୨୬ କୋଟିର ବସ୍‌ଷ୍ଟପ୍‌ ଛାରଖାର

ଭୁବନେଶ୍ୱର : ହକି ବିଶ୍ବକପ୍‌ ପୂର୍ବରୁ ରାଜଧାନୀରେ ନିର୍ମାଣ ହୋଇଥିବା ସ୍ମାର୍ଟ ବସ୍‌ଷ୍ଟପ୍‌ଗୁଡ଼ିକ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। କେଉଁଠି ବସ୍‌ଷ୍ଟପ୍‌ଗୁଡ଼ିକ ଉପରେ ଗଛ ପଡ଼ି ରହିଛି କେଉଁଠି ବିଦ୍ୟୁତ ଖୁଣ୍ଟ ପଡ଼ି ରହିଛି। ସେହିପରି କେଉଁ ବସ୍‌ଷ୍ଟପର ଛାତ ନାହିଁ ତ କେଉଁଠି ଲାଗିଥିବା କାଚ ପରଦା ପୂରା ଭାଙ୍ଗିଯାଇଛି। ବାତ୍ୟା ଫନିରେ ଭାଙ୍ଗି ଯାଇଥିବା ବସ୍‌ଷ୍ଟପ୍‌ଗୁଡ଼ିକ ଏମିତି ପଡ଼ିଥିଲେ ହେଁ ଏହାକୁ ସଜାଡ଼ିବା ବଦଳରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କର୍ତ୍ତୃପକ୍ଷ ଏନେଇ ଉଦ୍ୟମ ବି କରୁନାହାନ୍ତି। ଫଳରେ ବାତ୍ୟା ପରେ ବସ୍‌ ଷ୍ଟପ୍‌ରେ ‘ମୋ ବସ୍‌’କୁ ଅପେକ୍ଷା କରୁଥିବା ଲୋକ ଖରାରେ ସିଝିବା ପରେ ଏବେ ବର୍ଷାରେ ଭିଜିବାକୁ ଯାଉଛନ୍ତି।

ବାତ୍ୟାରେ କେତେ ବସ୍‌ ଷ୍ଟପ୍ ଭାଙ୍ଗିଛି, କ’ଣ କ’ଣ ଭାଙ୍ଗିଛି ସେନେଇ କ୍ରୁଟ୍ ପକ୍ଷରୁ ଏକ ୫ଜଣିଆ ଟିମ୍ ଦ୍ବାରା ସର୍ଭେ କରି ରିପୋର୍ଟ ପ୍ରସ୍ତୁତ ହୋଇଛି। ମାସେ ହେଲା ସର୍ଭେ ସରିଲାଣି। କିନ୍ତୁ କିଛି କାମ ହେଉନି। ସର୍ଭେ ପରେ ଜଣାପଡ଼ିଛି ଯେ, ମୋଟ୍‌ ୨୦୦ ବସ୍‌ ଷ୍ଟପ୍‌ରୁ ୧୯୪ଟି ଭାଙ୍ଗିଯାଇଛି। ଏଥିରୁ ରାଜଭବନ ନିକଟ ଓ କମିସନରେଟ୍‌ ପୁଲିସ ମୁଖ୍ୟାଳୟ ସମ୍ମୁଖ ବସ୍‌ଷ୍ଟପରେ ବିଦ୍ୟୁତ ଖୁଣ୍ଟ ଓ ଗଛ ପଡ଼ି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଥିବା ୮୦ରୁ ଅଧିକ ବସ୍‌ଷ୍ଟପ ଅଧିକ କ୍ଷତି ଘଟିଥିବା ବେଳେ ଶହେରୁ ଅଧିକ ବସ୍‌ଷ୍ଟପରେ ସାମାନ୍ୟ କ୍ଷତି ଘଟିଛି। ଏସବୁ ବସ୍‌ଷ୍ଟପ୍‌ର ମରାମତି କଲେ ପ୍ରାୟ ୩କୋଟି ୭୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। କାମ ଆରମ୍ଭ ହେଲେ ସରିବାକୁ ଅତିକମ୍‌ରେ ଦେଢ଼ମାସ ସମୟ ଲାଗିବ। ତେବେ ମରାମତି ବାବଦକୁ କିଏ ଟଙ୍କା ଖର୍ଚ୍ଚ କରିବ ସେ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମରାମତି ଖର୍ଚ୍ଚ ବହନ କରିବେ ନା ଏହାକୁ ନିର୍ମାଣ କରିଥିବା ଜିନ୍ଦଲ ଷ୍ଟିଲ୍‌ କର୍ତ୍ତୃପକ୍ଷ ନା କ୍ରୁଟ୍‌ କର୍ତ୍ତୃପକ୍ଷ ମରାମତି ଖର୍ଚ୍ଚ ବହନ କରିବେ ତାହା ନିଷ୍ପତ୍ତି ହୋଇପାରୁନି। ଯେଉଁଥିପାଇଁ ଦରଭଙ୍ଗା ଅବସ୍ଥାରେ ଏବେ ବସ୍‌ଷ୍ଟପ୍‌ଗୁଡ଼ିକୁ ଛାଡ଼ି ଦିଆଯାଇଛି।

ଏହି ୨୦୦ଟି ବସ୍‌ଷ୍ଟପକୁ ଜେଏସ୍‌ପିଏଲ୍‌ ତିଆରି କରିଥି‌ଲା। ଯେଉଁଥିରେ ୬ଫୁଟ୍‌ ଲମ୍ବା ଓ ୩ଫୁଟ୍‌ ଚୌଡ଼ାର ୧୪୦ଟି ଏବଂ ୯ଫୁଟ୍‌ ଲମ୍ବା ଓ ୩ଫୁଟ୍‌ ଚୌଡ଼ାର ୬୦ଟି ବସ୍‌ଷ୍ଟପ ରହିଛି। ତେବେ ଗୋଟିଏ ୬ଫୁଟ୍‌ ଲମ୍ବା ଓ ୩ଫୁଟ୍‌ ଚୌଡ଼ାର ବସ୍‌ଷ୍ଟପ ପାଇଁ ୧୦ଲକ୍ଷ ୩୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୯ଫୁଟ୍‌ ଲମ୍ବ ଓ ୩ଫୁଟ୍‌ ଚୌଡ଼ାର ବସ୍‌ଷ୍ଟପ ପାଇଁ ୧୩ଲକ୍ଷ ୮୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ସମୁଦାୟ ୨ଶହ ବସ୍‌ଷ୍ଟପ ଓ ମୋ ସାଇକେଲ୍‌ ଷ୍ଟାଣ୍ଡ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ନିର୍ମାଣ ହେବାର ବର୍ଷକ ମଧ୍ୟରେ କୌଣସି କ୍ଷତି ହେଲେ ଜେଏସ୍‌ପିଏଲ୍‌ ଏହାର ମରାମତି କରିବାକୁ ଚୁକ୍ତି ହୋଇଥିଲା। କିନ୍ତୁ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ବଡ଼ ଧରଣର କ୍ଷତି ହୋଇଥିବାରୁ ଜେଏସ୍‌ପିଏଲ୍‌ କର୍ତ୍ତୃପକ୍ଷ ଏବେ ମରାମତି କରିବାକୁ ଚାହୁଁନାହାନ୍ତି। ଏପଟେ ବାତ୍ୟାରେ ଯାହା ଭାଙ୍ଗିଛି ବା କ୍ଷତି ହୋଇଛି ତା’ର ଭରଣା ସରକାର ବିପର୍ଯ୍ୟୟ ପାଣ୍ଠିରୁ କରୁଥିବାରୁ କ୍ରୁଟ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି। ନିଜେ ବି ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି। ତେଣୁ ମରାମତି ପାଇଁ ହେବାକୁ ଥିବା ଖର୍ଚ୍ଚର ଆକଳନ କରି ରିପୋର୍ଟ ଧରି ବସିଛନ୍ତି। ସରକାରଙ୍କୁ ପଠାଇବେ ନା ଜେଏସ୍‌ପିଏଲ୍‌କୁ କହିବେ ସେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

କ୍ରୁଟ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମର ପୂରା ରାଜଧାନୀରେ ୫୦୦ଟି ବସ୍‌ଷ୍ଟପ୍ କରିବାକୁ ଯୋଜନା ହୋଇଛି। ୨୦୦ଟି ନିର୍ମାଣ ସରିଥିଲା। କିନ୍ତୁ ବାତ୍ୟାରେ ୧୯୪ଟି ଭାଙ୍ଗିଗଲା। ଏହି ବସ୍‌ଷ୍ଟପ୍ ଗୁଡ଼ିକରେ ବିଭିନ୍ନ ଘରୋଇ ସଂସ୍ଥା ବିଜ୍ଞାପନ ଲଗାଇଥିଲେ ସେଥିରୁ ଆୟ ହେବାକୁ ଥିବା ରାଜସ୍ବରେ ଆମେ ଭବିଷ୍ୟତ ଯୋଜନା କରିଥାନ୍ତୁ। ହେଲେ ନିର୍ମାଣ ସଂପୂର୍ଣ୍ଣ ହେବା ପୂର୍ବରୁ ସବୁ ଭାଙ୍ଗିଗଲା। ଆମ ପାଖରେ ବି ଏହାକୁ ନିର୍ମାଣ କରିବାକୁ ଟଙ୍କା ନାହିଁ। ଜେଏସ୍‌ପିଏଲ୍‌ ବି ଏହାକୁ ମରାମତି କରିବା ସମ୍ଭବ ନୁହେଁ ବୋଲି କହୁଛି। ତେଣୁ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ତାହା କରିବୁ।

ରିପୋର୍ଟ: ହିତେଶ ନାୟକ, ଫଟୋ: ବିଭୂତି ସାହୁ

ସମ୍ବନ୍ଧିତ ଖବର