ଆଜିଠୁ ବୁଷ୍ଟର୍‌ ଡୋଜ୍‌, ୪ ହଜାର ସ୍ଲଟ୍‌ ବୁକିଂ

ଅନୁଷ୍ଠାନରେ କ୍ୟାମ୍ପ ପାଇଁ ୧୯୨୯ରେ ପଞ୍ଜୀକରଣ ପରାମର୍ଶ

ଭୁବନେଶ୍ବର: କରୋନାର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତାକାଲିଠାରୁ ବୁଷ୍ଟର୍‌ ଡୋଜ୍‌ ଦିଆଯିବ। ଏଥିପାଇଁ ବିଏମ୍‌ସି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ସମ୍ମୁଖଯୋଦ୍ଧା, ସ୍ବାସ୍ଥ୍ୟସେବା ସହ ସଂଶ୍ଲିଷ୍ଟ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କୁ ଏହି ବୁଷ୍ଟର୍‌ ଡୋଜ୍‌ ଦେବାକୁ ସ୍ଥିର ହୋଇଛି। ଆସନ୍ତାକାଲି ଅପରାହ୍‌ଣରେ ଅର୍ଥାତ୍‌ ୩ଟାରୁ ୬ଟା ଯା‌ଏଁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଏହି ଟିକାକରଣ ହେବ। ଯେଉଁମାନେ ଅତି କମ୍‌ରେ ୯ମାସ ତଳେ ଦ୍ବିତୀୟ ଡୋଜ୍‌ ଟିକା ନେଇଥିବେ, ସେମାନେ ହିଁ ଏହି ବୁ‌ଷ୍ଟର ଡୋଜ୍‌ ନେବାକୁ ଯୋଗ୍ୟବିବେଚିତ ହେ‌ବେ। କୋୱିନ୍‌ ପୋର୍ଟାଲ୍‌ରେ ଏଥିପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି।

ଆଜି ସୁଦ୍ଧା ବିଏ୍‌ସି ଅଞ୍ଚଳରେ ୪ହଜାରରୁ ଅଧିକ ବୁକିଂ ହୋଇସାରିଛି। ଏହି ଟିକା ନେବାକୁ ହେଲେ ସାଙ୍ଗରେ ଦ୍ବିତୀୟ ଡୋଜ୍‌ ପ୍ରମାଣପତ୍ର ଆଣିବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ମୁଖ ଯୋଦ୍ଧାଙ୍କୁ ୫୬ହଜାର ୩୨୯ପ୍ରଥମ ଓ ୫୧ ହଜାର ୧୩୫ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଇଛି। ସେହିଭଳି ବରିଷ୍ଠ ନାଗରିକ(୬୦ ବର୍ଷ ବୟସ ବର୍ଗରୁ ଊର୍ଦ୍ଧ୍ବ)ଙ୍କୁ ୧ଲକ୍ଷ ୫୯ ହଜାର ୪୮୨ ପ୍ରଥମ ଓ ୧ଲକ୍ଷ ୪୪ ହଜାର ୪୭୭ ଦ୍ବିତୀୟ ଡୋଜ୍‌ ଓ ସ୍ବାସ୍ଥ୍ୟସେବାରେ ଥିବା କର୍ମଚାରୀଙ୍କୁ ୩୬ ହଜାର ୧୧୦ ପ୍ରଥମ ଡୋଜ୍‌ ଓ ୩୩ହଜାର ୪୯୭ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ସମୁଦାୟ ୨୮ଲକ୍ଷ ୧୨ହଜାର ୩୬୫ ଡୋଜ୍‌ ଦିଆଯାଇଥିବା ବେଳେ ବରିଷ୍ଠ ନାଗରିକ, ସମ୍ମୁଖ ଯୋଦ୍ଧା ଓ ସ୍ବାସ୍ଥ୍ୟସେବାରେ ଥିବା କର୍ମଚାରୀଙ୍କୁ ୪ ଲକ୍ଷ ୮୧ ହଜାର ୩୦ ଡୋଜ୍‌ ଦିଆଯାଇଛି।

ଅପରପକ୍ଷେ ୧୫ରୁ ୧୮ବର୍ଷ ବୟସ ବର୍ଗର କିଶୋରଙ୍କୁ ଟିକା ଦେବା ପାଇଁ ବିଏମ୍‌ସି ଗତକାଲିଠାରୁ ବିଭିନ୍ନ ଅନୁଷ୍ଠାନରେ କ୍ୟାମ୍ପ କରି ଟିକା ଦେବା ଆରମ୍ଭ କରିଛି। ଗତକାଲି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଟିକାକରଣ କେନ୍ଦ୍ର କରାଯାଇଥିବା ବେଳେ ଆସନ୍ତାକାଲି କେନ୍ଦ୍ରୀୟ ବିଦ୍ୟାଳୟ-୧ରେ କ୍ୟାମ୍ପ କରାଯାଇ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବାକୁ ଯୋଜନା ହୋଇଛି। ଯେଉଁମାନେ ନିଜ ଶିକ୍ଷାନୁ‌ଷ୍ଠାନରେ ଟିକାକରଣ କରିବାକୁ ଚାହୁଛନ୍ତି, ସେମାନେ ୧୯୨୯ରେ ଫୋନ୍‌ କରି ପଞ୍ଜୀକରଣ କରିବାକୁ ବିଏମ୍‌ସି କହିଛି।

ସ୍କୁଲ କଲେଜ୍‌ ଭଳି ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍‌, ଆବାସିକ କଲ୍ୟାଣ ସଂଘ ପ୍ରଭୃତି ଏହି ଅଭିଯାନରେ ସାମିଲ ହୋଇପାରିବେ। ପଞ୍ଜୀକରଣ କରିବା ପରେ ବିଏମ୍‌ସି ତାରିଖ ଧାର୍ଯ୍ୟ କରିବା ସହ ସ୍ବତନ୍ତ୍ର ଶିବିର ଆୟୋଜନ କରି ଟିକାକରଣ କରିବ। ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନରେ ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୬ ହଜାର ୩୭୮ଜଣ କିଶୋରଙ୍କୁ ଟିକା ଦିଆଯାଇଥଇବା ବିଏମ୍‌ସି ସୂଚନା ଦେଇଛି।

କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଅସ୍ଥାୟୀ କୋଭିଡ୍‌ ଚିକିତ୍ସା ‌କେନ୍ଦ୍ର

ଭୁବନେଶ୍ବର: ରୋଗୀ ଓ କର୍ମଚାରୀମ‌ାନଙ୍କ ସୁରକ୍ଷା ଦୃଷ୍ଟିରୁ କ୍ୟାପିଟା‌ଲ ହସ୍ପିଟାଲ ବାହାରେ ଖୋଲିବ ଅସ୍ଥାୟୀ କୋଭିଡ୍‌ ଚିକିତ୍ସା କେନ୍ଦ୍ର। ଆସନ୍ତାକାଲି ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ କରାଯାଉଥିବା ବେଳେ ୧୧ ତାରିଖରୁ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି କ୍ୟାପିଟାଲ ହସ୍ପିଟାଲର ଉପ ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ ପାର୍କିଂସ୍ଥଳରେ ଦୁଇ ଅସ୍ଥାୟୀ କେନ୍ଦ୍ର ଖୋଲାଯିବ। ଗୋଟିଏ ଔଷଧ ବିତରଣ କେନ୍ଦ୍ର ହୋଇଥିବା ବେଳେ ଅନ୍ୟଟି ଡାକ୍ତରଙ୍କ ପରାମର୍ଶ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଦୁଇଜଣ ଡାକ୍ତର ଏଠାରେ ରୋଗୀ ଚିକିତ୍ସା ପାଇଁ ନିୟୋଜିତ ହେବେ। ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ପ‌ରେ ଅପରାହ୍‌ଣ ୩ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲା ରହିବ।

ସମ୍ବନ୍ଧିତ ଖବର