ଭୁବନେଶ୍ବର: ମାସଟିଏ ଆମିଷ ଛାଡ଼ିବା ପରେ ଏକାଦିନକେ ଆମିଷ ଖାଦ୍ୟର ମହୋତ୍ସବ ପାଳିବାରେ କେତେ ଧର୍ମ ହୁଏ, ତର୍କର ବିଷୟ। କିଛି ଲୋକ ଏ ପରଂପରାକୁ ସମାଲୋଚନା କରୁଥିଲେ ହେଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନଟିକୁ ଛାଡ଼ଖାଇ ରୂପେ ବଡ଼ ଧୂମ୍‌ଧାମ୍‌ରେ ପାଳନ କରାଯାଏ। ରାଜଧାନୀ ଭୁବନେଶ୍ବରର ଅଧିକାଂଶ ଘରେ ମାଂସ ବା ମାଛର ଅତିକମ୍‌ରେ ଗୋଟିଏ ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ଆମିଷ ଖାଦ୍ୟ ପସନ୍ଦ କରୁନଥିବା, ରୋଗ ବା ଖର୍ଚ୍ଚ ଆଦି କାରଣରୁ ଆମିଷଠୁ ଦୂରରେ ରହୁଥିବା ଲୋକେ ବି ଏହିଦିନ ଆମିଷ ଟିକେ ପାଟିରେ ମାରି ପରଂପରା ରକ୍ଷାକଲେ ବୋଲି ଖୁସି ହୁଅନ୍ତି। ସେଦିନ ଆମିଷ ଦୋକାନରେ ନାହିଁ ନଥିବା ଭିଡ଼ ହୁଏ। ଉଚ୍ଚା ଚାହିଦା ଥିବାରୁ ମାଛ ମାଂସର ଦର ମଧ୍ୟ ଦିନଟିଏ ପାଇଁ କିଛିଟା ବଢ଼ିଯାଏ। ଏ ଦିନଟିକୁ ଆଖିରେ ରଖି ଆମିଷ ବ୍ୟବସାୟୀମାନେ ଢ଼େର୍‌ ଆଗରୁ ପ୍ରସ୍ତୁତି ମଧ୍ୟ କରନ୍ତି।

Advertisment

ଏଥର କିନ୍ତୁ ଛାଡ଼ଖାଇ ପଡ଼ିଥିଲା ଗତକାଲି, ଅର୍ଥାତ୍‌ ମଙ୍ଗଳବାରରେ। ମଙ୍ଗଳବାରରେ ଅନେକ ଲୋକ ଆମିଷ ଖାଆନ୍ତି ନାହିଁ। ତେଣୁ ଏ ବର୍ଷ ଆଜି ଜମିଥିଲା ଛାଡ଼ଖାଇ। ଲୋକେ ଆଜିର ଦିନକୁ ଅନେଇ ବସିଥି‌ଲେ। ଖାସି ମାଂସ, ଚିକେନ୍‌ ଓ ମାଛ ତରକାରି ବାସ୍ନାରେ ଭାସିଲା ସହର। ମିଳିଥିବା ହିସାବ ଅନୁସାରେ, ଏଥର ରାଜଧାନୀରେ ପ୍ରାୟ ୨କୋଟି ୭୫ଲକ୍ଷ ଟଙ୍କାର ଆମିଷ କାରବାର ହୋଇଛି। କୋଟିଏ ଟଙ୍କା ଏକ ଲକ୍ଷ ଟଙ୍କାର ମଟନ ମାଂସ ବିକ୍ରି ହୋଇଥିବା ବେଳେ ୮୫ ଲକ୍ଷ ଟଙ୍କାର ଚିକେନ୍ ଓ ୯୦ ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇ ଯାଇଛି ଏହି ଗୋଟିଏ ଦିନରେ। ଗଲା। ଗତବର୍ଷ ୪ କୋଟିରୁ ଅଧିକ ବେପାର ହୋଇଥିବା ବେଳେ ଚଳିତ ବର୍ଷ ବେପାର କମ ରହିଥିଲା। ମାସର ଶେଷ ସମୟ ହୋଇଥିବାରୁ ଲୋକଙ୍କ ପକେଟକୁ ପଇସା ଆସିନାହିଁ, ତେଣୁ ଗ୍ରାହକମାନେ ଅଧିକ ଆମିଷ କିଣୁ ନଥିବା‌ ଅଲ୍‌ ଓଡିଶା ଆମିଷ ବେବସାୟୀ ମହାସଂଘର ସଭାପତି ସେଖ୍‌ ମୁନ୍ତାକିମ୍‌ ବକ୍ସ କହିଛି। ଆଜି ପୂର୍ବରୁ ଆଇଁଷ ବଜାର ଦର ଯାହା ଥିଲା, ଆଜି ପ୍ରାୟ ସବୁଥିରେ କିଲୋ ପିଛା ୨୦ରୁ ୫୦ ଟଙ୍କା ଯାଏ ବଢ଼ି ଯାଇଥିଲା। ଖାସି ମାଂସ କିଲୋ ପିଛା ୫୦ ଟଙ୍କା ବଢ଼ି କିଲୋ ପିଛା ୮୦୦ ଟଙ୍କା ରହିଥିବା ବେଳେ, ଇଲିସି ମାଚ କିଲୋ ୨୦୦୦ ଟଙ୍କା, ରୋହି ୨୪୦ , ଭାକୁର ୩୦୦, ଚିଙ୍ଗୁଡ଼ି ୪୫୦, ବ୍ରଏଲର ଚିକେନ୍ ୨୨୦ , ଦେଶୀ ଚିକେନ ୫୦୦ ଟଙ୍କା ରହିଥିଲା। ଭୋର୍‌ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସବୁ ଆମିଷ ଦୋକାନରେ ଭିଡ଼ ଲାଗିଥିଲା।

publive-image

ଗତକାଲି ରାତିରୁ ଆମିଷପ୍ରିୟ ରାଜଧାନୀବାସୀଙ୍କ ଆଖିରେ ତ ନିଦ ନଥିଲା, ଆମିଷ ବେପାରୀମାନେ ବି ରାତିଅଧରୁ ପସରା ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ଅଧିକାଂଶ ଭୁବନେଶ୍ବରିଆ ମର୍ଣ୍ଣିଂ ୱାକ୍‌ ଭୁଲି ଯାଇଥିଲେ। ଭୋର୍‌ରୁ ଦୋକାନରେ ପହଞ୍ଚି ଲାଇନ୍‌ ଲଗାଇ ଦେଇଥିଲେ। ସଜମାଛ ଓ ଭଲ ଖାସିମାଂସ ପାଇବା ଆଶାରେ ଗ୍ରାହକମାନେ ଯଥାସମ୍ଭବ ଆଗରୁ ଦୋକାନକୁ ଚାଲି ଯାଇଥିବା ଦେଖା ଯାଇଥିଲା। ତେଣୁ ରାତି ପାହିବା ବେଳକୁ ପ୍ରାୟ ୩୦ ପ୍ରତିଶତ ଆମିଷ ବିକ୍ରି ହୋଇ ସାରିଥିଲା। ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ଆଣି ରଖିଥିଲେ। ଓଡ଼ିଶା ଛେଳି ଯଥେଷ୍ଟ ହେବନାହିଁ ବୋଲି ଜାଣି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଅଣା ହୋଇଥିଲା। ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍‌ ଅଧିକ ପରିମାଣରେ ଆମଦାନି ହୋଇଥିଲା। ଅନ୍ୟପକ୍ଷରେ ଆଜି ପରିବା ଦୋକାନଗୁଡ଼ିକ ଫାଙ୍କା ଫାଙ୍କି ଦିଶୁଥିଲା।

ମାତିଲେ ଆମିଷ ଚୋର
ବିଭିନ୍ନ ଆମିଷ ବଜାରରୁ ‌କିଛି ଚୋର ଆମିଷ ଚୋରି କରି ନେଇଥିବା ବା ଆମିଷ ନେଇ ଭିଡ଼ର ସୁଯୋଗରେ ଟଙ୍କା ନଦେଇ ଖସି ଯାଇଥିବା ଅଭିଯୋଗ ହୋଇଛି। ତମାଣ୍ଡୋର ଏକ ଦୋକାନରୁ ୨୪୦୦ ଟଙ୍କାର ଦେଶୀ ଚିକେନ୍ ଚୋରି ହୋଇଯାଇଥିବା ବେଳେ, ୟୁନିଟ ୪ ଅଞ୍ଚଳର ଏକ ଦେକାନରୁ ୨ କେଜି ମଟନ ଓ ଏକ କିଲୋ ମାଛ ଚୋରି ହୋଇଥିବା ଖବର ମିଳିଛି। ଏପରି ଆହୁରି କିଛି ଛୋଟମୋଟ ଠକେଇ ବା ଚୋରି ଘଟିଛି ସହରର ବିଭିନ୍ନ ଅଞ୍ଚଳରେ।