ପର୍ଯ୍ୟଟକ ଅପେକ୍ଷାରେ ଜୀବନଜୀବିକା: ନନ୍ଦନକାନନରେ ରୋଜଗାର ହରାଇଛନ୍ତି ଗାଇଡ୍‌, ଦୋକାନୀ

ଅଳ୍ପରେ ସନ୍ତୁଷ୍ଟ ଲିଙ୍ଗରାଜ ମନ୍ଦିରକୁ ଆଶ୍ରା କରିଥିବା ବେପାରୀ

ଭୁବନେଶ୍ବର: କରୋନା ପାଇଁ ସରକାର ଲାଗୁ କରିଥିବା ଆଇନ କୋହଳ କଲେ। ଲକ୍‌ଡାଉନ୍‌ ଉଠାଇ ୨ ଦିନିଆ ସଟ୍‌ଡାଉନ୍‌ରେ ସୀମିତ ରଖିଲେ। କଟକଣା ମାନି ଦୋକାନ ବଜାର ଖୋଲିବାକୁ ଅନୁମତି ଦେଲେ। ବ୍ୟବସାୟୀଙ୍କ ପାଇଁ ଅଳ୍ପ ବହୁତେ ଗୁଜୁରାଣର ବାଟ ଫିଟିଲା। ମାତ୍ର ଏମିତି କିଛି ବେପାରୀ ରହି‌ଗଲେ, ଯେଉଁମାନେ ଏ‌ପର୍ଯ୍ୟନ୍ତ ଜୀବିକାକୁ ଫେରିବାକୁ ବାଟ ପାଉନାହାନ୍ତି। ପର୍ଯ୍ୟଟନ କ୍ଷେତ୍ରକୁ ଆଦରି ନେଇଥିବା ବ୍ୟବସାୟୀମାନେ ପର୍ଯ୍ୟଟକଙ୍କ ଆଗମନକୁ ଚାହିଁ ବସିଛନ୍ତି। ଶହେ କି ଦୁଇଶହ ନୁହେଁ ସହସ୍ରାଧିକ ବ୍ୟବସାୟୀ, ଗାଇଡ୍‌, ଫଟୋଗ୍ରାଫର ଜୀବିକା ହରାଇବା ପରେ ସେମାନଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି। ‌ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ସରକାର ଏପର୍ଯ୍ୟନ୍ତ ଅନୁମତି ଦେଇନାହାନ୍ତି। କେବେ ଅନୁମତି ମିଳିବ ସେନେଇ ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ଫଳରେ କିଛି ବ୍ୟବସାୟୀ ବିକଳ୍ପ ପନ୍ଥା ଆପଣାଇଥିବା ବେଳେ ଅଧିକାଂଶ ଜୀବିକା ହରାଇ ମାନସିକ ଅବସାଦର ଶିକାର ହେଲେଣି।

ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସରକାର ପର୍ଯ୍ୟଟକଙ୍କ ପାଇଁ ୪ ମାସ ହେଲା ବନ୍ଦ ରଖିଛନ୍ତି। ଫଳରେ ନନ୍ଦନକାନନରେ କାର୍ଯ୍ୟରତ ୧୦୦ ଗାଇଡ୍ ରୋଜଗାର ହରାଇଛନ୍ତି। ନନ୍ଦନକାନନ ପରିସରରେ ଅସ୍ଥାୟୀ ଭାବେ କାର୍ଯ୍ୟରତ କର୍ମଚାରୀ ଏବଂ ଫାଟକ ବାହାରେ ଛକଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଥିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବହୁ ବ୍ୟବସାୟୀ ହାତବାନ୍ଧି ଘରେ ବସିଛନ୍ତି। ଯେଉଁଠି ଦିନକୁ ୫ ହଜାର ଟଙ୍କାର ବିକ୍ରିବଟା ହେଉଥିଲା, ଏବେ ସେଠି ୫ଶହ ଟଙ୍କା ବେପାର ହେବା ମୁସ୍କିଲ ହୋଇଯାଉଛି ବୋଲି ବ୍ୟବସାୟୀ ସମୀର ପାତ୍ର କହିଛନ୍ତି। ଗାଇଡ୍‌ ସଂଘ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ଜରିଆରେ ସରକାରଙ୍କୁ ଚିଠି ଲେଖି ସହାୟତା ପାଇଁ ଜଣାଇଛନ୍ତି। ସରକାର ଓ ପ୍ରଶାସନ ସହାୟତା ନଦେଲେ ଅବସ୍ଥା ଶୋଚନୀୟ ହେବ ବୋଲି ଗାଇଡ୍‌ ସଂଘର ସମ୍ପାଦକ ସୌମେନ୍ଦ୍ର ତ୍ରିପାଠୀ, ସନାତନ ରାଉତ, ସୁମନ୍ତ କୁମାର ସୁନ୍ଦରରାୟ କହିଛନ୍ତି।

ଅଳ୍ପରେ ସନ୍ତୁଷ୍ଟ ଲିଙ୍ଗରାଜ ମନ୍ଦିରକୁ ଆଶ୍ରା କରିଥିବା ବେପାରୀ
ଶ୍ରୀଲିଙ୍ଗରାଜଙ୍କ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ୪୦ରୁ ଅଧିକ ବ୍ୟବସାୟୀ ନିର୍ଭରଶୀଳ ଥିବା ବେଳ ଅବଢ଼ା ପ୍ରସ୍ତୁତିରେ ୫୦ରୁ ଅଧିକ ବ୍ୟକ୍ତିବିଶେଷ ନିର୍ଭର କରନ୍ତି। ମାତ୍ର ଏବେ ବାହାର ପର୍ଯ୍ୟଟକଙ୍କ ଆଗମନ ନାହିଁ। ତେଣୁ ବ୍ୟବସାୟ ୪ ମାସ ହେଲା ବନ୍ଦ ରହିଛି ବୋଲି ମନ୍ଦିର ନିକଟରେ ବ୍ୟବସାୟ କରୁଥିବା ପ୍ରଭା ପ୍ରଧାନ କହିଛନ୍ତି। ତାଙ୍କ କହିବା ମୁତାବକ କେବଳ ଏକାମ୍ର ଯୋଜନା ସମୟରେ ସେମାନଙ୍କୁ ସ୍ଥାନାନ୍ତର କରିବା ବେଳେ ୧୫ହଜାର ଟଙ୍କା ସହାୟତା ଦିଆଯାଇଥିଲା। ମାତ୍ର ପରେ ୪ ମାସ ହେଲା ଆମେ କେମିତି ବଞ୍ଚିଛୁ, ସରକାର ଥରେ ପଚାରି ନାହାନ୍ତି। ଅବଢ଼ା ବ୍ୟବସାୟ ମଧ୍ୟ ଏବେ କେବଳ ପାର୍ସଲରେ ସୀମିତ ଥିବାରୁ ମାତ୍ର ୨୦ ପ୍ରତିଶତ ଅବଢ଼ା ଯୋଗାଇ ଦେଉଛନ୍ତି।

ଧଉଳିଗିରି ( ଫଟୋ; ବିଭୂତି)

ବରମୁଣ୍ଡା ବସଷ୍ଟାଣ୍ଡ ବ୍ୟବସାୟୀଙ୍କ ଦୋକାନ ଭଡ଼ା ଉଠୁନି
ବରମୁଣ୍ଡା ବସଷ୍ଟାଣ୍ଡ ଉପରେ ଶତାଧିକ ବ୍ୟବସାୟୀ ନିର୍ଭର କରୁଥିବା ବେଳେ ଏଠାରୁ ଦୈନିକ ୮ଶହ ଗାଡ଼ି ଗଡ଼େ। ୪୦ ହଜାରରୁ ଅଧିକ ‌ଯାତ୍ରୀ ଯା ଆସ କରନ୍ତି। ମାତ୍ର ଏବେ ଯାତ୍ରୀଙ୍କ ସଂଖ୍ୟା ହଜାରେ ଟପୁନାହିଁ। ତେଣୁ ଅଧିକାଂଶ ହୋଟେଲ ବନ୍ଦ ରହିଛି। ଯେଉଁ କିଛି ବ୍ୟବସାୟ ଅନୁଷ୍ଠାନ ଖୋଲିଛି ସେଥିରେ ଦୈନିକ ରୋଜଗାର ୫ ପ୍ରତିଶତ ବି ହେଉନାହିଁ। ଏମିତିକି ଖାଇ ପିଇ ଭଡ଼ା ଦେବା ବି ସମ୍ଭବ ହେଉନାହିଁ ବୋଲି ବସ୍‌ଷ୍ଟାଣ୍ଡର ଜୁସ୍‌ ବ୍ୟବସାୟୀ ପ୍ରଦୀପ କୁମାର ମାନସିଂହ କହିଛନ୍ତି।

ଖଣ୍ଡଗିରି, ଉଦୟଗିରି ତାଲା‌‌ ଖୋଲିବାକୁ ଅପେକ୍ଷା
ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଦ୍ବାରା ସଂରକ୍ଷିତ କୀର୍ତିରାଜି ଖଣ୍ଡଗିରି ଓ ଉଦୟଗିରିରେ ମଧ୍ୟ ତାଲା ପଡ଼ିଛି। ଫଳରେ ଏହାକୁ ଆଶ୍ରା କରି ୪୦ ସ୍ଥାୟୀ ଓ ଉଠା ବେପାରୀମାନଙ୍କ ହାତ ବନ୍ଦ ହୋଇଯାଇଛି। କିଛି ବ୍ୟବସାୟୀ ଦୋକାନ ଖୋଲୁଛନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ବିନା ଏଠାରେ ବେପାର ସମ୍ଭବ ନୁହେଁ ବୋଲି ଦେବେନ୍ଦ୍ର ପରିଡ଼ା କହିଛନ୍ତି। ଶ୍ରୀ ପରିଡ଼ା କହିଛନ୍ତି, ସେମାନେ ସରକାରଙ୍କ ପ୍ରଦତ୍ତ ଅର୍ଥରାଶି ପାଇଛନ୍ତି। କିନ୍ତୁ ତାହା ନାମକୁ ମାତ୍ର। ବ୍ୟବସାୟ ହିଁ ଏକମାତ୍ର ବିକଳ୍ପ ଥିବା ବେଳେ ବାହାର ପର୍ଯ୍ୟଟକଙ୍କ ପାଦ ନପଡ଼ିବା ପର୍ଯ୍ୟନ୍ତ ବ୍ୟବସାୟ ଚଳାଇବା ଅସମ୍ଭବ ହୋଇପଡ଼ିବ।

ଧଉଳି ଉପରେ ନିର୍ଭରଶୀଳ ୧୨୦ ପରିବାରର ଗୁଜୁରାଣ ବନ୍ଦ
ଧଉଳି ପର୍ଯ୍ୟଟନସ୍ଥଳ ଉପରେ ଶତାଧିକ ବ୍ୟବସାୟୀ, ଗାଇଡ୍‌ ଓ ଫଟୋଗ୍ରାଫର ନିର୍ଭରଶୀଳ। ପ୍ରତ୍ୟେକ ଦିନ ସେଠାରେ ୧୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୁଏ। ସେଠାରେ ୧୨୦ରୁ ଅଧିକ ବ୍ୟକ୍ତି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ମାତ୍ର ୪ ମାସ ହେଲା ଧଉଳି ବନ୍ଦ ହେବା ପରେ ଅନେକଙ୍କର ଖାଦ୍ୟ ରହି ରହି ନଷ୍ଟ ହେଇଗଲା। ପାହାଡ଼ିଆ ସ୍ଥାନ ଯୋଗୁଁ ମୂଷାଙ୍କ ପ୍ରାଦୁର୍ଭାବ ବଢ଼ିଗଲା। ଫଳରେ ବ୍ୟବସାୟୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଲା ବୋଲି କହିଛନ୍ତି ବ୍ୟବସାୟୀ ସୁମନ୍ତ ସୁବୁଦ୍ଧି। ସେ କହିଛନ୍ତି, ପୁରୀକୁ ନେଇ ଆମର ବ୍ୟବସାୟ। ପୁରୀ ଯେପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ପାଇଁ ଖୋଲା ନଯାଇଛି, ସେପର୍ଯ୍ୟନ୍ତ ଧଉଳି ଖୋଲା ଗଲେ ମଧ୍ୟ ପର୍ଯ୍ୟଟକ ଆସିବେ ନାହିଁ। ସେ କହିଛନ୍ତି ଯେ ଆମକୁ ସରକାରଙ୍କ ସହାୟତା ରାଶି ଟଙ୍କାଟିଏ ବି ମିଳି ନାହିଁ। ଏପର୍ଯ୍ୟନ୍ତ ବି ଆମ କଥା ସରକାର ବିଚାର କଲେ ନାହିଁ।

ସମ୍ବନ୍ଧିତ ଖବର