହିଥିବା ରାଜଧାନୀ ବସ୍‌ ମାଲିକ ସଂଘର ଗାଡ଼ିଗୁଡ଼ିକ ସେଠାରୁ ମୁକୁଳି ନଥିବାରୁ ରାଜଧାନୀ ସଂଘ ଆସିକା ବସ୍‌ଗୁଡ଼ିକୁ ଛାଡ଼ିନାହିଁ। ଏଭଳି ପରିସ୍ଥିତିରେ କମିସନରେଟ୍‌ ପୁଲିସ ଗଞ୍ଜାମ ପୁଲିସ ସହ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି। କିନ୍ତୁ ପରିବହନ କମିସନର୍‌ଙ୍କ ନିର୍ଦେଶ ମୁତାବକ ପୁଲିସ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି। ଆଜି ରାଜଧାନୀ ବସ୍‌ ମାଲିକ ସଂଘ, ବାଲୁଗାଁ ଭଗବତୀ ବସ୍‌ ମାଲିକ ସଂଘ ଓ ମିନି ବସ୍‌ ମାଲିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ପରିବହନ କମିସନର ମଧୁସୂଦନ ପାଢ଼ୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ରୁଟ୍‌ ପର୍‌ମିଟ୍‌ ପାଇଥିବା ବସ୍‌କୁ ଆସିକା ସଂଘ ବେଆଇନଭାବେ ଜୋରଜବରଦସ୍ତ ଅଟକାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେକ୍‌ କମଲଉଦ୍ଦିନ୍‌, ସୁନୀଲ ମହାନ୍ତି, ସମରେନ୍ଦ୍ର ପଟ୍ଟନାୟକ, ଆଇନଜୀବୀ ମନୋଜ ପଟ୍ଟନାୟକ, ସୁମିତ୍‌ ଜେନା, ଜୟନ୍ତ ସାହୁ ଓ ଦୁଷ୍ମନ୍ତ ପଟ୍ଟନାୟକ ପ୍ରମୁଖ ଶ୍ରୀ ପାଢ଼ୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ରୁଟ୍‌ ପର୍‌ମିଟ ଦିଆଯାଇଥିବା ବସ୍‌ଗୁଡ଼ିକର ସୁରକ୍ଷିତ ଚଳାଚଳ ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର