ଭୁବନେଶ୍ବର: ଗତବର୍ଷ କରୋନା କୋପରେ କୋଟି କୋଟି ଟଙ୍କାର କ୍ଷତି ସହିବା ପରେ ପୁଣି ଅଣ୍ଟାସଳଖି ଠିଆ ହୋଇଥିଲା ରେସ୍ତୋରାଁ ଇଣ୍ଟଷ୍ଟ୍ରି। ୨/୩ ମାସ ଭଲ ବେପାର ହୋଇଛି କି ନାହିଁ ରେସ୍ତୋରାଁ ଶିଳ୍ପରେ ପୁଣି ପଡ଼ିଲା କରୋନା ମାଡ଼। ଗତବର୍ଷ ଲକ୍‌ଡାଉନ୍‌ରେ ସମ୍ପୂର୍ଣ୍ଣ ଭାବେ ରେସ୍ତୋରାଁଗୁଡ଼ିକ ବନ୍ଦ ରହିଥିବା ବେଳେ ଏଥିରେ କାମ କରୁଥିବା ହଜାର ହଜାର କର୍ମଚାରୀ ବେରୋଜଗାର ହୋଇ ଯାଇଥିଲେ। ଏହା ପରେ ଅନ୍‌ଲକ୍‌ ୧, ୨, ୩ ଆଦିରେ ରେସ୍ତୋରାଁଗୁଡ଼ିକ ଖୋଲିବା ଆରମ୍ଭ କରିଥିବା ବେଳେ କିଛି କିଛି ଲୋକ ରୋଜଗାର ପାଇ ନିଜ ପରିବାର ପ୍ରତିପୋଷଣର ଆଶା ପୁଣି ସଞ୍ଚରିଥିଲା। କିନ୍ତୁ ୧୯ ତାରିଖ ଦିନର ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍‌ ଏବେ ରେସ୍ତୋରାଁ ମାଲିକ ଓ ତାଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନେ ଏବେ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ହୋଟେଲରେ ବସି ଗ୍ରାହକ ଏବେ ଆଉ ଖାଇ ପାରିବେ ନାହିଁ। ଗ୍ରାହକମାନେ କେବଳ ପାର୍ସଲ ନେବେ କିମ୍ବା ଅନ୍‌ଲାଇନ୍ ଅର୍ଡର ନେଇପାରିବେ। ଫଳରେ ରେସ୍ତୋରାଁରେ କାର୍ଯ୍ୟରତ ୱେଟରଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଓ ମାଲିକମାନଙ୍କୁ ଏବେ ଚିନ୍ତା ଘାରିଛି। ଯଦି ଗତବର୍ଷ ଭଳି ସ୍ଥିତି ହୁଏ ରାଜଧାନୀର ଅଧିକାଂଶ ରେସ୍ତୋରାଁଗୁଡ଼ିକ ବନ୍ଦ ହୋଇଯିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।

Advertisment

କର୍ମଚାରୀ ଛଟେଇ ନ କରି ବ୍ୟବସାୟ ହିସାବରେ ଦରମା ଦିଆଯାଉ
ପୁଣି ଏବେ ଜୀବନ ଜୀବିକାକୁ ନେଇ ବଡ଼ ପ୍ରଶ୍ନ ଉଠିଥିବା ବେଳେ ଗତବର୍ଷ ଭଳି ଏ ବର୍ଷ ବି ଆମ ପାଖରେ ଏହାର ଉତ୍ତର ନାହିଁ। ତେବେ ଏବେ ଆମେ ଜୀବନକୁ ହିଁ ପ୍ରଥମେ ଗୁରୁତ୍ବ ଦେବା। ଏହା ହିସାବରେ ଖାଇବା ପିଇବା ବେଳେ ରେସ୍ତୋଁରାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ସରକାର ଏହାକୁ ଆଗେ ବନ୍ଦ କରିଛନ୍ତି। ତାହା ଗ୍ରହଣୀୟ। କିନ୍ତୁ ଏହା ଫଳରେ ‌ରେସ୍ତୋରାଁ ମ‌ାଲିକମାନଙ୍କ ଉପରେ ଅତ୍ୟଧିକ ଚାପ ପଡ଼ିବ। ରେସ୍ତୋରାଁ ଭଡ଼ା, କର୍ମଚାରୀଙ୍କ ଦରମା ଆ‌ଦିର ଆର୍ଥିକ ବୋଝ ଏବେ ମାଲିକମାନଙ୍କ ଉପରେ ଲଦି ହେବାକୁ ଯାଉଛି। କିନ୍ତୁ କୌଣସି ମାଲିକ ନିଜ କର୍ମଚାରୀଙ୍କ ଛଟେଇ ନ କରି ବ୍ୟବସାୟ ଅନୁସାରେ ଦରମା ଦେଇପାରିଲେ ସେମାନଙ୍କ ପରିବାର ବି ବଞ୍ଚିପାରିବ। ତେବେ ଏ କଠିନ ସମୟରେ ସମସ୍ତେ ମିଳିମିଶି ଚଳିଲେ ଏ ଦୁଃଖରୁ ବଞ୍ଚିପାରିବା। ଅନ୍ୟପଟେ ଏହି ସମୟରେ ‌ହୋଟେଲ ପରିବେଶର ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।
ଲୋରା ମହାପାତ୍ର, ମାନେଜିଂ ପାର୍ଟନର୍‌, ଟିମ୍‌ ଯାଯାବର

ହଜାର ହଜାର ପରିବାରର ଆର୍ଥିକ ସ୍ଥିତି ସଙ୍କଟରେ
ଏଇ ୪ ଦିନ ତଳେ ଆମର ଦିନକୁ ୩୫ରୁ ୪୦ ହଜାର ଟଙ୍କାର ବ୍ୟବସାୟ ହେଉଥିଲା। ସରକାରଙ୍କ ପାର୍ସଲ ଗାଇଡ୍‌ଲାଇନ୍‌ ପରେ ଏହା ଏବେ ୬ରୁ ୭ ହଜାର ଟଙ୍କାକୁ ଖସିଯାଇଛି। ଅର୍ଥାତ ବ୍ୟବସାୟ ପ୍ରାୟ ୮୦%ରୁ ଅଧିକ କ୍ଷତିକୁ ଗଲାଣି। ଗତବର୍ଷ ଏହିଭଳି ସ୍ଥିତି ଯୋଗୁଁ ସବୁ ସଞ୍ଚିତ ଧନ ଖର୍ଚ୍ଚ କରି ହୋଟେଲ ବଞ୍ଚାଇଥିଲୁ। ଏବେଠାରୁ ଏହି ପରିସ୍ଥିତି ଯଦି ଯେଲାଣି ଆଗକୁ କ’ଣ ହେବ ସେ ନେଇ ଆମ ଚିନ୍ତା ବଢ଼ିଲାଣି। ଗୁପ୍‌ଚୁପ୍‌, ଚାର୍ଟ ସମସ୍ତ ଷ୍ଟ୍ରିଟ୍‌ ଫୁଡ୍‌ ଆଦି ଖୋଲା ରହିଥିବା ବେଳେ କେବଳ ହୋଟେଲ ବନ୍ଦ କରି ପାର୍ସଲ ବ୍ୟବସ୍ଥା ଲାଗୁ କରିବା ସରକାରଙ୍କ ଅଜବ ନୀତି ଭଳି ମନେ ହେଉଛି। ଚାରି ଆଡ଼େ ଜନଗହଳି କିନ୍ତୁ ହୋଟେଲ ହିଁ ଖାଁ ଖାଁ। ହୋଟେଲକୁ ସାଧାରଣତଃ କର୍ମଜୀବୀ ଲୋକମାନେ ଆସି ଦିନରେ ଖାଇ କରି ଯା’ନ୍ତି। କିନ୍ତୁ ଅଫିସ୍‌ରେ ବସିକି ଖାଇବାର ବ୍ୟବସ୍ଥା ନଥିବାରୁ ଏବେ ଲୋକମାନେ ପାର୍ସଲ ଦେବାକୁ ବି ମନ ବଳାଉନାହାନ୍ତି। ସରକାର ଯଦି ଏକ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଆଣିଥା’ନ୍ତେ ଓ ଗୋଟିଏ ଟେବୁଲ୍‌ ଛାଡ଼ି ପରବର୍ତ୍ତୀ ଟେବୁଲରେ ବସିବା ଭଳି ବ୍ୟବସ୍ଥା କରନ୍ତେ ତେବେ ଆମ ଭଳି ହୋଟେଲର ମାଲିକଙ୍କ ସହ, ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ତାଙ୍କ ଉପ‌େରେ ନିର୍ଭରଶୀଳ ପରିବାର ପୁଣି ଥରେ ଆର୍ଥିକ ଅନଟନରୁ ବଞ୍ଚିପାରନ୍ତେ।
ଆଶୁତୋଷ ପ୍ରଧାନ, ସହପ୍ରତିଷ୍ଠାତା
ମାଷ୍ଟରକ୍ୟାଣ୍ଟିନ୍‌ ମେଲ୍ଟିଂ ପଟ୍‌

ମାସକୁ ପ୍ରାୟ ୩ ଲକ୍ଷରୁ ଅଧିକ କ୍ଷତି ସହିବୁ
ଗତବର୍ଷ ପ୍ରାୟ ୯ ମାସ ଧରି ରେସ୍ତୋରାଁ ବନ୍ଦ ରହିଲା। ଫଳରେ ବିନା ଆୟରେ ଆମେ ହୋଟେଲ ଭଡ଼ା, କର୍ମଚାରୀଙ୍କ ଦରମା ଓ ହୋଟେଲ ରକ୍ଷଣାବେକ୍ଷଣା କରି କରି ଥକିପଡ଼ିଲୁ। ଅବସ୍ଥା ଏମିତି ହେଲା ଯେ କର୍ମଚାରଙ୍କ ଦରମା ଦେବା ବି ଆଉ ଆମ ପକ୍ଷେ ସମ୍ଭବ ହେଲା ନାହିଁ। ଅନ୍‌ଲକ୍‌ ଆରମ୍ଭ ହେବା ସହ ଧୀରେଧୀରେ ସବୁ ଖୋଲିବା ଆରମ୍ଭ ହେଲା। ଗତ ନଭେମ୍ବରରୁ ଟିକେ ଟିକେ ଆୟ ହେବା ଆରମ୍ଭ ହେଲା। କିନ୍ତୁ ଗତ ବର୍ଷର କ୍ଷତିର ପରିମାଣ ଏତେ ଥିଲା ଯେ ସେତିକି କ୍ଷତି ଭରଣା କାଠିକର ପାଠ ହୋଇଯାଇଥିଲା। ତଥାପି ଗୋଟିଏ ଆଶା ନେଇ ଆଗେଇ ଚାଲିଲୁ। କିନ୍ତୁ ପୁଣି ୩ ମାସ ପରେ କରୋନା ଫେରିଲା। କିଛି ବନ୍ଦ ନ ହେଉଣୁ ରେସ୍ତୋରାଁରେ ଲୋକଙ୍କ ଖାଇବା ଉପରେ କଟକଣା ଜାରି ହୋଇଗଲା। ଏବର୍ଷ ଏମିତି ଆଉ ୨/୩ ମାସ ଲାଗି ରହିଲେ ଆମେ ହୋଟେଲ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ବାଧ୍ୟ ହେବୁ। ଲୋକେ ହୋଟେଲରେ ବସି ଖାଇବାକୁ ପସନ୍ଦ କରନ୍ତି। ବିଶେଷ କରି ସପ୍ତାହନ୍ତରେ ପରିବାର ଓ ବନ୍ଧୁମାନଙ୍କ ସହ ସମୟ କାଟିବା ତଥା ବାକି ଦିନରେ କାର୍ଯ୍ୟରତ ଲୋକମାନେ ଆସି ହୋଟେଲରେ ସୁସ୍ବାଦୁ ଖାଦ୍ୟ ଖାଇଯାଇଥା’ନ୍ତି। କିନ୍ତୁ ଏବେ ସପ୍ତାହନ୍ତ ସଟ୍‌ଡାଉନ୍‌ ଯୋଗୁଁ କ୍ଷତି ତ’ ହେବ। କିନ୍ତୁ ପାର୍ସଲ ବ୍ୟବସ୍ଥା ଆମକୁ ଆହୁରି କ୍ଷତିରେ ପକାଇଛି। ହୋଟେଲରୁ ପାର୍ସଲ ନେଇ କେଉଁଠାରେ ବସି ଖାଇବାର ସୁବିଧା ନଥିବାରୁ ଅଧିକାଂଶ ଗ୍ରାହକ ପାର୍ସଲ ନେଉନାହାନ୍ତି। ଖାଲି ସମୟରେ ଆମର ଦିନକୁ ଯେତିକି ଆୟ ହେଉଥିଲା; ତାର ପ୍ରାୟ ୧୦ ହଜାର ଟଙ୍କାର କ୍ଷତି ଏବେ ଆମକୁ ସହିବାକୁ ପଡ଼ୁଛି। ଅର୍ଥାତ ଏବେ ମାସକୁ ପ୍ରାୟ ଆମେ ୩ ଲକ୍ଷରୁ ଅଧିକ କ୍ଷତି ସହିବାକୁ ଯାଉଛୁ।
ଅଶୋକ ବେହେରା, ସତ୍ତ୍ବାଧିକାରୀ
ଡାଲ୍‌ମା ହୋଟେଲ