୧୫ ଦିନ ତଳେ ଜେଲରୁ ଜାମିନରେ ଆସିଥିଲା
ତିନିମାସ ତଳେ ଭୁବନେଶ୍ବରରୁ ଚୋରି କରି କଟକରେ ଧରା ପଡ଼ିଥିଲା
ଭୁବନେଶ୍ବର/ବ୍ରହ୍ମପୁର :ବସ୍ ଚୋରି କରି କମିସନରେଟ ପୁଲିସର ନିଦ ହଜାଇ ଦେଇଥିବା କୁଖ୍ୟାତ ଲୁଟେରା ଆଉ ଏକ ଲୁଟ୍ ଘଟାଇ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଭୁବନେଶ୍ବରରୁ ବସ୍ ଚୋରି କରି ବ୍ରହ୍ମପୁରରେ ଛାଡ଼ି ଫେରାର ହୋଇଯାଇଛି ମୋଷ୍ଟଵାଣ୍ଟେଡ୍ ଜ୍ଞାନରଞ୍ଜନ ସାହୁ। ଚୋରି ବସ୍ ଉଦ୍ଧାର ହୋଇଥିବା ବେଳେ ଜ୍ଞାନରଞ୍ଜନକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ମାତ୍ର ୧୫ଦିନ ତଳେ ଜେଲରୁ ମୁକୁଳିଥିବା ଜ୍ଞାନରଞ୍ଜନର ଏହି କାରନାମା ଏବେ ଆଲୋଡ଼ନ ସୃଷ୍ଟି କରିଛି। ଜ୍ଞାନରଞ୍ଜନ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସମସ୍ତଙ୍କୁ ଚକମା ଦେଇ ବସ ଲୁଟିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ପୁଲିସ ସୂଚନା ଅନୁସାରେ, ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ରହୁଥିବା କିଶୋର ଚନ୍ଦ୍ର ଦାସଙ୍କ ଦାସ ଆଣ୍ଡ୍ ଦାସ (ଓଆର୍ ୦୨ଏଏଚ୍-୯୪୯୧) ନାମକ ଏକ ଯାତ୍ରୀବାହୀ ବସ୍ ରହିଛି। ବସ୍ଟି ପ୍ରତିଦିନ ବରମୁଣ୍ଡା ରୁଚିକା ମାର୍କେଟସ୍ଥିତ ଏକ ପେଟ୍ରୋଲ ପମ୍ପ୍ ବାହାରେ ପାର୍କିଂ କରାଯାଇଥାଏ। ୧୩ ତାରିଖ ଅପରାହ୍ଣରେ ବସ୍ ସେଠାରେ ପାର୍କିଂ କରାଯାଇଥିଲା। ୧୪ତାରିଖ ସକାଳେ ଦେଖିବା ବେଳକୁ ବସ୍ଟି ସେଠାରେ ନଥିଲା। ଏନେଇ ଶ୍ରୀ ଦାସ ଖଣ୍ଡଗିରି ଥାନାରେ ବସ୍ ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ଏହି ନମ୍ବର୍ ବସ୍ଟି ବ୍ରହ୍ମପୁର ବଡ଼ ବଜାର ଥାନା ଫାଷ୍ଟଗେଟ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ବଡ଼ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଜବତ କରିଛି। ବସକୁ ଆଣିବା ପାଇଁ ଖଣ୍ଡଗିରି ଥାନା ପୁଲିସର ଏକ ଟିମ୍ ବ୍ରହ୍ମପୁର ଯାଇଛି। ଖଣ୍ଡଗିରି ପୁଲିସ ତଦନ୍ତ କରି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲା। ଜ୍ଞାନରଞ୍ଜନ ବସକୁ ଚୋରି କରି ନେଉଥିବା ଫୁଟେଜରୁ ଜଣାପଡ଼ିଥିଲା। ବ୍ରହ୍ମପୁରରେ ବସ ଥୋଇ ଲୁଟେରା କୁଆଡ଼େ ଯାଇଛି, ସେନେଇ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି। ବସ ଲୁଟ୍ ପଛର କାରଣ କ’ଣ, ତାହା ଜାଣିବା ଲାଗି ପୁଲିସ ପାଇଁ କଷ୍ଟକର ହୋଇ ପଡ଼ିଛି। ଅଭିଯୁକ୍ତ ଧରାପଡ଼ିବା ପରେ ଗୁମର ଖୋଲିବ ବୋଲି ଆଶା ରଖିଛି ପୁଲିସ। ନକଲି ଚାବିରେ ବସ୍ ଷ୍ଟାର୍ଟ କରି ସେ ଚୋରି କରି ନେଉଥିବା ଜଣାପଡ଼ିଛି।
ପୁଲିସକୁ ପାଣି ପିଆଇ ଦେଇଥିଲା
ଗତ ଅଗଷ୍ଟ ୨୧ ତାରିଖ ରାତିରେ ବରମୁଣ୍ଡା ନିକଟରେ ଆର୍ଯ୍ୟାନ ନାମକ ଯାତ୍ରୀବାହୀ ବସକୁ ପାର୍କିଂ କରି ଏହାର ଡ୍ରାଇଭର ଓ କଣ୍ଡକ୍ଟର ଏକ ହୋଟେଲରେ ଖାଉଥିଲେ। ସେହି ସମୟରେ ଜ୍ଞାନରଞ୍ଜନ ବସ ନେଇ ଫେରାର ହୋଇଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ବସ୍ର ପିଛା କରିଥିଲେ ମଧ୍ୟ ସେ ଦ୍ରୁତ ଗତିରେ କଟକ ଅଭିମୁଖେ ପଳାଇ ଯାଇଥିଲା। ଖଣ୍ଡଗିରି ଥାନା ପୁଲିସଠାରୁ ଖବର ପାଇ ମଞ୍ଚେଶ୍ବର, ଫୁଲନଖରା ଟ୍ରାଫିକ ଥାନା, ବାଦାମବାଡ଼ି ଥାନା ପୁଲିସ ପିଛା କରିଥିଲେ। ଚାଉଳିଆଗଞ୍ଜ ଥାନା ପୁଲିସ ଓଏମପି ଛକ ପାଖରେ ଏକ ଟ୍ରକକୁ ରାସ୍ତା ମଝିରେ ଛିଡ଼ା କରିବା ପରେ ବସଟି ଧକ୍କା ଦେଇଥିଲା। ଜ୍ଞାନରଞ୍ଜନକୁ କାବୁ କରିବା ସହ ପୁଲିସ ବସ ଉଦ୍ଧାର କରିଥିଲା।
ଜ୍ଞାନ ନାଁରେ ଡଜନେ ମାମଲା
ଜ୍ଞାନରଞ୍ଜନ ସାହୁ। ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ହରିସିଂହପୁର। ଦିବ୍ୟାଙ୍ଗ ଜ୍ଞାନରଞ୍ଜନ କଥା କହିପାରେନି। କିନ୍ତୁ ବସ୍ ଚୋରି କରିବାରେ ମାହିର୍। ଗୋଟିଏ କି ଦୁଇଟି ନୁହେଁ, ତା ନାଁରେ ରହିଛି ଡଜନେ ମାମଲା। ବରମୁଣ୍ଡା ବସଷ୍ଟାଣ୍ଡ ହେଉ କି ବାଦାମବାଡ଼ି; ସବୁଠି ବସ୍ ଚୋରି କରିବାରେ ତା ନାଁରେ ରହିଛି ପୁଳାପୁଳା ମାମଲା। ମିଳିଥିବା ସୂଚନା ଅନୁସାରେ, ଗତକାଲିର ବସ ଚୋରିକୁ ମିଶାଇ ଜ୍ଞାନରଞ୍ଜନ ନାଁରେ ୧୨ଟି ବସ୍ ଚୋରି ମାମଲା। ସେ ବସ ମାଲିକ ଓ ପୁଲିସକୁ ଚକମା ଦେଇ ଚୋରି କରି ଫେରାର ହୋଇଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bus-loot.jpg)
