ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ

୧୧ ମହଲାରୁ ପଡ଼ି ଯୁବକ ମୃତ

ଖଣ୍ଡଗିରି : ସୋମବାର ରାତି ପ୍ରାୟ ସାଢ଼େ ୯ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍ ଉପରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ନୂଆବଜାରର ଅଲେଖ ଚନ୍ଦ୍ର ନାୟକ(୩୦)। ଏଠାରେ ସେ ଚକେଇସିଆଣିରେ ରହୁଥିଲେ। ସେ ଫାଷ୍ଟଫୁଡ୍‌ ବ୍ୟବସାୟ କରୁଥିବା ବେଳେ ପାତ୍ରଡ଼ାରୁ ମାମୁ ଘରୁ ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ଓ ବାଇକ୍ ନମ୍ବରକୁ ଆଧାର କରି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ ଯୁବକ ଜଣଙ୍କ ତାଙ୍କ ବାଇକ୍ ଯୋଗେ ଖୋର୍ଧାରୁ ଭୁବନେଶ୍ବର ଦିଗରେ ଯାଉଥିଲେ। ସେ ଆଇଗିଣିଆ ଓଭରବ୍ରିଜ୍ ଉପର ବୁଲାଣିରେ ପହଞ୍ଚିଥିବାବେଳେ ପଛରୁ କୌଣସି ଭାରୀଯାନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକଙ୍କ ମୁଣ୍ଡ ପୂରା କ୍ଷତିଗ୍ରସ୍ତ ହୋଇଥିଲା ଓ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

୧୧ ମହଲାରୁ ପଡ଼ି ଯୁବକ ମୃତ

ଭୁବନେଶ୍ବର : ଇନ୍ଦ୍ରଧନୁ ମାର୍କେଟ୍‌ ନିକଟ କ୍ରିଷ୍ଣା ପ୍ଲାଜାର ୧୧ମହଲାରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ଯାଜପୁର ଜିଲ୍ଲା ଇଚ୍ଛାପୁର ଅଞ୍ଚଳର ନୀଳମାଧବ ପରିଡ଼ା(୩୫)। ନୂଆପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଗତ ୬ମାସ ହେବ ନୀଳମାଧବ କ୍ରିଷ୍ଣା ଆପାର୍ଟମେଣ୍ଟରେ ରହୁଥିବା ପ୍ରତାପ ବାରିକଙ୍କ ଘରେ ରହି ଗାଡ଼ି ଚାଳକ ଭାବେ କାମ କରୁଥିଲେ। ରବିବାର ନୀଳମାଧବ ଖାଇସାରି ରୁମ୍‌କୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୨ଟା ସମୟରେ କୌଣସି କାରଣରୁ ସେ ବାଲ୍‌କୋନିରୁ ତଳକୁ ପଡ଼ିଯାଇଥିଲେ। ପ୍ରଚଣ୍ଡ ଶବ୍ଦ ଶୁଣି ପାଖରେ ଥିବା ସିକ୍ୟୁରିଟି ଗାର୍ଡ ଧାଇଁ ଆସିଥିଲେ। ନୀଳମାଧବ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖି ଡାକ ପକାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର