ବସ୍‌-ଟ୍ରକ୍‌ ମୁହାଁମୁହିଁ ଦୁର୍ଘଟଣା, ୨୦ ଯାତ୍ରୀ ଆହତ

‌‌ଖୋର୍ଧା: ଆଜି ଅପରାହ୍‌ଣ ସାଢ଼େ ୩ଟା ସମୟରେ ଭୁବନେଶ୍ବରରୁ ବାଲୁଗାଁ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ସହ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ର ମୁହାମୁହିଁ ଧକ୍‌କା ହୋଇଛି। ଏହି ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣାରୁ ପ୍ରକାଶ ଯେ ଭୁବନେଶ୍ବରରୁ ବାଲୁଗାଁ ଅଭିମୁଖେ ଆସୁଥିବା ଓଡି ୦୨ ଏ ୯୨୩୭ ନମ୍ବର ବିଶିଷ୍ଟ ‘ମା’ ନାମକ ଯାତ୍ରୀବାହୀ ବସଟି ୧୬ ନମ୍ବର ଜାତୀୟ ରାଜପଥର ଚାନ୍ଦପୁର ଥାନା ଅନ୍ତର୍ଗତ ବେଣ୍ଟ ଛକ ନିକଟରେ ବସରୁ ଯାତ୍ରୀ ଓହ୍ଲାଇ ଗନ୍ତବ୍ୟ ପଥରେ ଯାଉଥିଲା। ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁଁ ରାସ୍ତା କାର୍ଯ୍ୟ ଚାଲୁ ଥିବାରୁ ଏକତରଫା ରାସ୍ତାରେ ବିପରୀତ ଦିଗରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଓଡି ୦୭ ଏଲ୍‌ ୨୦୦୩ ନମ୍ବର ବିଶିଷ୍ଟ୍‌ ଟ୍ରକ୍‌ଟି ଆସି ବସ୍‌କୁ ଧକ୍‌କା ଦେଇଥିଲା। ବସ- ଟ୍ରକ୍‌ ମୁହାଁମୁହିଁ ଧକ୍‌କା ହେବା ଫଳରେ ବସ୍‌ର ଚାଳକ ଜେମାଦେଇପୁରର ଅଖିଳ ବେହେରା ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ କିଛି ଯାତ୍ରୀ ବସ୍‌ର ସମ୍ମୁଖଭାଗ ଗ୍ଲାସପଟେ ରାସ୍ତା ଉପରକୁ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଲୋଟସ୍‌ ଚାରିଟେବୁଲ୍‌ ଟ୍ରଷ୍ଟର ସ୍ବେଚ୍ଛାସେବୀ, ଅଗ୍ନିଶମ ବିଭାଗ, ଚାନ୍ଦପୁର ପୋଲିସ, ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚାନ୍ଦପୁର ବସନ୍ତମଞ୍ଜରୀ ଜେନେରାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଚାନ୍ଦପୁର ପୁଲିସ ବସ୍‌ ଓ ଟ୍ରକ୍‌ଟିକୁ ଜବତ କରିଛି। ଆହତଙ୍କ ମଧ୍ୟରେ ସୁକାନ୍ତ ପ୍ରଧାନ (ଗମ୍ଭାରୀମୁଣ୍ତା), ବିରେନ କୁମାର ସାହୁ(ଟାଙ୍ଗୀ), ରାମ ଚନ୍ଦ୍ର ମୁଦୁଲି (ବ୍ରାହ୍ମଣ୍ତି ), କମଳିନୀ ବାରିକ , ସାଇ ପ୍ରଧାନ, କୈଳାସ ବାରିକ, ସଙ୍ଗୀତା ସ୍ବାଇଁ (ସମସ୍ତେ ମଙ୍ଗଳାଯୋଡ଼ି), କୈଳାସ ପ୍ରଧାନ (ଗମ୍ଭାରୀମୁଣ୍ତା) ପ୍ରମୁଖଙ୍କୁ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟାଙ୍ଗୀ ଦେବେନ୍ଦ୍ର ସାହୁଙ୍କ ପତ୍ନୀ ଜୟନ୍ତୀ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ଏମସ୍‌କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସେହିପରି ଅନୀତା ସାହୁ (୧୪), ରଙ୍ଗଲତା ତାଡ଼ (୬୨), ବନମାଳୀ ପ୍ରଧାନ (୨୭), ଭୁବନେଶ୍ବର ମହନ୍ତ (୪୫)ଙ୍କୁ ମଧ୍ୟ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଲାଗି ରହିବା ସହିତ ଲୋକେ ରାସ୍ତାରୋକ କରିଥିଲେ। ମାତ୍ର ପୁଲିସ ଆନ୍ଦୋଳନକରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର