ଭୁବନେଶ୍ବର: ଉଧାର ଟଙ୍କା ନଦେବାରୁ ରାଜଧାନୀରୁ ବ୍ୟବସାୟୀଙ୍କୁ ଅପହରଣ କରି ଭଦ୍ରକରେ ରଖି ନିସ୍ତୁକ ପିଟିଲେ।  ସ୍ବାମୀଙ୍କୁ ମୁଣ୍ଡଜାମିନ୍‌ ରଖି ପତ୍ନୀଙ୍କୁ ଫୋନ୍‌ କରି ୬ଲକ୍ଷ ଟଙ୍କା ଦାବି କଲେ। ଏଭଳି ଏକ ଘଟଣାରେ କ୍ୟାପିଟାଲ୍‌ ଥାନା ପୁଲିସ ଭଦ୍ରକରୁ ଅପହୃତ ବିକାଶ ଚନ୍ଦ୍ର ରଥଙ୍କୁ ଉଦ୍ଧାର କରି ଫାର୍ମାମାଲିକଙ୍କ ସମେତ ୩ ଅପହର୍ତାଙ୍କୁ ଗିରଫ କରିଛି। ସେମାନେ ହେଲେ ଭଦ୍ରକଜିଲ୍ଲା ନାଇକାଣୀଡିହି ଅଞ୍ଚଳର ଫାର୍ମା ମାଲିକ ବବୁଲ୍‌ କୁମାର ମହାନ୍ତି ଓରଫ ବାବୁଲା(୨୯), ନୂଆପଲ୍ଲୀ ଅଞ୍ଚଳର ଅଭିଷେକ ସାହୁ(୧୯) ଓ ଭରତପୁର ଅଞ୍ଚଳର ରିତିକ୍‌ ରୋହନ ତରାଇ(୧୯)। ପୁଲିସ ସେମାନଙ୍କ ନିକଟରୁ ଏକ କାର୍‌ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। 

Advertisment

ସୂଚନା ମୁତାବକ, ବାବୁଲାଙ୍କର ସମ୍‌ ହସ୍ପିଟାଲ୍‌ ନିକଟରେ ବିଆର୍‌ ଫାର୍ମା ସଂସ୍ଥା ରହିଛି। ୨୦୨୩ ମସିହାରେ ସେ ଭୀମଟାଙ୍ଗୀ ଅଞ୍ଚଳର ବିକାଶ ଚନ୍ଦ୍ର ରଥଙ୍କୁ ବ୍ୟବସାୟ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଓଆର୍‌ଏସ୍‌ ଯୋଗାଇଥିଲେ। ଏମିତିକି ବିକାଶ ନଗଦ ଟଙ୍କା ମଧ୍ୟ ନେଇଥିଲେ। ପରବର୍ତ୍ତୀ ସମୟରେ ବିକାଶ ଆଉ ଟଙ୍କା ଫେରସ୍ତ କରି ନଥିଲେ କି ଓଆର୍‌ଏସ୍‌ ବାବଦକୁ ବକେୟା ଟଙ୍କା ଦେଇ ନଥିଲେ। ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେବା ପରେ ୩ଟି ଚେକ୍‌ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଚେକ୍‌ଗୁଡ଼ିକ ବାଉନ୍‌ସ ହୋଇଥିଲା। ଠକେଇର ଶିକାର ହେବାରୁ ବିକାଶକୁ ପାନେ ଦେବା ପାଇଁ ଯୋଜନା କରିଥିଲେ। ତାଙ୍କୁ ଅପହରଣ କରି ହତ୍ୟା ଧମକ ଦେଇ ଟଙ୍କା ଆଦାୟ କରିବାକୁ ରୋହନ, ଅଭିଷେକକୁ ସାମିଲ୍‌ କରିଥିଲେ। ଯୋଜନା ମୁତାବକ ଗତ ୧୩ ତାରିଖ ରାତିରେ ବିକାଶ ଘରକୁ ଫେରୁଥିବା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ ନିକଟରୁ ତାଙ୍କୁ ଅପହରଣ କରି ଭଦ୍ରକ ନେଇଯାଇଥିଲେ। ସେଠାରେ ରଖି ତାଙ୍କ ପତ୍ନୀ ପ୍ରମୋଦିନୀ ରଥଙ୍କୁ ଫୋନ୍‌ କରି ୬ଲକ୍ଷ ଟଙ୍କା ମାଗିଥିଲେ। ନଚେତ ସ୍ବାମୀଙ୍କ ମଲା ମୁହଁ ଦେଖିବ ବୋଲି ଧମକାଇଥିଲେ। ଏନେଇ ପ୍ରମୋଦିନୀ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସର ଏକ ଟିମ୍‌ ଭଦ୍ରକ ନାଇକାଣୀଡିହିର ଏକ ଘରେ ଚଢ଼ଉ କରି ବିକାଶଙ୍କୁ ଉଦ୍ଧାର କରିବା ସହ ୩ ଅପହର୍ତ୍ତାଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ଜେରା ବେଳେ ଅଭିଯୁକ୍ତ ସତ ମାନିଥିଲେ। ଜେରା ପରେ ପୁଲିସ ୩ଜଣଙ୍କୁ  କୋର୍ଟଚାଲାଣ କରିଛି।