ରାଜଧାନୀରେ ବି କରୋନା କଟକଣାକୁ ଖାତିର ନାହିଁ! ବ୍ୟବସାୟୀଙ୍କ ଘରେ ରାତି ଭୋଜିଭାତର ଆସର

ଶିଳ୍ପପତି, ବିଲ୍ଡରଙ୍କୁ ଦେଖି ଥାନା ବାବୁ ଛାନିଆ
ଜାଲ୍ ନାଁରେ ଫାଇନ୍ କାଟି ଘଟଣା ଚପାଇବାକୁ ଉଦ୍ୟମ

ଭୁବନେଶ୍ବର : ସାରା ରାଜ୍ୟରେ ତାଣ୍ଡବ ରଚାଇ ଚାଲିଛି କରୋନା। ଏପରିକି ରାଜଧାନୀ ଭୁବନେଶ୍ବର ସ୍ଥିତି ମଧ୍ୟ ସଂଗିନ ହେବାରେ ଲାଗିଛି। କିନ୍ତୁ ଏଭଳି ମୁହୂର୍ତରେ ସବୁ ଆଇନକାନୁନକୁ ‌ମୋଡ଼ି ମକଚି ରାଜଧାନୀରେ ଚାଲିଲା ଭୋଜିସଭାର ଆୟୋଜନ। ସାମିଲ ହେଲେ ଶିଳ୍ପପତି, ବିଲ୍ଡର, ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପରିବାର। ଖବର ପାଇ ପୁଲିସ ପହଂଚିଲା। କିନ୍ତୁ ବଡ଼ ବଡ଼ ଲୋକଙ୍କୁ ଦେଖି ଫେରି ଆସିଲା। କେବଳ ଏତିକି ନୁହେଁ, ମାମଲାକୁ ଚପାଇବା ଲାଗି ମଧ୍ୟ ଉଦ୍ୟମ ଚଳାଇଛି।

ଗତ ଶୁକ୍ରବାର ରାତିର ଘଟଣା। ରାଜଧାନୀର ଜଣେ ବ୍ୟବସାୟୀଙ୍କ ଘର ଭିତରେ ଚାଲିଥିଲା ଜବରଦସ୍ତ ପାର୍ଟି। ମ୍ୟୁଜିକ୍ ସିଷ୍ଟମର ତାଳେ ତାଳେ ଛାତ ଉପରେ ଚାଲିଥିଲା ଭୋଜିଭାତ ଓ ମଦର ଆସର। କୋଭିଡ୍ କଟକଣା ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ପାର୍ଟି। ଖବର ପହଞ୍ଚିଥିଲା ପୁଲିସ କଣ୍ଟ୍ରୋଲ ରୁମରେ। ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେହି ପାର୍ଟିରେ ମଦ ବ୍ୟବସାୟୀ, ଶିଳ୍ପପତି, ବିଲ୍ଡର, ପ୍ରତିଷ୍ଠିତ ବ୍ୟବସାୟୀ ଓ ସେମାନଙ୍କ ପରିବାର ଲୋକ ସାମିଲ ଥିବା ଦେଖି କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରି ନଥିଲା। ଏନେଇ ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନାଧିକାରୀ, ମହିଳା ପୁଲିସ ଓ କିଛି କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ବଡ଼ବଡ଼ ବାବୁମାନଙ୍କୁ ଦେଖି ପୁଲିସର ହାଲୁକ ଶୁଖି ଯାଇଥିଲା। ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଏ ସବୁ କଥା ଜାଣିବା ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। କେବଳ ପାର୍ଟି ବନ୍ଦ କରିବା ପାଇଁ କହି ମାତ୍ର ୬ ଜଣଙ୍କ ନାଁରେ ୭୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରି ଘଟଣାସ୍ଥଳରୁ ପଳାଇ ଆସିଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେହି ପାର୍ଟିରେ ଯେଉଁ ପ୍ରତିଷ୍ଠିତ ବ୍ୟକ୍ତିମାନେ ଥିଲେ ସେମାନଙ୍କ ନାଁରେ କୌଣସି ଜରିମାନା ଆଦାୟ କରାଯାଇ ନାହିଁ। ବଡ଼ବଡ଼ିଆଙ୍କୁ ସୁରକ୍ଷା ଦେବାକୁ ଯାଇ କେତେକ ଜାଲ୍ ନାଁ ଓ ଡ୍ରାଇଭରଙ୍କ ନାଁରେ ପୁଲିସ ଏହି ଫାଇନ୍ କାଟିଛି। ଏ ସବୁ ଘଟଣା ପୁଲିସ ଭୂମିକା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି।

କୋଭିଡ୍ ନିୟମ ଉଲ୍ଲଂଘନ କରି ନାମ ଯଜ୍ଞ କରିବା ଘଟଣାରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜେ. ଡେଙ୍ଗପଦର ପଞ୍ଚାୟତର ନାଏବ୍ ସରପଞ୍ଚଙ୍କ ସମେତ ୧୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରାଜଧାନୀରେ କମିସନରେଟ୍ ପୁଲିସ କାହା ଚାପରେ କାର୍ଯ୍ୟାନୁଷ୍ଠାନ ପାଇଁ ଭୟ କରୁଛି ବୋଲି ପ୍ରଶ୍ନ ଉଠିଲାଣି। କୁହାଯାଉଛି ଶିଳ୍ପପତି ଜଣଙ୍କ ବେଶ୍ ପ୍ରଭାବଶାଳୀ। ପ୍ରଶାସନିକ ଓ ପୁଲିସ ବିଭାଗରେ ତାଙ୍କର ଦବଦବା ରହିଛି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଡରୁଥିବା ଚର୍ଚା ହେଉଛି। ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା ଅନୁସାରେ, ଆଇନ ସମସ୍ତଙ୍କ ପାଇଁ ସମାନ। ଖୋଲାଖୋଲି କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଓ ମହାମାରି ଆଇନ ଅନୁସାରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

ସମ୍ବନ୍ଧିତ ଖବର