ବାତ୍ୟା ବେପାର

ଭୁବନେଶ୍ବର : ଯାହା ଷ୍ଟୋର୍‌ରେ ଦୀର୍ଘବର୍ଷ ଧରି ବିକ୍ରି ନହୋଇ ପଡ଼ି ରହିଥିଲା ତାହା ବିକ୍ରି ପାଇଁ ବ୍ୟବସାୟୀଙ୍କୁ ତର ନଥିଲା। କାଁ ଭାଁ ବିକ୍ରି ଯୋଗୁଁ ଯେଉଁ ସାମଗ୍ରୀକୁ ବ୍ୟବସାୟୀମାନେ ଦୋକାନରେ ରଖିବାକୁ କୁନ୍ଥକୁନ୍ଥ ହେଉଥିଲେ ତାହା ଦୋକାନୀମାନେ ଯୋଗାଇ ପାରିଲେ ନାହିଁ। ଯାହା ପଡ଼ିପଡ଼ି ଅଚଳ ପ୍ରାୟ ହୋଇ ଆସୁଥିଲା ତାହା ବି ଏଇ ବାତ୍ୟାରେ ବିକ୍ରି ସୀମା ଟପିଗଲା। ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ରାଜଧାନୀରେ ଶହଶହ କୋଟି ଟଙ୍କାର ବେପାର ଠପ୍‌ ହୋଇଗଲା। ହେଲେ କିଛି ବେପାରୀଙ୍କ ପାଇଁ ଏହା ସୁଯୋଗ ଆଣିଦେଲା। କାହା ପାଇଁ ସର୍ବନାଶ ପାଲଟିଥିବା ଏହି ବାତ୍ୟା କାହା ପାଇଁ ପୁଷ ମାସ ଆଣି ଦେଇଥିଲା। ଆଇଟି ବଜାର ଓ ଇଲେକ୍ଟିକାଲ୍‌ ସାମଗ୍ରୀ କିଣିବାରେ ସିନା ପଡ଼ିଲା କିନ୍ତୁ ସେଇ ସମାନ ସ୍ଥିତିରେ ଅନ୍ୟତମ ବ୍ୟବସାୟିକ ପ୍ରାଣକେନ୍ଦ୍ର କଟକରୋଡ୍‌ରେ ୧୫୦ରୁ ଅଧିକ ମୋଟର ଟୁଲ୍‌ସ ବ୍ୟବସାୟୀଙ୍କୁ ଫୁରସତ ନଥିଲା।

ଏବେ ବି ଜେନେରେଟର ପାଇଁ ଭିଡ଼

ବାତ୍ୟାରେ ଲୋକଙ୍କ ପାଇଁ ସବୁଠୁ ବେଶି ଜରୁରି ହୋଇପଡ଼ିଥିଲା ବିଦ୍ୟୁତ ଓ ପାଣି। ବାତ୍ୟାର ୭ଦିନ ପରେ ରାଜଧାନୀ‌ରେ ଆଲୁଅ ଦିଶିଥିଲା। ମାତ୍ର ଏବେ ବି ସହର ଉପକଣ୍ଠରେ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ। ସଂଜ ନଇଁଲେ ଲୋଡ଼ାପଡ଼ୁଥିବା ବିଦ୍ୟୁତ ଓ ଟାଙ୍କିକୁ ପାଣି ଉଠାଇବା ପାଇଁ ଜରୁରୀ ହୋଇପଡ଼ିଥିଲା ଜେନେରେଟର। ସ୍ଥିତି ଏମିତି ହେଲା ଯେ, କଟକ ରୋଡ୍‌ରୁ ବାତ୍ୟା ପରଦିନ ଅର୍ଥାତ ୪ ତାରିଖ ଦିନ ସବୁ ଜେନେରେଟର୍‌ ଶେଷ ହୋଇଗଲା। କିଛି ବ୍ୟବସାୟୀଙ୍କ ପାଖେ ଯେତିକି ଜେନେରେଟର୍‌ ଥିଲା ସେସବୁ ବିକ୍ରି କରିଦେଇ ଦୋକାନ ବନ୍ଦ କରିଦେଲେ ବ୍ୟବସାୟୀ। କିଛି ବ୍ୟବସାୟୀ ଲୋକଙ୍କଠୁ ଆଡ୍‌ଭାନ୍‌ସ ରଖି ଯୋଗାଇ ଦେବେ ବୋଲି କହିଲେ। କିନ୍ତୁ ନେଟ୍‌ୱର୍କ ନଥିବାରୁ ଯୋଗାଯୋଗ ହୋଇପାରିଲା ନାହିଁ କି ଇଣ୍ଟରନେଟ୍‌ ସେବା ନଥିବାରୁ ଯୋଗାଯୋଗ ଭିତ୍ତିରେ ଜେନେରେଟର ଅଣାଯାଇପାରିଲା ନାହିଁ। ଯୋଗାଯୋଗ ସମ୍ଭବ ହେବା ପରେ ଜେନେରେଟର ଆସିଛି, କିନ୍ତୁ ବିକ୍ରିବଟା ଥମିନାହିଁ। ପୁରୀ ଓ ସହର ଉପକଣ୍ଠ ଅଞ୍ଚଳରୁ ଜେନେରେଟର ପାଇଁ ଭିଡ଼ ଜମୁଛି। ଭାରତ ମେସିନାରି ଓ ଟୁଲ୍‌ସର ବ୍ୟବସାୟୀ କହିଛନ୍ତି, ଆମ ପାଖରେ ଜେନେରେଟର ୩ କିଲୋୱାଟରୁ ୧୫ କିଲୋୱାଟ ମହଜୁଦ ଥିଲା। ତେବେ ବାତ୍ୟା ବେଳେ ସବୁ ଷ୍ଟକ୍‌ ସରିଗଲା। କିଛି ଜଣଙ୍କଠାରୁ ଆଡ୍‌ଭାନ୍‌ସ ନେଇଥିଲୁ। କିନ୍ତୁ ଭିଡ଼ ଏତେ ଅସମ୍ଭାଳ ହେଲା ଯେ ଦୋକାନ ବନ୍ଦ କରିବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ କିଛି ଲୋକେ ବାହାରୁ ଅନ୍‌ଲାଇନ୍‌ରେ ଜେନେରେଟର୍‌ ମଗେଇ ଦେଇଥିଲେ।

କାଳେ ନାହିଁ ବେଳେ ନାହିଁ

କଟକ ରୋଡ୍‌ର ଷ୍ଟୋର୍‌ ଆଣ୍ଡ୍‌ ସ୍ପେୟାର୍ସର ବ୍ୟବସାୟୀଙ୍କ କହିବା ମୁତାବକ ବାତ୍ୟା ପୂର୍ବରୁ ଦିନକୁ ଅତି କମ୍‌ରେ ୨-୩ଟି ଚେନ୍‌ ସ’ ବେପାର ହେଉଥିଲା। ମାତ୍ର ବାତ୍ୟା ପରେ ୨୫-୩୦ଟା ଲେଖାଏଁ ବେପାର ହେଉଛି। ଏବେ ବି ଏତେ ଡିମାଣ୍ଡ୍‌ ଯେ, ଯୋଗାଇ ହେଉନି। ସେମିତି ଚାଇନା ମେଡ୍‌ ସୋଲାର ପ୍ୟାନେଲ୍‌ ଲ୍ୟାମ୍ପ୍‌ ଯଦିଓ ମାର୍କେଟ୍‌ରେ ଥିଲା କିନ୍ତୁ‌ ଦୋକାନରେ ପଡ଼ିପଡ଼ି ନଷ୍ଟ ହେଉଥିଲା। ବାତ୍ୟାରେ ବିଦ୍ୟୁତ ସେବା ବ୍ୟାହତ ଯୋଗୁ ଘରେଘରେ ଗୋଟିଏ ଦୁଇଟି ସୋଲାର ଲ୍ୟାମ୍ପ୍‌ କିଣାଗଲା। ରାତିର ରାଜଧାନୀକୁ ଦିନ ଭଳି ଅନୁଭବ ଦେଉଥିବା ଆଲୁଅର ଭିଡ଼ ଭିତରେ ଟର୍ଚ ଖୋଜା ପଡ଼ୁନଥିଲା। ବର୍ଷାରେ ଯଦିଓ କାଁ ଭାଁ ଆବଶ୍ୟକ ପଡ଼ୁଥିଲା, ତେବେ ଅନେକ ମୋବାଇଲ୍‌ ଟର୍ଚରେ ଚଳେଇ ଦେଉଥିଲେ। ବାତ୍ୟାରେ ଇଲେକ୍ଟ୍ରିକାଲ୍‌ସ ଷ୍ଟୋର୍‌ରେ ଅପର୍ଯ୍ୟାପ୍ତ ବ୍ୟାଟେରି ଓ ସୋଲାର ଟର୍ଚ ବିକ୍ରି ହେଲା। ଦୀପାବଳିରେ ମନେ ପଡ଼ୁଥିବା କ୍ୟାଣ୍ଡେଲ୍‌ର ଚାହିଦା ବଢ଼ିଗଲା, କିନ୍ତୁ ମିଳିଲା ନାହିଁ। ବାତ୍ୟା ସମୟରେ ବଜାରକୁ ଯେତେ କ୍ୟାଣ୍ଡେଲ୍‌ ଆସିଲା ସବୁ ସରିଗଲା। ଅନେକ ସ୍ବେଚ୍ଛାସେବୀ ସଂସ୍ଥା ହଜାର ହଜାର ସଂଖ୍ୟାରେ କ୍ୟାଣ୍ଡେଲ୍‌ କିଣି ନେବାରୁ ବଜାରରେ ତାହା କମ୍‌ ପଡ଼ିଗଲା। ସେହିପରି ବାତ୍ୟା ଦୁଇଦିନ ପରେ ଟାଙ୍କିରେ ପାଣି ନଥିବାରୁ ବଡ଼ ବ୍ୟାରେଲ୍‌ ଲୋଡ଼ା ପଡ଼ିଲା। ପାଣି ବୋତଲରୁ ନେଇ ବ୍ୟାରେଲ୍‌ର ଖୁବ୍‌ ବିକ୍ରିବଟା ହେଲା।

ନେଲା ବେଳେ କହିଥିଲୁ ନୋ ଗ୍ୟାରେଣ୍ଟି…

ଘରେ ଘରେ ଏବେ ଚାଇନା ମେଡ୍‌ ସୋଲାର ପ୍ୟାନେଲ୍‌ ଲ୍ୟାମ୍ପ୍‌ ଝୁଲୁଛି ସିନା ହେଲେ ଅଧିକାଂଶ ଖରାପ ହୋଇଯାଉଛି। ଫଳରେ ଭିଡ଼ ଭିତରେ କସରତ କରି କିଣିଥିବା ସୋଲାର ଲ୍ୟାମ୍ପ୍‌ ପାଇଁ ଏବେ ସେଇ ଦୋକାନରେ ପହଞ୍ଚିଲେ ଉତ୍ତର ଫେରୁଛି, ନେଲା ବେଳେ କହିଥିଲୁ, ଚାଇନା ମାଲ୍‌ ନୋ ଗ୍ୟାରେଣ୍ଟି। ତେଣୁ ଫେରାଇବାର ପ୍ରଶ୍ନ ଉଠୁନି। ସୋଲାର ଟର୍ଚର ଅବସ୍ଥା ମଧ୍ୟ ସେୟା। ସେତେବେଳେ ୪୦୦ରୁ ନେଇ ୧ହଜାର ପର୍ଯ୍ୟନ୍ତ ବିନା ବ୍ରାଣ୍ଡ୍‌ବାଲା ସୋଲାର ଲ୍ୟାମ୍ପ୍‌ ସିନା କିଣିଦେଲେ। ହେଲେ କିଛିଦିନରେ ଅଧିକାଂଶ ସୋଲାର ଲାଇଟ୍‌ ଲ୍ୟାମ୍ପ୍‌ ଓ ଟର୍ଚ ଅଚଳ ହୋଇଯାଇଛି।

ଏବେ ମରାମତି ପାଇଁ ଭିଡ଼

ବ୍ୟବହାର ଜାଣିନଥିବାରୁ ଖରାପ ହୋଇଯାଉଛି ଅଧିକାଂଶ ଚେନ୍‌ ସ’। ଫଳରେ ଚେନ୍‌ ସ’ ପାଇଁ ଲୋକେ ଭିଡ଼ ଜମାଉଥିବା ବେଳେ ଏବେ ସେଗୁଡ଼ିକ ମରାମତି ପାଇଁ ଆସି ଷ୍ଟୋର୍‌ରେ ଗଦା ହେଲାଣି। ଏନେଇ କାରିଗର ରାଜ୍ ବେହେରା କହିଛନ୍ତି, ପେଟ୍ରୋଲ୍‌ ସାଙ୍ଗରେ ଟୁଟି ପକେଇ ଏହି କରତ ଚଲାଇବା କଥା, କିନ୍ତୁ ‌ସେୟା ହେଉ ନଥିବାରୁ ଚେନ୍‌ ସ’ ଶୀଘ୍ର ଖରାପ ହୋଇଯାଉଛି। ସେଇଭଳି ଷ୍ଟାର୍ଟିଙ୍ଗ୍‌ ପଏଣ୍ଟ୍‌ର ଉଚିତ୍‌ ବ୍ୟବହାର ଜାଣିନଥିବାରୁ ମଧ୍ୟ ଅଧିକାଂଶ ଚେନ୍‌ ସ’ ଅଳ୍ପ ଦିନରେ ଖରାପ ହୋଇଯାଉଛି। ଖାଲି ସେତିକି ନୁହେଁ, ବାତ୍ୟା ବେଳେ ଦୀର୍ଘ ସମୟ ଧରି ଜେନେରେଟର ଚଳାଉଥିବାରୁ ଅନେକ ଜେନେରେଟର ବି ଖରାପ ହୋଇ ୱାର୍କସପ୍‌ମାନଙ୍କରେ ଗଦା ହେଲାଣି।

ସମ୍ବନ୍ଧିତ ଖବର