ଯେତେ ବାବୁ ସେତେ ନିଷ୍ପତ୍ତି : ଚାରି ଦିଗରେ ଚାରି ବସ୍‌ ଟର୍ମିନାଲ୍‌ ଯୋଜନା ଉଭାନ୍‌, ବିଡିଏର ମାଷ୍ଟର ପ୍ଲାନ୍‌ କୁଆଡ଼େ ଗଲା?

ଭୁବନେଶ୍ୱର : ରାଜଧାନୀ ଭିତରେ ବହୁ ଗାଡ଼ି ଯାତାୟାତ କରୁଥିବାରୁ ଟ୍ରାଫିକ୍‌ ଜାମ୍‌ ହେଉଛି। ପ୍ରତିଦିନ ଦୁର୍ଘଟଣା ଘଟୁଛି। ତେଣୁ ରାଜଧାନୀକୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ଗୁଡ଼ିକୁ ୪ଟି ସ୍ଥାନରେ ରଖାଯିବ। ଏଥିପାଇଁ ରାଜଧାନୀର ୪ ଦିଗରେ ୪ଟି ବସ୍‌ ଟର୍ମିନାଲ୍‌ ହେବ। ପଟିଆ, ଘଙ୍ଗାପାଟଣା, ନହରକଣ୍ଟା ଓ ପୁରୀ ବାଇପାସ୍‌ର ପାଣ୍ଡରା ନିକଟରେ ବସ୍‌ ଟର୍ମିନାଲ୍‌ ହେବ। ପ୍ରତି ବସ୍‌ ଟର୍ମିନାଲ୍‌ ବିଶ୍ବସ୍ତରୀୟ ହେବ। ଏଥିପାଇଁ ୨୫ରୁ ୩୦ ଏକର ଲେଖା‌ଏ ଜମି ଯୋଗାଇବାକୁ ବିଡିଏ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲା। ଏହି ବସ୍‌ ଟର୍ମିନାଲର ରୂପରେଖ କିପରି ହେବ, କେଉଁ ରୁଟ୍‌ର ବସ୍‌ କେଉଁଠାରେ ରହିବ, ସେନେଇ ବିଡିଏ ୨୦୧୭ ମସିହାରେ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିଲା।

କିନ୍ତୁ ଆଜିକା ଦିନରେ ବିଡିଏର ଏହି ମାଷ୍ଟରପ୍ଲାନ୍ କୁଆଡ଼େ ଗଲା, ସେନେଇ କେହି ମୁହଁ ଖୋଲୁ ନାହାନ୍ତି। ୨୦୧୭‌ ମସିହାରେ ବିଡିଏର ତତ୍କାଳୀନ ଉପାଧ୍ୟକ୍ଷ କ୍ରିଷନ କୁମାର ଏ‌ହି ମାଷ୍ଟରପ୍ଲାନ୍‌ ନେଇ ସେତେବେଳେ ସୂଚନା ଦେଇଥିବା ବେଳେ ବର୍ତ୍ତମାନର ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଏହିଭଳି ମାଷ୍ଟର ପ୍ଲାନ୍‌ କିଛି ଅଛି ବୋଲି ମୁଁ ଜାଣିନି। ଏବେ କଳ୍ପନା ଛକର ପୁରୀ ବସ୍‌ଷ୍ଟାଣ୍ଡ ସମ୍ପ୍ରସାରଣ କରିବା ଆବଶ୍ୟକ ଥିବାରୁ ବିଡିଏ, ପୂର୍ତ୍ତ ବିଭାଗ ସହ ମିଶି ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାର ଡିଜାଇନ୍ ପ୍ରସ୍ତୁତ କରିଛି।

୨୦୧୭ ମସିହାରେ ବିଡିଏ ପ୍ରସ୍ତୁତ କରିଥିବା ମାଷ୍ଟର ପ୍ଲାନ୍ ଅନୁଯାୟୀ, ପୁରୀରୁ ଆସୁଥିବା ସମସ୍ତ ବସ୍ ଲିଙ୍ଗିପରୁ ନିକଟରୁ ପୁରୀ ବାଇପାସ୍‌ରେ ଯିବେ। ପାଣ୍ଡରା ଛକ ନିକଟରେ ନିର୍ମାଣ ହେବାକୁ ଥିବା ବସ୍‌ ଟର୍ମିନାଲରେ ଗାଡ଼ି ପାର୍କିଂ କରିବେ। ସେହିପରି କଟକ ଦିଗରୁ ଆସୁଥିବା ବସ୍‌ଗୁଡ଼ିକ ନହରକଣ୍ଟା ନିକଟରେ, ଖୋର୍ଦ୍ଧା ଦିଗରୁ ଆସୁଥିବା ବସ୍‌ଗୁଡ଼ିକ ଘଙ୍ଗାପାଟଣା ନିକଟରେ ପାର୍କିଂ କରିବେ। ପଟିଆ ବସ୍‌ ଟର୍ମିନାଲରେ ସିଟି ବସ୍‌ ପାର୍କିଂ ହେବ। ଏହି ସମସ୍ତ ବସ୍‌ ଟର୍ମିନାଲରୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟାତ କରିବେ, ସେଥିପାଇଁ ପ୍ରତ୍ୟେକ ବସ୍‌ ଟର୍ମିନାଲରୁ ପ୍ରତି ୫ ମିନିଟ୍‌ରେ ବସ୍‌ ଚାଲିବ। ସମସ୍ତ ନାଇଟ୍‌ କୋଚ୍‌ ବସ୍‌ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପାର୍କିଂ ହେବ। ଏପରିକି ଏଥିପାଇଁ ରାଜଧାନୀରେ ୨୦୨୨ ସୁଦ୍ଧା ୬୦୦ ମୋ ବସ୍‌ ଚଳାଇବାକୁ ବି ଯୋଜନା କରିଥିଲେ।

ରାଜଧାନୀର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ତତ୍କାଳୀନ ପରିବହନ କମିସନର ଡି.ଏସ୍‌ କୁଟ୍ଟେଙ୍କ ଆହ୍ବାନରେ ବସିଥିବା ଏହି ବୈଠକରେ ଗୃହ ବିଭାଗ, ବିଡିଏ, ପରିବହନ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ। ବିଡିଏ ଉପାଧ୍ୟକ୍ଷ ସେଥିରେ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନ୍‌ ବିଷୟ‌ରେ କହିଥିଲେ। ଏହାକୁ ଦୁଇ ବର୍ଷରେ କାର୍ଯ୍ୟକାରୀ କରାଯିବାର ଥିଲା। ଏପରିକି ଏନେଇ ତତ୍କାଳୀନ ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ବରର ଦୁଇ ଆର୍‌ଟିଓ, କମିସନରେଟ୍‌ ପୁଲିସର ଅଧିକାରୀଙ୍କୁ ନେଇ ଏକ ବୈଠକ ବି କରିଥିଲେ।

ଏହି ମାଷ୍ଟର ପ୍ଲାନ୍ ଅନୁଯାୟୀ, ପୁରୀ ଦିଗରୁ ଅର୍ଥାତ୍‌ ପୁରୀ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ଆଦି ରୁଟ୍‌ରୁ ଆସୁଥିବା ବସ୍‌ଗୁଡ଼ିକ ପାଣ୍ଡରା ଛକରେ ହେବାକୁ ଥିବା ବସ୍‌ ଟର୍ମିନାଲରେ ରହିବା କଥା। କିନ୍ତୁ ଏବେ ବିଡିଏ ଓ ପୂର୍ତ୍ତ ବିଭାଗ କଳ୍ପନା ଛକରେ ପୁରୀ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। କଳ୍ପନା ଛକ ଉପରେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ର ଜବରଦଖଲକୁ ଯଥାସମ୍ଭବ ବଞ୍ଚାଇବା ପାଇଁ ବିଡିଏ କର୍ତ୍ତୃପକ୍ଷ ତାଙ୍କର ମାଷ୍ଟରପ୍ଲାନ୍‌କୁ ଜଳାଞ୍ଜଳି ଦେଇ ଦେଇଛନ୍ତି। ତିନି ବର୍ଷ ତଳେ ଯେଉଁ ଅଧିକାରୀମାନେ ରାଜଧାନୀରେ ଟ୍ରାଫିକ ଜାମ୍‌ କମାଇବା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିଲେ, ଏବେ ସେହି ଅଧିକାରୀମାନେ ତାହାକୁ ଭୁଲି ନୂଆ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି।

ଆଶ୍ଚର୍ଯ୍ୟର ବିଷୟ, ତତ୍କାଳୀନ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ଏବେ ପୂର୍ତ୍ତ ସଚିବ ଥିବା ବେଳେ ତାଙ୍କ ଗୋଚରରେ ଏବଂ ସହମତିରେ ହିଁ କଳ୍ପନା ଛକର ନୂଆ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଯେଉଁ ମାଷ୍ଟର ପ୍ଲାନ୍‌ ସେ ପ୍ରସ୍ତୁତ କରିଥି‌ଲେ, ତାହାକୁ କିପରି କାର୍ଯ୍ୟକାରୀ କରାଯିବ, ସେନେଇ ପ‌ଦକ୍ଷେପ ନେବା ବଦଳରେ ମଲ୍‌ର ଜବରଦଖଲକୁ ସୁହାଇବା ପାଇଁ ଯାହା ହୋଇପାରିବ, ସେ ବ୍ୟବସ୍ଥା ପୂର୍ତ୍ତ ବିଭାଗ କରୁଛି। ବର୍ତ୍ତମାନର ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧରୀଙ୍କୁ ତିନି ବର୍ଷ ତଳେ ହୋଇଥିବା ମାଷ୍ଟର ପ୍ଲାନ୍‌ ନେଇ ଅବଗତ କରାଇବା ପରେ ବି ସେ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ, ସେ ମା‌ଷ୍ଟରପ୍ଲାନ୍‌ରେ କ’ଣ ଥିଲା, କ’ଣ ‌େହାଇପାରିବ, ସେନେଇ ବିଡିଏ ଅଧିକାରୀମାନଙ୍କ ସହ ବି ବିଚାରବିମର୍ଶ କରୁନାହାନ୍ତି। ବରଂ କହୁଛନ୍ତି ଯେ ପୂର୍ବରୁ ଯଦି ଏମିତି କିଛି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଥିବ, ଏବେ ତାହାକୁ କାର୍ଯ୍ୟକାରୀ କରିବାର ସମୟ ଆସିନି। ତାହାକୁ କାର୍ଯ୍ୟକାରୀ କଲେ ଲୋକ ବହୁତ ହଇରାଣ ହେବେ।

ବିଡିଏ ଉପାଧ୍ୟକ୍ଷ ତିନି ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନ୍‌ କାର୍ଯ୍ୟକାରୀ ନ କରିବା ପଛରେ ମଲ୍‌କୁ ସୁହାଇବା ନେଇ ସବୁ ଯୋଜନା ହେଉଥିବା ଜଣାପଡ଼ୁଥିଲେ ବି ଏନେଇ କେହି ପାଟି ଖୋଲୁ ନାହାନ୍ତି। ଯେଉଁଠି ବିଡିଏର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିବା ଅଧିକାରୀ ଚୁପ୍‌ ରହି ଯାଇଛନ୍ତି, ସେଠାରେ ଆଉ କିଏ ଏହାକୁ କାର୍ଯ୍ୟକାରୀ କରିବା ନେଇ ମୁହଁ ଖୋଲିବ?

ସମସ୍ତଙ୍କ ନିରବତା ପରେ ପ୍ରଶ୍ନ ଉଠୁଛି, କଳ୍ପନା ଛକରେ ସ୍ବତନ୍ତ୍ର ବସ୍‌ ବେ’ ନିର୍ମାଣ ହେଲେ କଟକ ରୋଡ୍‌ରେ ରସୁଲଗଡ଼ରୁ କଳ୍ପନା ଛକ ପର୍ଯ୍ୟନ୍ତ ୫ କିମି ରାସ୍ତା ଏବଂ କଳ୍ପନାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଆଉ ୫ କିମି ରାସ୍ତାରେ କିପରି ଭିଡ଼ କମିବ? ଏବେ ଯେମିତି ଶତାଧିକ ଯାତ୍ରୀବାହୀ ବସ୍‌ ଚଳାଚଳ ଯୋଗୁ ଏହି ରାସ୍ତାରେ ଭିଡ଼ ହେଉଛି, ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି, ତାହା କ’ଣ କମିଯିବ? ଯେଉଁ ରାସ୍ତାରେ ଗୋଟିଏ ବି ସର୍ବସାଧାରଣ ଗାଡ଼ି ପାର୍କିଂ ଅଞ୍ଚଳ ନଥିବାରୁ ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଛି ଏବଂ ଅସମ୍ଭାଳ ଭିଡ଼ ହେଉଛି, ସେହି ରାସ୍ତାରେ ଭିଡ଼ କମାଇବା ପାଇଁ କଳ୍ପନା ଛକରେ ସ୍ବତନ୍ତ୍ର ବସ୍‌ ବେ’ ନିର୍ମାଣ କ’ଣ ଯଥେଷ୍ଟ ହେବ? ବିଡିଏ କର୍ତ୍ତୃପକ୍ଷ ପୂର୍ବରୁ ଭୁବନେଶ୍ବରରୁ ପୁରୀ, କୋଣାର୍କ, ଅସ୍ତରଙ୍ଗ ରୁଟ୍‌ରେ ଯାତାୟାତ କରୁଥିବା ବସ୍‌କୁ ପୁରୀ ବାଇପାସ୍‌ରେ ଚଲାଇବା ପାଇଁ ଯେଉଁ ଯୋଜନା କରିଥିଲେ, ତାହା କାର୍ଯ୍ୟକାରୀ କରିବା ଦରକାର ନା କେବଳ କଳ୍ପନା ଛକରେ ମଲ୍‌ର ଜବରଦଖଲକୁ ସୁରକ୍ଷା ଦେବାକୁ ଯାଇ ସରକାରୀ କୋଠାକୁ ଭାଙ୍ଗି ରାସ୍ତା ସମ୍ପ୍ରସାରଣ କରିବା ଦରକାର?

ସମ୍ବନ୍ଧିତ ଖବର