ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀ ୧୦ ଦଫା ଦାବିପତ୍ର ଦେଲା ମାଲିକ ସଂଘ
ବସ୍ ପିଛା ଲକ୍ଷେ ଟଙ୍କା ସୁଧମୁକ୍ତ ଋଣ ଦେବାକୁ ଦାବି
ଭୁବନେଶ୍ବର : ପୁରୀକୁ ଛାଡ଼ି ରାଜ୍ୟରେ ବାକି ସ୍ଥାନକୁ ବସ୍ ଚଳାଚଳ ପାଇଁ ଆଜିଠାରୁ ଅନୁମତି ମିଳିଥିଲା। କିନ୍ତୁ ଆଜି ପ୍ରଥମ ଦିନରେ ରାଜଧାନୀରୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବସ୍ ଚଳାଚଳ ସ୍ବାଭାବିକ ହୋଇପାରିଲାନି। ବରମୁଣ୍ଡାସ୍ଥିତ ଅଲ୍ ଓଡ଼ିଶା ବସ୍ ଓନର୍ସ ଆସୋସିଏସନ୍ ଅଧୀନରେ ପ୍ରାୟ ୧୩ ଶହରୁ ଅଧିକ ବସ୍ ବିଭିନ୍ନ ରୁଟ୍ରେ ଯାତାୟାତ କରିଥାଏ। କିନ୍ତୁ ଆଜି ଏଠାରୁ ମାତ୍ର ୫ଟି ବସ୍ ଗଡ଼ିଥିଲା। ଲୋକ ନ ହେବାରୁ ସେତକ ବି ଅଧା ବାଟରୁ ଫେରି ଆସିଥିବା ଜଣାଯାଇଛି।
ଆସୋସିଏସନ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବସ୍ ଚଳାଚଳ ସହ ଜଡ଼ିତ ପ୍ରାୟ ୬୦ ହଜାର କର୍ମଚାରୀ ଏଯାବତ୍ କାମକୁ ଫେରି ନାହାନ୍ତି। ତେଣୁ ପୂରା ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ହେବାକୁ ଆହୁରି ସମୟ ଲାଗିପାରେ। ଅପରପକ୍ଷେ ବସ୍ ଚଳାଚଳ ପାଇଁ ଯାତ୍ରୀ ନହେବା କିମ୍ବା କର୍ମଚାରୀ କାମକୁ ନ ଫେରିବା ବସ୍ ମାଲିକ ସଂଘ ପାଇଁ ଯେତିକି ସମସ୍ୟା ନୁହେଁ; ତା’ଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଲା, ବସ୍କିଣା ବାବଦ ମାସିକିଆ କିସ୍ତି ଓ ରୋଡ୍ ଟ୍ୟାକ୍ସ ଭରିବା। ତେଣୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ମାଲିକମାନଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ମାଲିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ମର୍ମରେ ଆଜି ସଂଘ ପକ୍ଷରୁ ୧୦ ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖାଯାଇଛି।
ସେମାନଙ୍କ କହିବା କଥା ହେଲା; ପାଖାପାଖି ସାଢ଼େ ୩ ମାସ ହେଲା ନ ଚାଲିବାରୁ ବସ୍ର ଟାୟାର, ଇଂଜିନ୍, ବ୍ୟାଟେରି ଅନ୍ୟାନ୍ୟ ଜିନିଷର ମରାମତି ତଥା ରକ୍ଷଣାବେକ୍ଷଣା ପାଇଁ ଟଙ୍କା ଆବଶ୍ୟକ। ସେଥିପାଇଁ ସରକାର ପ୍ରତି ବସ୍ ପିଛା ଲକ୍ଷେ ଟଙ୍କା ସୁଧମୁକ୍ତ ଋଣ ପ୍ରଦାନ କରନ୍ତୁ। ଏହା ସହ ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବର ମାସର ମଧ୍ୟ ଟିକସ ଛାଡ଼ କରାଯାଉ ବୋଲି ସଂଘ ନିବେଦନ କରିଛି। ସେହିଭଳି ରାଜ୍ୟ ବାହାରକୁ ଅର୍ଥାତ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଯାଉଥିବା ପ୍ରାୟ ୪ଶହ ବସ୍ର ଟିକସ ଛାଡ଼ କରିବା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟକୁ ଅନୁରୋଧ କରନ୍ତୁ ବୋଲି ସଂଘ କହିଛି। ମହାମାରୀର ପ୍ରଥମ ଲହର ସମୟରେ ୬ ମାସ ଗାଡ଼ି ଗଡ଼ି ନଥିଲେ ବି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ସମସ୍ତ ଟିକସ ନେବା ସହ ବିଳମ୍ବିତ ଟିକସ ପ୍ରଦାନ ପାଇଁ ଜରିମାନା ଆଦାୟ କରିଥିଲେ। ପ୍ରତି ବସ୍ର ଇନ୍ସ୍ୟୁରାନ୍ସ ପାଇଁ ପ୍ରାୟ ଲକ୍ଷେରୁ ଦେଢ଼ଲକ୍ଷ ଟଙ୍କା ଆବଶ୍ୟକ। ମାତ୍ର ସଂପ୍ରତି ଅନେକ ବସ୍ର ଇନ୍ସ୍ୟୁରାନ୍ସ ଅବଧି ଶେଷ ହୋଇଯାଇଥିବାରୁ ତାହାକୁ ନବୀକରଣ କରାଇବାକୁ କମ୍ପାନି ପକ୍ଷରୁ କୁହାଯାଇଛି। କୋଭିଡ୍ ପାଇଁ ପାଖରେ ଟଙ୍କା ନଥିବାରୁ ଏହି ସମସ୍ୟା ପ୍ରତି ସରକାର ଅବଗତ ହୋଇ ଏହାର ସମାଧାନ କରିବାକୁ ସଂଘ ନିବେଦନ କରିଛି। ଅପରପକ୍ଷେ ବସ୍ ଯାତାୟାତ ସହିତ ଜଡ଼ିତ ୬୦ ହଜାରରୁ ଅଧିକ କର୍ମଚାରୀଙ୍କ ପାଇଁ ସରକାର ଏକ ସ୍ବତନ୍ତ୍ର ଯୋଜନା କରନ୍ତୁ। ଏହି ଯୋଜନାରେ ସେମାନଙ୍କ ପରିବାର ପାଇଁ ରାସନ୍ ସାମଗ୍ରୀ ଯୋଗାଇ ଦେବାକୁ ନିୟମ କରାଯାଉ। ଏହିଭଳି ପ୍ରାୟ ୧୦ଦଫା ସମ୍ବଳିତ ଦାବିପତ୍ର ସଂଘ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ସଚିବ ଏବଂ ପରିବହନ ଆୟୁକ୍ତଙ୍କୁ ଦେଇଛି।
ଏହାକୁ ମିଶାଇ ଗତ ଏପ୍ରିଲ୍ ୧୬ରୁ ମିଶାଇ ସଂଘ ପକ୍ଷରୁ ମୋଟ ୭ଟି ଚିଠି ଦିଆଗଲାଣି। ଏ ସଂପର୍କରେ ଆସନ୍ତାକାଲି ଅପରାହ୍ଣ ସାଢ଼େ ୪ଟାରେ ଲୋକସେବା ଭବନରେ ବୈଠକ ବସିବ ଏବଂ ଏହି ବୈଠକରେ ଅର୍ଥ ଓ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ, ପରିବହନ ଆୟୁକ୍ତଙ୍କ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି।