ଭୁବନେଶ୍ବର : ମୁଣ୍ଡ ଉପରେ ଆଉ ତାର ଝୁଲିବନି। ଖୁଣ୍ଟରୁ ଖୁଣ୍ଟକୁ ବନ୍ଧା ହୋଇ ରାସ୍ତା ଅତିକ୍ରମ କରିବନି। ବିଦ୍ୟୁତ୍, ଟେଲିଫୋନ୍, ଟିଭି, ଇଣ୍ଟରନେଟ୍, ସବୁ ତାର ମାଟି ତଳେ ଯିବ। ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍)ମାଟି ତଳେ ୬୮୦ କିଲୋମିଟର ପର୍ଯ୍ୟନ୍ତ ତାର ବିଛାଇଛି। ବିଭିନ୍ନ ସେବା ଯୋଗାଉଥିବା ସଂସ୍ଥାମାନେ ବିଏସ୍ସିଏଲ୍ ଠାରୁ ଭଡ଼ା ସୂତ୍ରରେ ନେବେ। କିନ୍ତୁ ଅଧିକାଂଶ ସଂସ୍ଥା ନେଉ ନାହାନ୍ତି। ଫଳରେ ଏହି କୋଟି କୋଟି ଟଙ୍କା ବ୍ୟୟରେ ବିଛା ଯାଇଥିବା ଭୂତଳ କେବୁଲ୍ କାମରେ ଲାଗୁନି। ଏଣୁ ବିଏମ୍ସି ସ୍ବତନ୍ତ୍ର ଟିମ୍ ଜରିଆରେ ମୁଣ୍ଡ ଉପରେ ଯାଇଥିବା ତାର ସବୁ କାଟିବା ଆରମ୍ଭ କରିଛି। ପୂର୍ବରୁ ବିଏସ୍ସିଏଲ୍ର ଏକ ଟିମ୍ ଏହି ଅଭିଯାନ ଚଳାଇଥିବା ବେଳେ ଏବେ ବିଏମ୍ସି ତିନିଟି ଜୋନ୍ରେ ଟିମ୍ ଗଠନ କରି ଜୋରଦାର ଉଚ୍ଛେଦ ଚଳାଇଛି। ମାସେ ଭିତରେ ପ୍ରାୟ ଦୁଇ ଟ୍ରକ୍ ତାର କାଟି ସାରିଲାଣି। ତେବେ ଏହି ତାର କଟା ଅଭିଯାନ ଏବେ ଟେନ୍ସନ୍ ଦେଇଛି। କେବଳ ସାଧାରଣ ଲୋକ ଇଣ୍ଟରନେଟ୍ ସେବାରୁ ବଞ୍ଚିତ ହୋଇ ନାହାନ୍ତି ବରଂ ଓକାକ୍ରୁ ଲୋକସେବା ଭବନକୁ ଇଣ୍ଟରନେଟ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି, ଯାହାକୁ ନେଇ ତନାଘନା ହୋଇଛି। ଇଣ୍ଟରନେଟ୍ ସେବା ଯୋଗାଉଥିବା ସଂସ୍ଥାମାନେ ଭୂତଳ କେବୁଲ୍ ବ୍ୟବହାର କରିବାକୁ ସକ୍ଷମ ହେବା ପର୍ଯ୍ୟନ୍ତ ଏହି ତାର କଟାକଟି ବନ୍ଦ କରିବାକୁ ଓକାକ୍ ଚିଠି ଲେଖିଛି। ନଭେମ୍ବର ମାସରୁ ଚିଠି ଆସିଥିଲେ ମଧ୍ୟ ବିଏମ୍ସି ଏହି ତାର କାଟିବା ଜାରି ରଖିଛି।
ଓକାକ୍ରୁ ଲୋକସେବା ଭବନ ଯୋଗାଯୋଗ ବିଚ୍ଛିନ୍ନ
ରାଜଧାନୀବାସୀଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ଦେବା ପାଇଁ ବିଏସ୍ସିଏଲ୍ ୧୫୧ କୋଟି ଟଙ୍କା ଖର୍ଚ୍ଚ କରି ରାଜଧାନୀରେ ୬୮୦ କିମିର ଭୂତଳ କେବୁଲ୍ ବିଛାଇଛି। ସେଥିରୁ ୪୪୦ କିଲୋମିଟର କମିସନିଂ ସଫଳତାର ସହ ଶେଷ ହେବା ପରେ ସଂଯୋଗ ଦିଆ ଆରମ୍ଭ ହୋଇଛି। ବିଏସ୍ସିଏଲ୍ ୧୨ ପେୟାର କେବୁଲ୍ ନିଜ ବ୍ୟବହାର ପାଇଁ ରଖିଥିବା ବେଳେ ବାକି ୬୦ ପେୟାର କେବୁଲ୍ ସମସ୍ତ ଘରୋଇ ସଂସ୍ଥାକୁ ଲିଜ୍ ସୂତ୍ରରେ ଦିଆଯିବାକୁ ଯୋଜନା ରହିଥିଲା। ଏହାଦ୍ବାରା ୪ଲକ୍ଷ ୭୫ହଜାର ଉପଭୋକ୍ତା ଉପକୃତ ହେବେ ବୋଲି ଆଶା କରାଯାଉଥିଲା। ତେବେ ଆଶାନୁରୂପ ଲିଜ୍ ନ ଯିବାରୁ ବିଏସ୍ସିଏଲ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ମୁଣ୍ଡ ଉପରୁ ତାର କଟା ଯାଇଥିଲା। ତନାଘନା ବେଳେ ଜଣାପଡ଼ିଥିଲା କି ତାର ଲିଜ୍ ସୂତ୍ରରେ ନେବା ପାଇଁ ଧାର୍ଯ୍ୟ ହୋଇଥିବା ଦେୟ କେତେକ ସଂସ୍ଥାକୁ ବେଶି ହେଉଥିବା ବେଳେ କେତେକ ସଂସ୍ଥାଙ୍କୁ ରାଜ୍ୟ ବାହାରେ ଥିବା ମୁଖ୍ୟାଳୟରୁ ସ୍ବୀକୃତି ଆଣିବାକୁ ସମୟ ଲାଗୁଥିଲା। ଏଭଳି ଗଦା ଗଦା ଅଭିଯୋଗ ଆସିବା ପରେ ବିଏସ୍ସିଏଲ୍ ତାର କାଟିବା ବନ୍ଦ ରଖିଥିଲା। ଏଣେ କିନ୍ତୁ ସହରକୁ ସୌନ୍ଦର୍ଯ୍ୟୀକରଣ ଆଳରେ ବିଏମ୍ସି ସ୍ବତନ୍ତ୍ର ଟିମ୍ ଗଠନ କରି ତାର କଟା ଆରମ୍ଭ କରି ଦେଇଥିଲା।
ନିୟମିତ ତାର କଟା ଫଳରେ ସାଧାରଣ ଜନତାଙ୍କ ସମେତ ଓକାକ୍ ପ୍ରଭାବିତ ହୋଇଥିଲା। ଓକାକ୍ କେବୁଲ୍ ଜରିଆରେ ଡାଟା ସେଣ୍ଟର, ଆଇଟି ସେଣ୍ଟର, ଲୋକସେବା ଭବନ ପ୍ରଭୃତିକୁ ସଂଯୋଗ କରିଥିଲା। ଏହି କେବୁଲ୍ ଜରିଆରେ ସରକାରଙ୍କ ଜରୁରୀ ପ୍ରୟୋଗ(ଆପ୍ଲିକେସନ) ଯଥା, ଓସ୍ବାସ୍, ଇ-ଡେସ୍ପାଚ୍, ସାମ୍ସ୍, ଓଡିଶାୱାନ୍, ସିସିଟିଏନ୍ଏସ୍, ଷ୍ଟେଟ୍ ପୋର୍ଟାଲ, ସୁଯୋଗ, କାଳିଆ, ବିଏସ୍କେୱାଇ ପ୍ରଭୃତି କାମ କରୁଥିଲା। ତା ଛଡ଼ା ଓସ୍ବାନ୍ ଜରିଆରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭାଗ ସହ ଭର୍ଚୁଆଲ ବୈଠକ କରୁଥିଲେ। ବିଭିନ୍ନ ଜିଲ୍ଲାପାଳଙ୍କ ଅଫିସ୍, ପୁଲିସ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ଏହି ବ୍ୟବସ୍ଥା ଜରିଆରେ ଲୋକସେବା ଭବନ ସହ ଯୋଗାଯୋଗରେ ରହିପାରୁଥିଲେ। ବିଏମ୍ସି କେବୁଲ୍ କାଟି ଦେବା ଦ୍ବାରା ଗତ ନଭେମ୍ବର ମାସରେ ଓକାକ୍ର ଏହି ବ୍ୟବସ୍ଥା ଭୀଷଣ ପ୍ରଭାବିତ ହୋଇଥିଲା। ଏଣୁ ଓକାକ୍ ବିଏମ୍ସିକୁ ଚିଠି ଲେଖି ବାରଣ କରିଥିଲା। ସଂସ୍ଥାମାନେ ଏହି ଭୂତଳ କେବୁଲ୍ ବ୍ୟବହାର କରିବାକୁ ସକ୍ଷମ ହେବା ପର୍ଯ୍ୟନ୍ତ ଏହି କଟାକଟି ବନ୍ଦ ରଖିବାକୁ କୁହାଯାଇଥିଲା। ଏହା ପରେ ଗତ ମାସରେ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। କିନ୍ତୁ ବିଏମ୍ସି କଟାକଟି ଜାରି ରଖିଥିବାରୁ ଓକାକ୍ ପୁଣି ଥରେ ରିମାଇଣ୍ଡର ପଠାଇଛି। ତେବେ ଓକାକ୍କୁ ସଂଯୋଗ ପୁନଃସ୍ଥାପିତ ହୋଇଛି। ଏବେ ଇଣ୍ଟରନେଟ୍ ସଂଯୋଗରେ ସମସ୍ୟା ନାହିଁ। ତାରକଟା ବନ୍ଦ ରଖାଯାଇଥିବା ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।