ଭୁବନେଶ୍ବର: କରୋନା ଭୂତାଣୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବାରୁ ଯାତ୍ରୀ ପରିବହନ ସେବା ବିଶେଷଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁଁ କେବଳ ଯେ ଗାଡ଼ି ମାଲିକ ବା କର୍ମଚାରୀ ପ୍ରଭାବିତ ହୋଇଛନ୍ତି, ତା’ ନୁହେଁ, ଏମାନଙ୍କ ଉପରେ ଭରସା କରି ଚଳୁଥିବା ଛୋଟମୋଟ ଦୋକାନୀଙ୍କ ପେଟପାଟଣା ବି ସଂକଟରେ ପଡ଼ି ଯାଇଛି। ଗୋଟିଏ ପଟେ ରୋଜଗାର ବନ୍ଦ ଓ ଅନ୍ୟପଟେ ଲକ୍ଡାଉନ୍କୁ ମାସେ ପୂରିବାକୁ ବସିଥିବା ବେଳେ ପାଖରେ ଥିବା ସଞ୍ଚିତ ଧନ ସରି ସରି ଆସିଲାଣି। କିଛି ହାତ ଉଧାରିରେ ବୁଡ଼ି ଗଲେଣି। ତେଣୁ ଆଗକୁ କେମିତି ଚଳିବେ, ସେଇ ଚିନ୍ତାରେ ଏବେ ସେମାନେ ଘାରି ହେଉଛନ୍ତି। ଯେଉଁମାନେ ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିଲେ, ସେମାନେ ମୁଣ୍ଡରେ ହାତ ଦେଲେଣି। ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଦୋକାନ ଦେଇଥିବା କିଛି ବ୍ୟବସାୟୀଙ୍କ କରୁଣ ସ୍ଥିତି ହିଁ ଏହି ବର୍ଗର ଛୋଟମୋଟ ବ୍ୟବସାୟୀଙ୍କ ବାସ୍ତବ ସ୍ଥିତି ବୟାନ କରୁଛି। ୧୯୯୨ ମସିହାରେ ବରମୁଣ୍ଡା ବସଷ୍ଟାଣ୍ଡ ସ୍ଥାପନ ହେବା ସମୟରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୩୦ଜଣ ଦୋକାନୀ ଏଠାରେ ନିଜର ବ୍ୟବସାୟ କରି ଆସୁଛନ୍ତି। ବଡ଼ି ଭୋର୍ରୁ ବିଳମ୍ବିତ ରାତି ଯାଏ ବସଷ୍ଟାଣ୍ଡରେ ଗହଳିଚହଳି ସହ ବେପାର ଲାଗି ରହୁଥିଲା। ଯାତ୍ରୀ ତଥା ବସ୍ କର୍ମଚାରୀଙ୍କ ଆବଶ୍ୟକତା ଅନୁଯାୟୀ, ବିଭିନ୍ନ ସାମଗ୍ରୀର ବେପାର ହେଉଥିଲା। ଜଳଖିଆ ଓ ମିଲ ପ୍ରସ୍ତୁତ କରୁଥିବା ଦୋକାନ, ଫାଷ୍ଟଫୁଡ୍, ଫଳରସ, ମୋବାଇଲ ରିଚାର୍ଜ, ଆଇସକ୍ରିମ, କୋଲଡ୍ରିଙ୍କସ୍, ପାନ ପ୍ରଭୃତି ଦୋକାନରେ ବେଶ୍ ଭଲ ବେପାର ହେଉଥିଲା। ଦଶମରୁ ବିଏ ପଢ଼ିଥିବା ଛାତ୍ର ସ୍ବରୋଜଗାର ଉଦ୍ଦେଶ୍ୟରେ ଏଠାରେ ପସରା ମେଲାଇଥିଲେ। ମାସିକ ପାଖାପାଖି ୧୦ରୁ ୧୫ହଜାର ଟଙ୍କା ଉପାର୍ଜନ କରି ପରିବାର ପ୍ରତିପୋଷଣ କରୁଥିଲେ।
ବର୍ତ୍ତମାନ କରୋନା କଟକଣା ଯୋଗୁଁ ସଞ୍ଚିତ ଥିବା ଅର୍ଥ ସରିବା ପରେ ଘର ସାମଗ୍ରୀ ଆଣିବା, ଘରଭଡ଼ା ଓ ପିଲାଙ୍କ ସ୍କୁଲ ଫି’ ଦେବା ଅନେକଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। ଦିନେ ଖଟିଲେ ଖାଉଥିବା ଦିନ ମଜୁରିଆଠାରୁ ସ୍ଥିତି ଖରାପ ହୋଇଛି। ଦିନେ ସ୍ବରୋଜଗାରେ ମୁଣ୍ଡ ଟେକି ବଞ୍ଚୁଥିବା ବ୍ୟବସାୟୀ ହାତ ଉଧାରିରେ ବୁଡ଼ିଗଲେଣି। ସରକାର ସମସ୍ତ ସଂଗଠିତ ଓ ଅଣସଂଗଠିତ ଶ୍ରମିକ ଓ ବ୍ୟବସାୟୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଥିବା ବେଳେ ବସଷ୍ଟାଣ୍ଡ ପରିସର ଭିତରେ ଥିବା ଏହି ବ୍ୟବସାୟୀଙ୍କୁ ଭୁଲି ଯାଇଥିବା ଦୋକାନୀମାନେ କହିଛନ୍ତି।
।ବସ୍ରେ ଯାତାୟାତ କରୁଥିବା ଯାତ୍ରୀମାନେ ଏଠାରେ ଖାଦ୍ୟପେୟ କରନ୍ତି। ପୂର୍ବରୁ ହୋଟେଲରେ ବାପା ବସୁଥିଲେ। ଏବେ ମୁଁ ଚଳାଉଛି। ଏଠାରୁ ଯାହା ବେପାର ହୁଏ ଘର ଚଳେ। ଆମେ ଦିନେ ଶହ ଶହ ଲୋକଙ୍କୁ ଖାଇବାକୁ ଦେଉଥିଲୁ, ହେଲେ ଆମକୁ ଖାଦ୍ୟଚିନ୍ତା ହେବ ଭାବିନଥିଲୁ।
-ଦୀପକ କୁମାର ମୁଦୁଲି
।ଦୀର୍ଘ ୧୫ବର୍ଷ ହେବ ମୋବାଇଲ ସଜଡ଼ା ଦୋକାନ କରିଛି। ସେଥିରୁ ଯାହା ପଇସା ଆସେ, ସେଥିରେ ମୋ ପେଟ ଚଳେ। ଯାହା ପାଖରେ ଥିଲା ସବୁ ପଇସା ସରିଗଲାଣି। ଦିନେ ଖାଇଲେ ଦିନେ ଉପାସ ରହିଗଲେ ଚଳିବ, ହେଲେ ଘରଭଡ଼ା ଆଉ ବାକି ଖର୍ଚ୍ଚ ମୁଣ୍ଡରେ ଚଡ଼କ ପକାଇଛି।
-ତାପସ କୁମାର ଦାସ
।୨୨ବର୍ଷ ହେଲା ଏଇଠି ମୋର ହୋଟେଲ ଓ ଜଳଖିଆ ଦୋକାନ ଚଳାଉଛି। ଦୋକାନରୁ ଯାହା ପଇସା ଆସେ, ସେଥିରେ ମୋ ପରିବାର ଚଳେ। ବେପାର ପାଇଁ ପାଖାପାଖି ୪୦ ହଜାର ଟଙ୍କାର ଗ୍ରୋସରି ମୁଁ କିଣିଥିଲି। କିନ୍ତୁ ହଠାତ୍ ତାଲାବନ୍ଦ ଯୋଗୁଁ ସେସବୁ ପଡ଼ି ରହିଛି। ବର୍ତମାନ ସରକାରୀ ସହାୟତା ହିଁ ଏକମାତ୍ର ଭରସା।
-ସୁଦର୍ଶନ ସ୍ୱାଇଁ
।ବରମୁଣ୍ଡା ବସଷ୍ଟାଣ୍ଡ ଆରମ୍ଭରୁ ମୁଁ ଏଠି ପାନଦୋକାନ କରିଛି। ୫ପ୍ରାଣୀ କୁଟୁମ୍ବଙ୍କ ପାଇଁ ଏହି ଦୋକାନ ହିଁ ରୋଜଗାରର ଏକମାତ୍ର ମାଧ୍ୟମ। ଘରଭଡ଼ା ଆଉ ଚଳିବା ଖର୍ଚ୍ଚ ଆଣିବାକୁ ମୁଁ ଅସମର୍ଥ।
-ଭାଗୀରଥ ଦାସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/bus-stand.jpg)