ବାଲିଅନ୍ତା: ଶିଶିଲୋ ପଞ୍ଚାୟତ ହାଇସ୍କୁଲ ଜମିକୁ ନେଇ ଆଜି ଗ୍ରାମବାସୀ ଓ ଶିଶିଲୋ ଛକ ବ୍ୟବସାୟୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ଆଜି ସକାଳେ ସରଦେଈପୁର-ନିମାପଡ଼ା ରାସ୍ତା ପାର୍ଶ୍ବକୁ ଲାଗି ବିଦ୍ୟାଳୟ ଜମିରେ ଗ୍ରାମବାସୀ ଓ ଶିକ୍ଷକ ପାଚେରି ନିର୍ମାଣ ଉଦ୍ୟମ କରିଥିଲେ। ଏହାକୁ ଶିଶିଲୋ ଛକ ବ୍ୟବସାୟୀ ବିରୋଧ କରିବାରୁ ବିବାଦ ଉଗ୍ରରୂପ ନେଇଥିଲା। ପରେ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହେବା ସହ ଶିକ୍ଷକଙ୍କୁ ସମର୍ଥନ ଜଣାଇ ରାସ୍ତାରୋକ କରିଥିଲେ। ରାସ୍ତାରେ ବାଇକ, ଇଟା, ପଥର ଓ ବାଉଁଶ ରଖି ଅବରୋଧ କରିଥିଲେ। ଏନେଇ ଘଟଣାସ୍ଥଳରେ ଭୀଷଣ ଉତ୍ତେଜନା ଦେଖାଦେଇଥିଲା।
ଖବର ପାଇ ତହସିଲଦାର ବିମଳ କୁମାର ଲେଙ୍କା, ଅତିରିକ୍ତ ତହସିଲଦାର ଯୋଗୀନାଥ ଦାସ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ ଓ ବାଳକାଟି ଫାଣ୍ଡି ଅଧିକାରୀ ରାମଚନ୍ଦ୍ର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମାବସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ସୂଚନା ଅନୁସାରେ ସରଦେଈପୁର-ନିମାପଡ଼ା ୪ ଥାକିଆ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ରାସ୍ତା କଡ଼ରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ମୁଖ୍ୟ ରାସ୍ତାଠୁ ୧୫ଫୁଟ ପଛକୁ ଚାଲିଯିବାକୁ କୁହାଯାଇଥିଲା। ଯେଉଁ ସ୍ଥାନକୁ ଯିବା ପାଇଁ ମୌଖିକ ଭାବେ କୁହାଯାଇଥିଲା ସେଠାରେ ଶିଶିଲୋ ପଞ୍ଚାୟତ ହାଇସ୍କୁଲ ନାମରେ ୮୧ ଡିସିମିଲ୍ ଘରବାଡ଼ି ଜମି ରହିଛି। ଏପରିକି ଏହି ଜମିରେ ପ୍ରବେଶ ନିଷେଧ ବୋର୍ଡ ମଧ୍ୟ ଲଗାଯାଇଥିଲା। ଏହି ଜମିରେ ପାଚେରି ନିର୍ମାଣ କରାଯିବାରୁ ଏହାକୁ ବ୍ୟବସାୟୀମାନେ ବିରୋଧ କରିବା ସହ ତହସିଲ୍ ପକ୍ଷରୁ କେମିତି ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରାଯାଇଛି। ତେବେ ଜମି ମାପଚୁପ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିଛନ୍ତି। ତେବେ ଉକ୍ତ ଘଟଣାକୁ ନେଇ ଉଭୟ ପକ୍ଷ ପରସ୍ପର ବିରୋଧରେ ଫାଣ୍ଡିରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/23/AHvZsHERpDWUhhWffvcZ.jpg)