ଖଣ୍ଡଗିରି : ନିଆଁ ମୁହଁରୁ ବର୍ତିଗଲା ବସ୍

ଖଣ୍ଡଗିରି : ଆଉ ମାତ୍ର କେଇ ମିନିଟ୍‌ ବିଳମ୍ବ ହୋଇଥିଲେ ବସ୍‌ରେ ନିଆଁ ଲାଗିଯାଇଥାନ୍ତା। ସୌଭାଗ୍ୟବଶତଃ ଗାଡ଼ିଚାଳକଙ୍କ ନଜର ପଡ଼ିଗଲା ଓ ‌ସେ ବିକଳରେ ଜାତୀୟ ରାଜପଥ ମଝିରେ ଗାଡ଼ିକୁ ଅଟକାଇଦେଲେ। ଫଳରେ ଇଞ୍ଜିନ୍‌ରେ ନିଆଁ ଧରିବା ପୂର୍ବରୁ ରକ୍ଷା ହୋଇଗଲା। ତେବେ ଇଞ୍ଜିନ୍‌ରୁ ପ୍ରବଳ ଧୂଆଁ ବାହାରିବା ଦେଖି ବସ୍‌ରେ ଥିବା ଯାତ୍ରୀମାନେ ପ୍ରାଣବିକଳରେ ଠେଲାପେଲା ହୋଇ ଓ ଝରକା ବାଟେ ଡେଇଁ ବାହାରକୁ ପଳାଇ ଆସିଥିଲେ। ଠେଲାପେଲା ଓ ଡିଆଁଡେଇଁରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ କେହି ଗୁରୁତର ହୋଇନହାନ୍ତି। ଗତକାଲି ଗଞ୍ଜାମରେ ବିଦ୍ୟୁତ୍ ତାର ଛିଡ଼ି ବସ୍‌ ଜଳିଯିବା ଓ ୧୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିବା ଭୟ ମନରୁ ଯାଇନଥିବାବେଳେ ସୋମବାର ୧୬ ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ଛକରେ ଘଟିଥିବା ଏହି ଅଘଟଣ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁସାରେ ଭୁବନେଶ୍ବରରୁ ନୟାଗଡ଼ ଶରଣକୁଳ ଯାଉଥିବା ରଘୁନାଥ ବସ୍‌(ଓଡି୨୫ଜେ-୩୬୬୬) ପାତ୍ରପଡ଼ା ବଜାର ପାର୍ ହେଉଥିବା ବେଳେ ହଠାତ୍ ରାସ୍ତା ମଝିରେ ଅଟକି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଗାଡ଼ି ଚାଳକ ଯାତ୍ରୀମାନଙ୍କୁ ତୁରନ୍ତ ଓହ୍ଲାଇ ପଡ଼ିବାକୁ ପାଟି କରି କହିଥିଲେ। ସେତେବେଳକୁ ଇଞ୍ଜିନ୍‌ ପାଖରୁ ପ୍ରଚୁର ଧୂଆଁ ବାହାରୁଥିଲା। ଧୂଆଁକୁ ଦେଖି ଯାତ୍ରୀମାନେ ବିକଳରେ ଠେଲାପେଲା ହୋଇ ବାହାରକୁ ବାହାରିଥିଲେ। ତେବେ ଯୁବକମାନେ ଝରକା ବାଟେ ଡେଇଁ ପଡ଼ିଥିଲେ। ଆଗ ପ୍ରାଣ ବଞ୍ଚାଇବାକୁ ଯାଇ ଯାତ୍ରୀମାନେ ନିଜ ନିଜ ଜିନିଷପତ୍ର ଛାଡ଼ି ତଳକୁ ଓହ୍ଲାଇପଡ଼ିଥିଲେ। ଏହି ସମୟରେ ରାଜପଥରେ ଯାନବାହାନ ସବୁ ଅଟକି ଯାଇଥିଲେ ଓ ରାସ୍ତା ଜାମ୍‌ ହୋଇ ଯାଇଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଜାମ୍ ହଟାଇଥିଲା। ବସ୍ ଅଟକିଯିବାର କିଛି ସମୟ ପରେ ଧୀରେ ଧୀରେ ଧୂଆଁ କମି ଯାଇଥିଲା। ତେଣୁ ବସ୍‌କୁ ରାସ୍ତା କଡ଼କୁ ସାଇଡ୍‌ କରାଯିବା ସହ ଇଞ୍ଜିନ୍‌ ମରାମତି କରାଯାଇଥିଲା। ପ୍ରାୟ ଘଣ୍ଟାକ ପରେ ପୁଣି ଯାତ୍ରୀମାନଙ୍କୁ ନେଇ ବସ୍‌ଟି ଶରଣକୁଳ ଅଭିମୁଖେ ବାହାରିଥିଲା।

ସମ୍ବନ୍ଧିତ ଖବର